ସୁପର ସଣ୍ଡେରେ ବାରବାଟୀରେ ସୁପର ଫାଇଟ୍, ରୋମାଞ୍ଚକର ମ୍ୟାଚ ଅପେକ୍ଷାରେ କ୍ରିକେଟପ୍ରେମୀ

1 min read

କଟକ: ଉତ୍ସାହ…ଉତ୍କଣ୍ଠା….ଅପେକ୍ଷା । ବଢ଼ୁଛି ଦର୍ଶକଙ୍କ ହାର୍ଟବିଟ୍ । ଆଜି ସନଡେରେ ବାରବାଟୀରେ ଦେଖିବାକୁ ମିଳିବ ସୁପର ଫାଇଟ୍ । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଦ୍ବିତୀୟ ଟି ଟ୍ବେଣ୍ଟି ମ୍ୟାଚ ଖେଳାଯିବ । ରୋମାଞ୍ଚକର ମ୍ୟାଚ ଅପେକ୍ଷାରେ କ୍ରିକେଟପ୍ରେମୀ । ପ୍ରଥମ ମ୍ୟାଚ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରହିଛି ଟିମ୍ ଇଣ୍ଡିଆ । ଗତକାଲି ଉଭୟ ଦଳର ଖେଳାଳି ବାରବାଟୀ ଷ୍ଟାଡିୟମରେ ଅଭ୍ୟାସ କରିଛନ୍ତି । ବାରବାଟୀ ‘ପିଚ୍’କୁ ପରଖିବା ସହ ଜୋରଦାର ଅଭ୍ୟାସ କରି ଝାଳ ବୁହାଇଛନ୍ତି ଦୁଇ ଦେଶର ଖେଳାଳି ।

ଟି-୨୦ ସିରିଜର ପ୍ରଥମ ମ୍ୟାଚ ଜିତି ଥିବାରୁ ଦକ୍ଷିଣ ଆଫ୍ରିକା ଟିମର ମନୋବଳ ଦୃଢ଼ ରହିଛି । ଆଜି ଦ୍ବିତୀୟ ମ୍ୟାଚରେ କିପରି ଟିମ୍ ଇଣ୍ଡିଆକୁ ମାତ୍ ଦେବେ, ଏ ନେଇ ରଣନୀତି ପ୍ରସ୍ତୁତ କରିଛି ଦଳ । ସେହିପରି ଆଜିର ମ୍ୟାଚରେ ଭାରତ ପ୍ରତ୍ୟାବର୍ତ୍ତନ କରିବ ବୋଲି କହିଛନ୍ତି ଟିମ୍ ଇଣ୍ଡିଆ ପେସର ଭୁବନେଶ୍ବର କୁମାର । ମ୍ୟାଚରେ ଟସ୍ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ ବୋଲି ଅଭ୍ୟାସ ପରେ ଦକ୍ଷିଣ ଆଫ୍ରିକା ଖେଳାଳି ଓ୍ବେନ ପାର୍ନେଲ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ।