ଘନ କୁହୁଡି କରିବ କଲବଲ, ୩ ଜିଲ୍ଲାକୁ ୟେଲୋ ଆଲର୍ଟ
ଆଜି ଘନ କୁହୁଡି ବଳୟରେ ରାଜ୍ୟ। ଏନେଇ ତିନି ଜିଲ୍ଲାକୁ ୟେଲୋଆଲର୍ଟ ଜାରି କରାଯାଇଛି । କଳାହାଣ୍ଡି, କନ୍ଧମାଳ ଏବଂ କୋରାପୁଟକୁ ସତର୍କ କରାଯାଇଛି । ଏସବୁ ଜିଲ୍ଲାରେ ୫୦ ମିଟର ତଳକୁ ଖସିଆସିବ ଦୃଶ୍ୟମାନ କ୍ଷମତା । କିଛି ସ୍ଥାନରେ ଜିରୋ ଭିଜିବିଲିଟି ନେଇ ମଧ୍ୟ ସତର୍କତା ଜାରି କରାଯାଇଛି । ଏହାସହ ଝାରସୁଗୁଡା, କେନ୍ଦୁଝର, ସମ୍ବଲପୁର, ସୁନ୍ଦରଗଡ, କଟକ ଏବଂ ଖୋର୍ଦ୍ଧାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଅନୁଭୁତ ହେବ ।
ସେପଟେ ଆସନ୍ତା ୧୭ ରୁ ରାଜ୍ୟରେ ପୁଣି ବଢିବ ଶୀତ । ଉପାନ୍ତରୁ ଉପକୂଳ ସବୁଠି କମିବ ତାପମାତ୍ରା। ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପଶ୍ଚିମା ଝଡର ପ୍ରଭାବ କମିବା ପରେ ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ପବନ ପ୍ରବାହ ବଢିବ। ଫଳରେ ରାଜ୍ୟରେ ପୁଣି ଶୀତ ଲହରୀ ଅନୁଭୁତ ହେବ । ବିଶେଷ କରି ସୁନ୍ଦରଗଡ, ଝାରସୁଗୁଡା, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର, ବରଗଡ, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁରରେ ଶୀତ ଲହରୀ ଅନୁଭୁତ ହେବାର ସମ୍ଭାବନା ରହିଛି ।
ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟରେ ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ । ରାତ୍ରୀ ତାପମାତ୍ରା ସ୍ବାଭାବିକ ଠାରୁ ଅଧିକ ରହିବ । କିଛି ଜିଲ୍ଲାରେ ହାଲୁକା ଶୀତ ସହ ଘନ କୁହୁଡି ନେଇ ସତର୍କତା ଜାରି କରିଛି ପାରିପାଗ କେନ୍ଦ୍ର।