ନାହିଁ ନାହିଁର ଗାଁ ଡଙ୍ଗାମରା , ଏଠାକୁ ଅପହଞ୍ଚ ସରକାରୀ ଯୋଜନା

ବଲାଙ୍ଗୀର : ସମସ୍ଯା ଘେରରେ ଗାଁ । ପହଞ୍ଚି ପାରିନି ସରକାରୀ ଯୋଜନା । ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀ । ନାଁ ଅଛି ଗାଁକୁ ରାସ୍ତା, ନାଁ ଅଛି ବିଦ୍ଯାଳୟ କି ଅଙ୍ଗନାବାଡି କେନ୍ଦ୍ର । ନାଁ ଗାଁରେ ଅଛି ବିଦ୍ଯୁତ, ନା ଲୋକଙ୍କୁ ମିଳିଛି ପାନୀୟ ଜଳ। ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ବଡ ଡକଲା ପଂଚାୟତ ଡଙ୍ଗାମରା ଗାଁର ଦୁର୍ଦ୍ଦଶା କହିଲେ ନସରେ । ଗାଁରେ ପ୍ରାୟ ୪୦ଟି ପରିବାର ରହୁଛନ୍ତି । ଏଥି ମଧ୍ୟରୁ କିଛି ପହରିଆ ସଂପ୍ରଦାୟର ପରିବାର ଥିବା ବେଳେ ବାକିତକ ଆଦିବାସୀ ପରିବାର ରହୁଛନ୍ତି । ହେଲେ ଗାଁକୁ ଯିବାକୁ ରାସ୍ତା ନଥିବାରୁ ବଡ ଡକଲା ଗାଁରୁ ଡମନୀଚୁଆ ଗାଁ ରାସ୍ତା ଦେଇ ୩ କିଲୋମିଟର ଜଙ୍ଗଲ ରାସ୍ତା ଦେଇ ଯିବାକୁ ପଡେ । ଫଳରେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଗାଁକୁ ରାସ୍ତା ନଥିବାରୁ ରୋଗୀ ଓ ଗର୍ଭବତୀଙ୍କୁ ୪ କିଲୋମିଟର ଦୂର ନୂଆପଡା ଜିଲ୍ଲାର ଭରୁଆମୁଣ୍ଡାକୁ ଭାରରେ ବୋହି ନେବା ପରେ ସେଠାରୁ ଗାଡି ବ୍ୟବସ୍ଥା କରି କୋମନା ପ୍ରାଥମିକ ଚିକିତ୍ସାଳୟକୁ ନିଆଯାଇଥାଏ । ଗାଁରେ ଅଙ୍ଗନବାଡି ଓ ବିଦ୍ୟାଳୟର ସୁବିଧା ନାହିଁ । ତେଣୁ ଭରୁଆମୁଣ୍ଡାକୁ ଚାଲିଚାଲି କିଛି ପିଲା ଗାଁରୁ ଯାଉଛନ୍ତି । ହେଲେ ବର୍ଷା ଦିନେ ପାଠପଢା ଠପ ହୋଇଯାଉଛି । ରାସ୍ତା ଖରାପ ଯୋଗୁଁ ପରିବାର ଲୋକେ ପିଲାମାନଙ୍କୁ ସ୍କୁଲ ଛାଡୁନାହାଁନ୍ତି । ଫଳରେ ଅନ୍ଧାରରେ ରହୁଛି ପିଲାଙ୍କ ଭବିଷ୍ଯତ । ହେଲେ ଏପର୍ଯ୍ଯନ୍ତ ଗାଁକୁ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚୁନଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସେପଟେ ଖୁବ୍ ଶୀଘ୍ର ସମସ୍ଯାର ସମାଧାନ କରାଯିବ ବୋଲି ବିଡିଓ ପ୍ରତିଶୃତି ଦେଇଛନ୍ତି ।