ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁର ୧୦ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଛି । କୋଭିଡ -୧୯ ରେ ସଂକ୍ରମିତ ୩୩୯ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୩ ତାରିଖ ସୁଦ୍ଧା ଦେଶବ୍ୟାପି ଲକଡାଉନର ନିଷ୍ପତ୍ତି ନେଇଛନ୍ତି । ଅନେକ ରାଜ୍ୟ ପୂର୍ବରୁ ଲକଡାଉନ ଘୋଷଣା କରିଥଲେ । ପ୍ରଧାନମନ୍ତ୍ରୀ ମୋଦି, ଏପ୍ରିଲ ୨୦ ପରେ କିଛି ଅଂଚଳରେ ଲକଡାଉନ ବେଳେ ରିହାତି ମିଳିବ ବୋଲି ତାଙ୍କ ଅଭିଭାଷଣରେ କହିଛନ୍ତି । ତଥାପି, ଏଥିପାଇଁ ସେମାନଙ୍କୁ କିଛି ସର୍ତ୍ତ ରଖି ରହିବା କଥା ସେ କହିଛନ୍ତି ।
କେଉଁମାନଙ୍କୁ ଏପ୍ରିଲ୍ ୨୦ ପରେ ମିଳିବ ରିହାତି ?
ପ୍ରଧାନମନ୍ତ୍ରୀଙ୍କ କହିବା ଅନୁସାରେ, “ଏପ୍ରିଲ ୨୦ ସୁଦ୍ଧା ପ୍ରତ୍ୟେକ ସହର, ପ୍ରତ୍ୟେକ ପୋଲିସ ଷ୍ଟେସନ ଏବଂ ପ୍ରତ୍ୟେକ ରାଜ୍ୟକୁ ଭଲଭାବେ ପରୀକ୍ଷଣ କରାଯିବ । ସେହି ସହର ନିଜକୁ କରୋନା ଠାରୁ କେତେ ରକ୍ଷା କରିଛି, ସେଠାରେ ଲକଡାଉନକୁ କେତେ ପାଳନ କରାଯାଇଛି ମୂଲ୍ୟାଙ୍କନ କରାଯିବ । ଯେଉଁ ଅଞ୍ଚଳ ହଟସ୍ପଟ୍ ବଢିବାକୁ ଦେବ ନାହିଁ, ସେଠାରେ ଏପ୍ରିଲ୍ ୨୦ରୁ କିଛି ଆବଶ୍ୟକୀୟ କାର୍ଯ୍ୟ ପାଇଁ ଅନୁମତି ଦିଆଯାଇପାରିବ ଏବଂ ଏହାକୁ ନେଇ ଆସନ୍ତାକାଲି ଏକ ବିସ୍ତୃତ ନିର୍ଦ୍ଦେଶାବଳୀ ଜାରି ହେବ। ”
ଏହିସବୁ ସହରର କିଛି କାର୍ଯ୍ୟକଳାପ ଉପରେ କୋହଳ କରାଯିବ
ମୋଦିଙ୍କ ଅନୁସାରେ, କେତେକ ଜିଲ୍ଲା ଓ ସହରରେ ଲକଡାଉନ କୋହଳ କରାଯାଇପାରେ । ଉଦାହରଣ ସ୍ୱରୂପ ଉତ୍ତର ପୂର୍ବ, କର୍ଣ୍ଣାଟକ, ଛତିଶଗଡ, ବିହାର, ହରିୟାଣାର କିଛି ଜିଲ୍ଲାରେ ଲକଡାଉନ୍ କେହଳ କରାଯାଇପାରେ । କିନ୍ତୁ ଏଠାରେ ନିୟମ ସେତେବେଳେ କୋହଳ ହେବ ଯେତେବେଳେ ସମାନ ଧାରା ଜାରି ରହିବ । ଯଦି ଏଠାରୁ ୨୦ ଏପ୍ରିଲ ଭିତରେ କୌଣସି ମାମଲା ଆସେ, ତେବେ ସେହିଭଳି ଲକଡାଉନ୍ କଡ଼ାକଡ଼ି ହେବ । ଦେଶରେ ଅନେକ ଉଦାହରଣ ଅଛି ଯେଉଁଠାରେ ସଂକ୍ରମିତଙ୍କ ମାମଲା ହ୍ରାସ ପାଇବାର କିଛି ଦିନ ପରେ ପୁଣିଥରେ ବୃଦ୍ଧି ପାଇଛି । ଉତ୍ତରପ୍ରଦେଶର ଆଗ୍ରା ଏହାର ଉଦାହରଣ । ପ୍ରଥମେ, ମାମଲାଗୁଡ଼ିକ ଦ୍ରୁତ ଗତିରେ ବୃଦ୍ଧି ପାଇଲା ତାପରେ କୌଣସି ମାମଲା ସେଠାରୁ ଆସି ନଥିଲା କିନ୍ତୁ ବର୍ତ୍ତମାନ ପୁଣି ଏଠାରୁ ନୂଆ ମାମଲା ସାମ୍ନାକୁ ଆସିଛି ।
