ଚାଷୀଙ୍କ ନିଦ ହଜାଇଛି ନିଅଣ୍ଟିଆ ବର୍ଷା, ଗୋରୁଙ୍କ ଚରାଭୂଇଁ ପାଲଟିଛି ଚାଷଜମି

ଆସିକା: ନିଆଣ୍ଟିଆ ବର୍ଷା ଚାଷୀଙ୍କ ନିଦ ହଜାଇ ଦେଇଛି । ଚାଷ ଜମି ଫାଟି ଆଁ କଲାଣି । ତଳି ସବୁ ଜଳି ମରିବାକୁ ବସିଲାଣି । ଏବେ ଧାରକରଜ କରି ଚାଷ କରିଥିବା ଚଷାପୁଅ ମୁଣ୍ଡରେ ହାତଦେଇ ବସିଛି । ମୌସୁମୀ ବର୍ଷାର ଲୁଚକାଳି ଯୋଗୁ ଏବେ ଗଞ୍ଜାମ ଜିଲ୍ଲା ଆସିକା ବ୍ଲକରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଚଳିତ ବର୍ଷ କୃଷି ବିଭାଗ ପକ୍ଷରୁ ୫୬୬ ହେକ୍ଟର ଚାଷ ଜମିରେ ତଳି ପଡ଼ିବା ନେଇ ଧର୍ଯ୍ୟ କରାଯାଇଥିଲା । ହେଲେ ଆଜି ସୁଦ୍ଧା ୩୧୫ ହେକ୍ଟର ଚାଷ ଜମିରେ ତଳି ପଡ଼ିଛି । ସେହିଭଳି ୧ ହଜାର ୫୫୭ ହେକ୍ଟର ଚାଷ ଜମିରେ ଧାନ ବୁଣା ପାଇଁ ସ୍ଥିର ହୋଇଥିବା ବେଳେ ଆଜି ସୁଦ୍ଧା ୧ ହଜାର ୩୨୩ ହେକ୍ଟର ଚାଷ ଜମିରେ ଧାଣ ବୁଣା ଯାଇଛି  । ଯେତକ ତଳି ବା ବୁଣାଯାଇଛି ତାହା ନିଅଁଣ୍ଟିଆ ବର୍ଷା ପାଇଁ ମରିବାକୁ ବସିଲାଣି ।

ସେପଟେ ନିଅଣ୍ଟିଆ ବର୍ଷା ଯୋଗୁ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକରେ ବି ଗଜା ମରୁଡି ସ୍ଥିତି ସୃଷ୍ଟି ହୋଇଛି । ଯେଉଁ ଚାଷ ଜମିରେ ସୁନାର ଫସଲ ଖେଳିବା କଥା ସେହି ଚାଷ ଜମି ଏବେ ଗୋରୁ ଗାଇଙ୍କ ଚରାଭୂଇଁ ପାଲଟିଛି । ଜୁନ ମାସରେ ଏକର ଏକର ଚାଷ ଜମିରେ ଚାଷ କରିଥିଲେ ଚାଷୀ । ହେଲେ ବର୍ଷା ଅଭାବରୁ ଧାନ ଫସଲ ନଷ୍ଟ ହେବାକୁ ବସିଲାଣି । ଯେଉଁ ସମୟ ତଳି ବେଉଷଣ ହେବା କଥା ସେହି ସମୟରେ ଚାଷୀ ହାତ ବାନ୍ଧି ବସିଛି । ଧାରା ଶ୍ରାବଣରେ ମୌସୁମୀର ଲୁଚକାଳି ଏବେ ଚାଷୀଙ୍କୁ ହତାସ କରିଛି । ଧାର କରଜ କରି ଚାଷ କରିଥିବା ଚଷାପୁଅ ଏବେ ହତାସ ହୋଇ ବସିଛି ।