ରବିବାର ଦୁର୍ଘଟଣାର ଦିନ: ଭିନ୍ନ ଭିନ୍ନ ସ୍ଥାନରେ ୩ ମୃତ, ୨୦ରୁ ଅଧିକ ତୀର୍ଥଯାତ୍ରୀ ଆହତ

1 min read

ଭୁବନେଶ୍ବର: ରବିବାର ସକାଳୁ ସକାଳୁ ଭିନ୍ନ ଭିନ୍ନ ସ୍ଥାନରୁ ଆସିଛି ଦୁଃଖଦ ଖବର । ଦୁଇଟି ସ୍ଥାନରେ ଦୁର୍ଘଟଣାରେ ମର୍ଣ୍ଣିଂ ଓ୍ବାକ କରୁଥିବା ବେଳେ ୩ ଯୁବକଙ୍କ ମୃତ୍ୟୁ ଘଟିଛି । ଗୋଟିଏ ସ୍ଥାନରେ ଶ୍ରୀକ୍ଷେତ୍ର ଯାଉଥିବା ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇ ୨୦ରୁ ଅଧିକ ପର୍ଯ୍ୟଟକ ଆହତ ହୋଇଛନ୍ତି ।

ମର୍ଣ୍ଣିଂ ଓ୍ବାକ ହେଲା କାଳ

ପାଲଲହଡା ଥାନା ୪୯ ନମ୍ବର ଜାତୀୟ ରାଜପଥ ମୁକ୍ତାପୁର ନିକଟରେ ଅଜଣା ଗାଡ଼ି ଦୁଇଜଣ ଯୁବକଙ୍କ ମୃତ୍ୟୁ ଘଟିଛି । ଯୁବକ ଦ୍ବୟ ହେଲେ ମୁକ୍ତାପୁର ଗ୍ରାମର ମାଧବ ସାମାଡ଼ ଏବଂ ସୁସବ ଗ୍ରାମର ରାଜେଶ ଶୁଣ୍ଢୀ । ଉଭୟ ମର୍ଣ୍ଣିଂ ଓ୍ବାକ କରୁଥିବା ବେଳେ କୌଣସି ଗାଡ଼ି ସେମାନଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା । ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଛି । ପାଲଲହଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଯୁକ୍ତଦୁଇ ଛାତ୍ରଙ୍କ ଉପରେ ଚଢ଼ିଗଲା ଭ୍ୟାନ୍

ସେହିପରି ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ରାସ୍ତା ଗେଡାବାଞ୍ଜି ଛକରେ ଦୁର୍ଘଟଣା ଘଟି ମର୍ଣ୍ଣିଂ ଓ୍ବାକ କରୁଥିବା ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ଏକ୍ ପିକଅପ ଭ୍ୟାନ ଯୁବକଙ୍କ ଉପରେ ଚଢ଼ି ଯାଇଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତ ଯୁବକ ହେଲେ ଯୁକ୍ତଦୁଇ ଛାତ୍ର ପୁରୁଷୋତ୍ତମ ଭୁଏ I ପୋଲିସ ଘଟଣାସ୍ଥଳରେ ପହଞ୍ଚି ଭ୍ୟାନ ଡ୍ରାଇଭରଙ୍କୁ ଗିରଫ କରିଛି । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତ୍ୟକ୍ତ ଲୋକେ ଏବଂ ଆଦିବାସୀ ସଙ୍ଘ ପକ୍ଷରୁ ରାସ୍ତାରୋକ କରାଯାଇଛି । ଘଟଣା ସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରୁଛି ।

ଶ୍ରୀକ୍ଷେତ୍ରରେ ପହଞ୍ଚିବା ପୂର୍ବରୁ ଦୁର୍ଘଟଣା

ବାଲେଶ୍ବର ଜିଲ୍ଲା ସୋର ୧୬ ନମ୍ବର ଜାତୀୟ ରାଜପଥ କଲଲେଜ ଛକ ମନୋରଞ୍ଜନ ଢାବା ନିକଟରେ ଏକ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇ ୨୦ରୁ ଅଧିକ ପର୍ଯ୍ୟଟକ ଆହତ ହୋଇଛନ୍ତି । ଏହି ତୀର୍ଥଯାତ୍ରୀମାନେ ନେପାଳ ବଙ୍କେ ଅଞ୍ଚଳରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଯାଉଥିଲେ । ଢାବା ନିକଟରେ ଛିଡ଼ା ହୋଇଥିବା ଏକ ଟ୍ରକକୁ ଟୁରିଷ୍ଟ ଇଣ୍ଡିଆ ନାମକ ଘରୋଇ ବସଟି ଧକ୍କା ଦେଇଥିଲା । ଆହତମାନଙ୍କୁ ଉଦ୍ଧାର କରାଯାଇ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।