ଚୀନରେ ବିଗୁଡୁଛି ମହାମାରୀ ସ୍ଥିତି, ଦୈନିକ ହଜାର ହଜାର ଲୋକଙ୍କ ମୃତ୍ୟୁ ରେକର୍ଡ

ବେଜିଂ: ଚୀନରେ ବିଗୁଡ଼ୁଛି କରୋନା ସ୍ଥିତି । ହଲି ଡେ’ରେ ୩୬ ହଜାର ଛୁଇଁବ ଦୈନିକ କରୋନା ମୃତ୍ୟୁ ସଂଖ୍ୟା । ମହାମାରୀର ଅତି ଭୟାନକ ସ୍ଥିତି ଦେଇ ଗତି କରୁଛି ଚୀନ । କରୋନା କାଳ ଆରମ୍ଭ ପରଠାରୁ ପ୍ରଥମ ଥର ଲାଗି ଚୀନରେ ଏପରି ସ୍ଥିତି ଉପୁଜିଛି । ଗତ ଡିସେମ୍ବର ୨୯ରେ ଚୀନରେ ୧୧ ହଜାର କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିଲା । ବିଶ୍ବର ସର୍ବାଧିକ ଜନବହୁଳ ରାଷ୍ଟ୍ରରେ ଜିରୋ କୋଭିଡ ପଲିସି ହଟିବା ପରେ ସଂକ୍ରମଣ ପିକରେ ପହଞ୍ଚିଛି ବୋଲି ବ୍ରିଟେନର ଏକ ରିସର୍ଚ୍ଚ ଫାର୍ମ ରିପୋର୍ଟ ଦେଇଛି । ଆଗାମୀ ଦିନରେ ସ୍ଥିତି ଆହୁରି ଖରାପ ଆଡ଼କୁ ଯିବା ଆଶଙ୍କା ରହିଛି ।

ଚାଇନିଜ ନୂଆବର୍ଷ ଛୁଟି ଯୋଗୁ ଲୋକମାନେ ନିଜ ନିଜ ଘରକୁ ଫେରୁଥିବାରୁ ସଂକ୍ରମଣ ଅତି ମାତ୍ରାରେ ବଢ଼ିପାରେ । କରୋନା ଭୂତାଣୁ ସଂକ୍ରମିତଙ୍କ ମଧ୍ୟରୁ ଅଧିକାଂଶ ଗୁରୁତର ହୋଇପଡ଼ୁଥିବାରୁ ହସ୍ପିଟାଲ ଗୁଡ଼ିକରେ ମଧ୍ୟରେ ସ୍ଥିତି ଖରାପ ହୋଇଛି । ବେଡ୍‌ ଅଭାବ ସାଙ୍ଗକୁ ମେଡିକାଲ କର୍ମଚାରୀ ସଙ୍କଟ ଯୋଗୁ କରୋନା ରୋଗୀ ଉପଯୁକ୍ତ ଚିକିତ୍ସା ପାଇପାରୁନାହାନ୍ତି । ହସ୍ପିଟାଲରେ ଭିଡ଼ ଓ ଚିକିତ୍ସା ଅଭାବରୁ ମଧ୍ୟ ଅନେକ ଆକ୍ରାନ୍ତଙ୍କର ମୃତ୍ୟୁ ହେଉଛି । ଡିସେମ୍ବର ଶେଷ ସୁଦ୍ଧା ଚୀନରେ ୬ ଲକ୍ଷରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ମିଳିଥିଲେ ବି ସରକାରୀ ରିପୋର୍ଟରେ  ମୃତ୍ୟୁ ସଂଖ୍ୟା ବହୁ କମ୍ ଦର୍ଶାଇଛନ୍ତି ଚୀନ ସରକାର ।