ରାଜ୍ୟ ପାଳୁଛି ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ, କଳିଙ୍ଗ ଷ୍ଟାଡିୟମରୁ ବାହାରିଲା ସଚେତନତା ମାରାଥନ

ଭୁବନେଶ୍ୱର: ଆଜି ଓଡ଼ିଶା ପାଳୁଛି ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ତଥା ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ। ଏହି ଅବସରରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି ଅବସରରେ କଳିଙ୍ଗ ଷ୍ଟାଡିୟମ ପରିସରରୁ ଏକ ସଚେତନତା ମାରାଥନ ଆୟୋଜିତ ହୋଇଥିଲା। ମାରାଥନକୁ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଓ ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଦିଲିପ ତିର୍କୀ ଅତିଥି ଭାବେ ଯୋଗ ଦେଇ ପତାକା ଦେଖାଇ ଉଦଘାଟନ କରିଥିଲେ। ମାରାଥନରେ ବହୁ ସଂଖ୍ୟାରେ ଯୁବପିଢ଼ି ସାମିଲ ହୋଇଥିଲେ।
ଏହି ମିନି ମାରାଥନ କାଲିଙ୍ଗ ଷ୍ଟାଡିୟମରୁ ବାହାରି ରାଜଭବନ ପର୍ଯ୍ୟନ୍ତ ଯାଇ ପୁଣି ଷ୍ଟାଡିୟମକୁ ଫେରିଥିଲା। ବିପର୍ଯ୍ୟୟ ପରିଚାଳନା ଓ ମୁକାବିଲା କ୍ଷେତ୍ରରେ ଓଡିଶା ସମଗ୍ର ଦେଶ ପାଇଁ ଉଦାହରଣ। ଆଗୁଆ ସୂଚନା ନଥିବାରୁ କୌଣସି ପ୍ରାକ ପ୍ରସ୍ତୁତି ନଥିବା କାରଣରୁ ୧୯୯୯ ମହାବାତ୍ୟାରେ ହଜାର ହଜାର ସଂଖ୍ୟାରେ ଲୋକଙ୍କ ଜୀବନହାନି ଘଟିଥିଲା। ତେବେ ତାହା ପରଠାରୁ ଜଳବାୟୁ ଓ ପାଣିପାଗ ସମ୍ପର୍କିତ ଅତ୍ୟାଧୁନିକ ଜ୍ଞାନକୌଶଳ ଯୋଗୁଁ ୧୯୯୯ପରଠାରୁ ସର୍ବଦା ଜିରୋ କାଜୁଆଲିଟି ଲକ୍ଷ୍ୟ ହାସଲ ହୋଇଛି।