୧୮ରୁ ୨୧ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ, ୧୮ରୁ ଦକ୍ଷିଣ ଓଡ଼ିଶାରେ ହେବ ପ୍ରାକ୍ ମୌସୁମୀ ବର୍ଷା

ଭୁବନେଶ୍ୱର: ଆସନ୍ତା ୧୮ ରୁ ୨୧ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ । ମୌସୁମୀ ଅଗ୍ରସର ନେଇ ଅନୁକୂଳ ହୋଇଛି ପାଗ । ଭୀଷଣ ବାତ୍ୟା ବିପର୍ଯ୍ୟୟ ଲ୍ୟାଣ୍ଡଫଲ ପରେ ଏନେଇ ମିଳିବ ସ୍ପଷ୍ଟ ସୂଚନା । ଓଡ଼ିଶାକୁ ପ୍ରବେଶ କରିବ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ । ପ୍ରଭାବରେ ୧୮ରୁ ଦକ୍ଷିଣ ଓଡ଼ିଶାରେ ଆରମ୍ଭ ହେବ ପ୍ରାକ୍ ମୌସୁମୀ ବର୍ଷା । ବର୍ଷା ପ୍ରଭାବରେ ରାଜ୍ୟରେ ବଦଳିବ ପାଗ । ଆସନ୍ତା ୧୮ ଯାଏଁ ପଶ୍ଚିମ ଓଡ଼ିଶାରେ ସିଭିୟର ହିଟଓ୍ବେଭ ଆଲର୍ଟ ଜାରି ହୋଇଛି । ସ୍ବାଭାବିକଠାରୁ ୬.୫ ଡିଗ୍ରୀ ଉପରେ ରହିବ ପାରଦ । ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ବୌଦ୍ଧ, ବଲାଙ୍ଗୀର, ସୋନପୁରକୁ ସତର୍କତା ଜାରି ହୋଇଛି । ୧୬ ତାରିଖରୁ ଉପକୂଳରେ ବି ବଢ଼ିବ ତାତି । ତାତି ସହ ଅସହ୍ୟ ଗୁଳୁଗୁଳିରେ ସନ୍ତୁଳି ହେବେ ଲୋକେ । ୪୮ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ଅନୁଭୂତ ହେବ ଅସ୍ବାଭାବିକ ପାଗ ।

ଦିନ ସହ ବଢିବ ରାତିର ତାପମାତ୍ରା । ଉଷ୍ମ ରାତି ପାଇଁ ସମ୍ବଲପୁର, ବରଗଡ଼, ଝାରସୁଗୁଡା, ବଲାଙ୍ଗୀର, ବୌଦ୍ଧକୁ ଚେତାବନୀ ଦିଆଯାଇଛି । ସ୍ବାଭାବିକଠାରୁ ୪.୫ ଡିଗ୍ରୀ ଉପରେ ରହିବ ରାତିର ତାପମାତ୍ରା । ଦିନରେ ଭୀଷଣ ଗ୍ରୀଷ୍ମପ୍ରବାହ ଏବଂ ଉଷ୍ମ ରାତିରେ ହେବ ଅସ୍ବାଭାବିକ ସ୍ଥିତି ରହିବ । ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।