ଝିଅ ଓ ଯୌତୁକ ପାଇଁ ମାଆକୁ ମାରିଦେଲେ, ପୋଲିସର ତଦନ୍ତ

ସାଲେପୁର: ଝିଅ ଜନ୍ମ ଦେଲାରୁ ମାଆକୁ ମାରିଦେଲେ । ଯୌତୁକ ରାଗ ଓ ଦୁଇଟି ଝିଅ ହେଲା ବୋଲି ବୋହୂକୁ ନିର୍ଯାତନା ଦେଇ ଜୀବନରୁ ମାରିଦେଲେ ଶାଶୂଘର ଲୋକ । ଏଭଳି ଅଭିଯୋଗ ଆସିଛି କଟକ ଜିଲ୍ଲା ସାଲେପୁର ନଈଗୁଆଁ ଗାଁରୁ । ନଈଗୁଆଁ ଗାଁ’ର ବିଜୟ ମହାରଣାଙ୍କୁ ଲୁଣାହାର ଗାଁ’ର ବଟ ଓଝାଙ୍କ ଝିଅ ରୀନା ୭ ବର୍ଷ ପୂର୍ବେ ବିବାହ କରିଥିଲେ । ବିବାହ ସମୟରେ ଲକ୍ଷାଧିକ ଟଙ୍କା ସହ ସମସ୍ତ ଯୌତୁକ ସାମଗ୍ରୀ ଦିଆଯାଇଥିଲା । ତେବେ ଶାଶୂଘର ଲୋକ ସବୁବେଳେ ଆହୁରି ଅଧିକ ଯୌତୁକ ଦାବି କରି ଆସୁଥିଲେ । ବିବାହ ପରେ ଗୋଟିଏ ଝିଅ ଜନ୍ମ ହୋଇଥିଲା । ୭ ମାସ ତଳେ ଆଉ ଗୋଟିଏ ଝିଅ ହେବାରୁ ରୀନାଙ୍କୁ ଆହୁରି ଅତ୍ୟାଚାର କରି ଶାଶୂଘର ଲୋକ ମାରି ଦେଇଥିବା ସାଲେପୁର ଥାନାରେ ଅଭିଯୋଗ ହୋଇଛି । ଏତଲା ପରେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପୋଲିସ ଓ ତହସିଲଦାର ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି । ଏହି ଘଟଣାରେ ଅଭିଯୁକ୍ତମାନଙ୍କୁ ପୋଲିସ ଖୋଜୁଛି ।