ନନ୍ଦିଘୋଷ ବ୍ୟୁରୋ : ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣର ନୂଆ କରିଡର ପାଲଟିଛି ବଲାଙ୍ଗୀର। କୁଇଣ୍ଟାଲ କୁଇଣ୍ଟାଲ ଗଞ୍ଜେଇ ଧରାପଡ଼ିବା ପରେ ମଧ୍ୟ ଗଞ୍ଜେଇ କାରବାରରେ ରୋକ୍ ଲାଗୁନାହିଁ। ଏହି କ୍ରମରେ ବଲାଙ୍ଗୀର-ସୋନପୁର ରାସ୍ତାର ଟୋଲ୍ଗେଟ୍ ନିକଟ ଡୁମେରିବାହାଲ ଛକରୁ ୨୪ କେଜି ଗଞ୍ଜେଇ ଜବତ କରିଛି ପୁଇଁନ୍ତଲା ପୋଲିସ। ଗଞ୍ଜେଇ ଚାଲାଣ ଅଭିଯୋଗରେ ପୋଲିସ ୨ ଜଣ ମହିଳାଙ୍କ ସମେତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ୩ଟି ଏୟାର୍ ବ୍ୟାଗରୁ ଗଞ୍ଜେଇ ପ୍ୟାକେଟ୍ ଜବତ ହୋଇଥିବା ବେଳେ ଗଞ୍ଜେଇ ଚାଲାଣରେ ବ୍ୟବହୃତ ବାଇକ୍କୁ ମଧ୍ୟ ଜବତ କରାଯାଇଛି।
ଗିରଫ ଅଭିଯୁକ୍ତମାନେ ଛତିଶଗଡ଼ର ସମୀର ଶିକାରୀ, ସିତୁ ଗୌଡ଼ ଓ ଶିଭ୍ କୁମାରୀ ଶିକାରୀ। ପୋଲିସର ତଦନ୍ତରୁ ଜଣାପଡ଼ିଛି ଯେ, ବଲାଙ୍ଗୀରରୁ ଟ୍ରେନ୍ ଯୋଗେ ଝାଡ଼ଖଣ୍ଡକୁ ଗଞ୍ଜେଇ ଚାଲାଣ କରିବାକୁ ସେମାନେ ଯୋଜନା କରିଥିଲେ। ଏନେଇ ପୋଲିସ ମାମଲା ରୁଜୁ କରିବା ସହ ଅଧିକ ତଦନ୍ତ ଜାରି ରଖିଛି। ଗିରଫ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ପୁଇଁନ୍ତଲା ଥାନା ଅଧିକାରୀ ସୂଚନା ଦେଇଛନ୍ତି।