ଗତ ୧୪ଦିନରୁ ନୂଆ ମାମଲା ଏଠାରୁ ଆସିନାହିଁ
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୋମବାର କହିଛି ଯେ ୧୫ଟି ରାଜ୍ୟରେ ୨୫ଟି ଜିଲ୍ଲା ଅଛି ଯେଉଁଠାରେ ଗତ ୧୪ ଦିନରୁ କୌଣସି ମାମଲା ଆସିନାହିଁ । ଯଦି ଏପ୍ରିଲ୍ ୨୦ ସୁଦ୍ଧା ଏହି ଜିଲ୍ଲାଗୁଡ଼ିକରେ କୌଣସି ନୂତନ ମାମଲା ସାମ୍ନାକୁ ନଆସେ, ତେବେ ସେମାନଙ୍କୁ ଲକଡାଉନରୁ ମୁକ୍ତ କରାଯାଇପାରିବ ।

ରାଜ୍ୟ ଜିଲ୍ଲା
ଛତିଶଗଡ ରାଜନାଂଦଗାଓଁ, ଦୁର୍ଗ ଏବଂ ବିଲାସପୁର
କର୍ଣ୍ଣାଟକ ଦେବନଗିରି, ଉଦୁପି, ତୁମକୁର ଏବଂ କୋଡାଗୁ
ମହାରାଷ୍ଟ୍ର ଗୋଂଦିଆ
ହରିୟାଣା ପାନିପତ, ରୋହତକ, ସିରସା
ବିହାର ପାଟନା, ମୁଂଗେର
କେରଳ ବାୟନାଡ ଏବଂ କୋଟାୟାମ
ମଣିପୁର ପଶ୍ଚିମ ଇମ୍ଫାଲ
ଗୋଆ ଦକ୍ଷିଣ ଗୋଆ
ଜାମ୍ମୁ କାଶ୍ମୀର ରାଜୈରୀ
ମିଜୋରାମ ଆଇଜୋଲ୍ ୱେଷ୍ଟ୍
ପଞ୍ଜାବ ଏସବିଏସ ନାଗର
ରାଜସ୍ଥାନ ପ୍ରତାପଗଡ଼
ତେଲେଙ୍ଗାନା ଭଦ୍ରାଦ୍ରୀ କୋଟାଗୁଡମ୍
ଉତ୍ତରାଖଣ୍ଡ ପୌଡ଼ି ଗଡୱାଲ
ପୁଡୁଚେରୀ ମାହେ
ପ୍ରଧାନମନ୍ତ୍ରୀ କହିଛନ୍ତି, ସମସ୍ୟା ବଢିବାକୁ ଅପେକ୍ଷା କରି ନାହିଁ ଭାରତ
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଭାରତ ଏହି ସମସ୍ୟା ବଢିବା ପର୍ଯ୍ୟନ୍ତ ଅପେକ୍ଷା କରି ନାହିଁ । ବରଂ, ସମସ୍ୟାଟି ଦେଖିବା ମାତ୍ରେ, ଶୀଘ୍ର ନିଷ୍ପତ୍ତି ନେଇ ସଂକ୍ରମଣକୁ ରୋକିବାକୁ ଭାରତ ସମସ୍ତ ପ୍ରୟାସ କରିଥିଲା । ସେ କହିଛନ୍ତି ଯେ, ଯେତେବେଳେ ଭାରତରେ କରୋନାର ଗୋଟିଏ ବି ମାମଲା ନଥିଲା, ସେତେବେଳେ ଭାରତ କରୋନା ପ୍ରଭାବିତ ଦେଶରୁ ଆସୁଥିବା ଯାତ୍ରୀମାନଙ୍କ ସ୍କ୍ରିନିଂ ଆରମ୍ଭ କରିଥିଲା । ଯେତେବେଳେ କରୋନା ରୋଗୀ ୧୦୦ରେ ପହଞ୍ଚିଲେ, ବିଦେଶରୁ ଆସୁଥିବା ପ୍ରତ୍ୟେକ ଯାତ୍ରୀଙ୍କ ପାଇଁ ୧୪ ଦିନିଆ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ କରାଯାଇଥିଲା । ସପିଂ ମଲ, କ୍ଲବ ଏବଂ ଜିମ୍ ଗୁଡିକୁ ମଧ୍ୟ ବନ୍ଦ କରି ଦିଆଯାଇଥିଲା । ଯେତେବେଳେ ଆମର ଏଠାରେ କରୋନାର ୫୫୦ ମାମଲା ଥିଲା, ଭାରତ ୨୧ଦିନର ଲକଡାଉନ୍ ଦିଗରେ ଏକ ବଡ ପଦକ୍ଷେପ ନେଇଥିଲା ।
ତେବେ, ରାଜ୍ୟର କେଉଁ ସ୍ଥାନରେ ଲକଡାଉନ କୋହଳ କରାଯିବ ସେ ନେଇ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବ । ଓଡ଼ିଶା ସରକାର ମଧ୍ୟ ସ୍ଥିତି ଦେଖି ସହରରୁ ଲକଡାଉନ କୋହଳ କରିବେ ।

