ପିଆଜ, କପା ଓ ସୋୟାବିନର ସହାୟକ ମୂଲ୍ୟ ବୃଦ୍ଧି ଦାବି, ମୁମ୍ବାଇ ଅଭିମୁଖେ ମହାରାଲି

ମୁମ୍ବାଇ: ମୁମ୍ବାଇ ଅଭିମୁଖେ ମହାରାଲି । ନାସିକରୁ ମୁମ୍ବାଇ ଯାଏ ଚାଲିଥିବା ରାଲି ପହଞ୍ଚିଛି ସାହାପୁରରେ । ରାଲିରେ ହଜାର ହଜାର ପିଆଜ ଚାଷୀ ସାମିଲ ହୋଇଥିବାବେଳେ କୁମ୍ଭକର୍ଣ୍ଣ ନିଦ୍ରାରେ ଅଛନ୍ତି ମହାରାଷ୍ଟ୍ର ସରକାର । ଲାଲ ପତାକା ସଜ୍ଜିତ ହଜାର ହଜାର ଚାଷୀ ନିଜର ନ୍ୟାଯ୍ୟ ଅଧିକାର ସାବ୍ୟସ୍ତ ଲାଗି କରିଛନ୍ତି ଅଭିଯାନ । ପିଆଜ, କପା ଓ ସୋୟାବିନର ସହାୟକ ମୂଲ୍ୟ ବୃଦ୍ଧି, ଜଙ୍ଗଲ ଅଧିକାର ଆଇନ କାର୍ଯ୍ୟକାରୀ କରିବା ଆଦି ଦାବିରେ ଜାରି ରହିଛି ପଦଯାତ୍ରା । ପଦଯାତ୍ରାବେଳେ ଆନ୍ଦୋଳନକାରୀଙ୍କ ଦୁଃଖ ବଢ଼ିଥିବାବେଳେ ସେମାନଙ୍କ ପାଦ ଫୁଲିଯାଇଥବା ଦେଖିବାକୁ ମିଳିଛି । କିଛି ଆନ୍ଦୋଳନକାରୀ ବି ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପିଆଜ ଅମଳ ଲାଗି ସମୟ ଆସିଥିଲେ ଅର୍ଥ ଅଭାବରେ ତାହାକୁ ଖୋଳାଯାଇପାରୁନାହିଁ ।

ଚାଷୀମାନେ କେନ୍ଦ୍ର ଓ ମହାରାଷ୍ଟ୍ର ସରକାରଙ୍କ ମନମାନି ବିରୋଧରେ ନାରାବାଜି ଚଳାଇଥିବାବେଳେ ନାସିକ, ଅହମ୍ମଦନଗର ଓ ପାଲଘର ଜିଲ୍ଲାର ହଜାର ହଜାର ଚାଷୀ ରାଲିରେ ସାମିଲ ହୋଇଛନ୍ତି । ସିପିଏମ ନେତୃତ୍ବରେ ଚାଲିଥିବା ଏହି ମହାଅଭିଯାନରେ ଚାଷୀମାନେ ପ୍ରାୟ ୨୦୦ କିଲୋମିଟର ଯାତ୍ରା କରିବେ । ବଡ଼କଥା ହେଉଛି ଏହି ମହାରାଲିରେ ସାମିଲ ହୋଇଛନ୍ତି ଆଶାକର୍ମୀ ଓ ବିଭିନ୍ନ ଆଦିବାସୀ ସଂଗଠନ । ପିଆଜ ଚାଷୀଙ୍କୁ କ୍ବିଣ୍ଟାଲ ପିଛା ୬୦୦ ଟଙ୍କା ସହାୟତା ଦେବା ଲାଗି ମଧ୍ୟ ଦାବି କରାଯାଇଛି । ଏହା ସହ ପୁରୁଣା ପେନସନ ସ୍କିମ୍ କାର୍ଯ୍ୟକାରୀ କରିବା ଲାଗି ମଧ୍ୟ ଆନ୍ଦୋଳନକାରୀ ଦାବି କରିଛନ୍ତି ।