ପୁଣି ଗୋପାଳର ମାନସିକ ସ୍ଥିତି ଯାଞ୍ଚ କରୁଛି ଡାକ୍ତରୀ ଦଳ

ଝାରସୁଗୁଡ଼ା : ଗୋପାଳ ମୁହଁରୁ ସତ ଆଦାୟ କରିବାକୁ ଛାନବିନ ଚଳାଇଛି କ୍ରାଇମବ୍ରାଞ୍ଚ । ସବୁ ଦିଗରୁ ତଦନ୍ତ କରି ଅଭିଯୁକ୍ତକୁ ହେଉଛି ଘନଘନ ଜେରା । ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡର ଆଜି ହେଉଛି ତୃତୀୟ ଦିନ । ଗୋପାଳର ମାନସିକ ସ୍ଥିତି ଯାଞ୍ଚ ପାଇଁ ଝାରସୁଗୁଡ଼ାରେ ପହଞ୍ଚିଛନ୍ତି ନିମହାନ୍ସ ଟିମ୍ ।

ଆଜି ଅଭିଯୁକ୍ତର ପୁଣି ହେବ ମାନସିକ ପରୀକ୍ଷା । ରିମାଣ୍ଡ ଅବଧି ସରୁଥିବା ବେଳେ ତଦନ୍ତକୁ ଆହୁରି ଜୋରଦାର କରିଛି କ୍ରାଇମବ୍ରାଞ୍ଚ । ବୈଷୟିକ ଜ୍ଞାନ କୌଶଳର ସହାୟତାରେ ହତ୍ୟା ମାମଲାର ପର୍ଦ୍ଦାଫାସ ପାଇଁ ଉଦ୍ୟମ ହେଉଛି । ଲଗାତାର ଗତ ଦୁଇ ଦିନ ଗୋପାଳର ଏଲଭିଏ ଟେଷ୍ଟ କରାଯାଇଛି । ତଦନ୍ତରେ ଅଭିଯୁକ୍ତ କିଛି ସତ ଲୁଚାଉଛି । ଯାହାକୁ ଜାଣିବାକୁ ଏଲଭିଏ ଟେଷ୍ଟ ରିପୋର୍ଟକୁ ଅପେକ୍ଷା କରାଯାଇଛି ।

ଅନ୍ୟପଟେ ଖୁବଶୀଘ୍ର ହୋଇପାରେ କ୍ରାଇମସିନ ରିକ୍ରିଏସନ । ଆସନ୍ତାକାଲି ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡର ଶେଷ ଦିନ ଥିବାରୁ ଗୋପାଳ ମୁହଁରୁ ସତ ଆଦାୟ ପାଇଁ ଉଦ୍ୟମ ଚଳାଇଛି ତଦନ୍ତକାରୀ ଟିମ୍ । ଅନ୍ୟପଟେ ଆଜି ଝାରସୁଗୁଡ଼ା ଯିବେ ଜଷ୍ଟିସ ଜେ.ପି ଦାସ । ଅପରାହ୍ନ ସାଢ଼େ ୪ଟାରେ ଭୁବନେଶ୍ବରରୁ ବିମାନ ଯୋଗେ ଜଷ୍ଟିସ ଜେ.ପି ଦାସ ଝାରସୁଗୁଡ଼ା ଯିବେ ।

ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଜେ.ପି. ଦାସ, ନବକିଶୋର ଦାସ ହତ୍ୟା ଘଟଣା ତଦନ୍ତର ତଦାରଖ କରୁଛନ୍ତି । ଆଜି ଜଷ୍ଟିସ ଜେ.ପି ଦାସ ଝାରସୁଗୁଡ଼ାରେ ପହଞ୍ଚିବା ପରେ ଆସନ୍ତାକାଲି କ୍ରାଇମସ୍ପଟ୍‌ ବ୍ରଜରାଜନଗରକୁ ଯିବେ ।