ବର୍ଷକର ଚାଷ ଧୋଇଦେଲା ଧନୁଆଁ- କୁଶଭଦ୍ରା..

ନନ୍ଦିଘୋଷ ବ୍ୟୁରୋ:  ଦୁଃଖ ଦେଇଛି ଧନୁଆଁ ଓ କୁଶଭଦ୍ରା  । ଅଣ୍ଟା ସଳଖି ଛିଡ଼ା ହେବା ବେଳେ ଭାଙ୍ଗିଦେଇଛି ଚାଷୀଙ୍କ ମେରୁଦଣ୍ଡ  । ବନ୍ୟାରେ ଛାରଖାର ହୋଇଛି ଘରଦ୍ବାର, ଉଜୁଡ଼ିଯାଇଛି ଚାଷ ଜମି । ଏବେବି ପାଣି ଘେରରେ ପୁରୀ ଜିଲ୍ଲାର ଅନେକ ଗାଁ । ଜମିରେ ଲହଡ଼ି ଭାଙ୍ଗୁଛି ବନ୍ୟାଜଳ । ନିମାପଡ଼ା ଓ ଗୋପ ବ୍ଲକରେ ପ୍ରାୟ ୧୨ ହଜାର ଚାଷ ଜମି ଜଳମଗ୍ନ ହୋଇଛି  । ଚାଷୀ ପରିବାରର ବର୍ଷକର ଫସଲ ଉଜୁଡ଼ି ଯାଇଛି  । କାରଣ ଧାନ ଗଛ ଓ ପନିପରିବା ଗଛ ସବୁ ବନ୍ୟା ପାଣିରେ ସଢିଗଲାଣି ।

ହ୍ରଦର ଭ୍ରମ ସୃଷ୍ଟି କରୁଛି ବନ୍ୟାଜଳ । ଜଳମଗ୍ନ ହୋଇ ରହିଛି ଜମି । ୯ଦିନ ବିତିଲାଣି, ତଥାପି କମୁନି ବନ୍ୟାପାଣି । ପୁରୀ ଜିଲ୍ଲାର ଅନେକ ଗାଁ ଏବେବି ପାଣି ଘେରରେ ରହିଛି । ବିଶେଷ କରି ପ୍ରଭାବିତ ହୋଇଛି ନିମାପଡ଼ା ଓ ଗୋପ ବ୍ଲକ୍ । ପାଣି ବୁଡ଼ି ରହିଛି ଚାଷୀର ବର୍ଷକର ପରିଶ୍ରମ । ଆଉ ଛାତିଏ ପାଣିରୁ ସ୍ବପ୍ନ ସାଉଁଟୁଛି ଚଷାପୁଅ । ସବୁକିଛି ଉୁଜୁଡ଼ି ଯାଇଛି । ଧାନ, ଛତୁ, ଅଣଧାନ ସବୁ ଛାରଖାର ହୋଇଯାଇଛି । ଧାନ ଗଛ ସଢିଯାଇଥିବା ବେଳେ ପନିପରିବା ଓ ରବି ଫସଲ ନଷ୍ଟ ହୋଇଛି ।

ନିମାପଡ଼ା ବ୍ଲକର ପ୍ରାୟ ୭ ହଜାର ୫୦୧ ହେକ୍ଟର ଓ ଗୋପ ବ୍ଲକର ୪ ହଜାର ୭୦ ହେକ୍ଟର ଜମିରେ ଚାଷ ଉଜୁଡ଼ି ଯାଇଛି । କୃଷି ବିଭାଗ, ଉଦ୍ୟାନ ବିଭାଗ ଓ ରାଜସ୍ୱ ବିଭାଗର ଅଧିକାରୀ ବନ୍ୟା ଅଞ୍ଚଳ ବୁଲି କ୍ଷୟକ୍ଷତି ଆକଳନ କରୁଛନ୍ତି । ସେପଟେ ପାଣି ସମ୍ପୂର୍ଣ୍ଣ ଛାଡିବା ପରେ ଚାଷୀଙ୍କୁ କ୍ଷତିପୂରଣ ଯୋଗାଇ ଦିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । ଜଳତାଣ୍ଡବରେ ଭାଙ୍ଗି ଯାଇଛି ଚାଷୀର ସ୍ବପ୍ନ । ତେଣୁ ସଠିକ କ୍ଷୟକ୍ଷତି ଆକଳନ କରି ତୁରନ୍ତ ସହାୟତା ପାଇଁ ଦାବି କରିଛନ୍ତି ଚାଷୀକୂଳ  ।