ରଜକୁ ଫିକା କରିବ ଗୁଳୁଗୁଳି, ନାହିଁ ବର୍ଷାର ସମ୍ଭାବନା

ଭୁବନେଶ୍ବର: ଏଥର ଗରମ ଗୁଳୁଗୁଳିରେ କଟିବ ରଜ । ରଜରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସମ୍ଭାବନା । ଏନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପଶ୍ଚିମ ଓଡ଼ିଶାରେ ପ୍ରବଳ ଖରା ଜାରି ରହିବା ନେଇ ସତର୍କତା ଜାରି କରାଯାଇଛି । ରଜ ପୂର୍ବରୁ ସକ୍ରିୟ ହେବନି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଜୁନ ୮ରେ ମୌସୁମୀ ଓଡିଶା ଛୁଇଁଥିଲେ ବି ଆଗକୁ ଅଗ୍ରସର ହୋଇ ପାରିଲାନି । ଏବେ ମାତ୍ର ଦୁଇ ଜିଲ୍ଲା କୋରାପୁଟ ଓ ମାଲକାନଗିରିକୁ ଛୁଇଁଛି ମୌସୁମୀ । ୩ରୁ ୪ ଦିନ ମଧ୍ୟରେ ହିଁ ମୌସୁମୀ ଆଗକୁ ବଢିବାକୁ ପାଗ ଅନୁକୂଳ ରହିଛି । ଅନ୍ଯପଟେ ଜୁନ୍ ୧ ତାରିଖରୁ ଆଜି ଯାଏଁ ୧୯ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିବା ପାଣିପାଗ କେନ୍ଦ୍ର ତରଫରୁ କୁହାଯାଇଛି ।

ତେବେ କାଁ ଭାଁ କାଳବୈଶାଖୀ ହେବାର ସମ୍ଭାବନା ରହିଛି । ତଥାପି ତାତିବ ପଶ୍ଚିମ ଓଡ଼ିଶା । ଶୁକ୍ରବାର ପ୍ରବଳ ଗ୍ରୀଷ୍ମପ୍ରବାହ ନେଇ ୮ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ୧୪ରୁ ୧୭ ହଟ୍ ଆଣ୍ଡ ହ୍ୟୁମିଡ୍ ସ୍ଥିତି ପାଇଁ ସତର୍କ କରାଯାଇଛି । ୩ରୁ ୪ ଦିନ ମଧ୍ୟରେ ଆଗକୁ ବଢିବ ମୌସୁମୀ । ମୌସୁମୀ ସକ୍ରିୟ ହେଲେ ନିଅଣ୍ଟିଆ ଭରଣା କରିବା ଆଶା କରାଯାଇଛି । ୪ ଦିନ ପର୍ଯ୍ୟନ୍ତ ଗରମ ଗୁଳୁଗୁଳୁରି ନିସ୍ତାର ମିଳିବ ନାହିଁ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର ।

ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ, ସୋନପୁର ଓ ବୌଦ୍ଧକୁ ୟେଲୋ ଆଲର୍ଟ ଜାରି କରାଯାଇଥିବା ବେଳେ ଉତ୍ତର ଓ ଉପକୂଳ ଓଡ଼ିଶାର ୧୧ଟି ଜିଲ୍ଲାକୁ ହଟ୍ ଆଣ୍ଡ ହ୍ୟୁମିଡ୍ ସ୍ଥିତି ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ସ୍ବାଭାବିକ ସମୟର ୪ ଦିନ ପୂର୍ବରୁ ମୌସୁମୀ ଓଡ଼ିଶା ଛୁଇଁଥିଲେ ମଧ୍ୟ ଆଗକୁ ବଢିବାକୁ ବଳ ପାଉନି । ଏବେ ଦୁଇଟି ଜିଲ୍ଲା କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଅଟକି ଯାଇଛି ମୌସୁମୀ । ଆସନ୍ତା ୪ ଦିନ ମଧ୍ୟରେ କାଳବୈଶାଖୀ ବର୍ଷା ବଢିବା ସହ ମୌସୁମୀ ଆଗକୁ ବଢିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ସେପଟେ ଜୁନ୍ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୪୦.୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଏହି ସମୟ ମଧ୍ୟରେ ୬୬.୧ ମିଲିମିଟର ବର୍ଷା ରେକର୍ଡ ହେବା କଥା । ଯାହା ସ୍ବାଭାବିକ ବର୍ଷାଠାରୁ ୨୮ ପ୍ରତିଶତ କମ୍ । ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧୧ଟି ଜିଲ୍ଲାରେ ସ୍ବାଭାବିକ କିମ୍ବା ତା’ଠାରୁ ଅଧିକ ବର୍ଷା ରେକର୍ଡ ହୋଇଥିବା ବେଳେ ୧୯ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି ।