୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଆଜି ଆସିବ କାମଚଳା ବଜେଟ୍‌, ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ

1 min read

ଭୁବନେଶ୍ୱର: ଆଜି ବିଧାନସଭାରେ ଆଗତ ହେବ କାମଚଳା ବଜେଟ୍ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟ୍‌ ଉପସ୍ଥାପନ କରିବେ । କାମଚଳା ବଜେଟ ପରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ହେବ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପ୍ରଥମେ ବାର୍ଷିକ ବଜେଟ ଆକଳନ ଗୃହରେ ଉପସ୍ଥାପନ କରିବେ । ଏହା ପରେ ଅନ୍ୟ ଏକ ପ୍ରସ୍ତାବରେ ଅର୍ଥମନ୍ତ୍ରୀ ୧ ଲକ୍ଷ ୬ ହଜାର ୪୯୭ କୋଟିର ଭୋଟ ଅନ୍ ଆକାଉଣ୍ଟ ଗ୍ରାଣ୍ଟ ଗୃହରେ ଅନୁମତି ପାଇଁ ଉପସ୍ଥାପନ କରିବେ । ଏହା ଆସନ୍ତାକାଲି ବ୍ୟୟ ମଞ୍ଜୁର ବିଲ୍ ଆକାରରେ ଅନମୋଦନ ଲାଭ କରିବ । ତେବେ ଆସନ୍ତା ଆର୍ଥିକ ବର୍ଷ ପାଇଁ ଦୁଇ ଲକ୍ଷ କୋଟିର ବଜେଟ ଆକଳନ କରାଯାଇଛି । ପାଖାପାଖି ଏକ ଲକ୍ଷ କୋଟିର କାମଚଳା ବଜେଟ ସରକାର ଆଣିବେ । ୩୧ତାରିଖରେ ଗୃହରେ ବ୍ୟୟ ମଞ୍ଜୁରୀ ବିଲ ପାରିତ କରାଯିବ । ଅନ୍ୟପକ୍ଷରେ ଆଜି ପ୍ରଶ୍ନକାଳରେ କୃଷି ଓ କୃଷକ ସଶକ୍ତି କରଣ, ଯୋଗାଣ ଓ ଖାଉଟି କଲ୍ୟାଣ, ଗଣଶିକ୍ଷା, ଉଚ୍ଚଶିକ୍ଷା, ଶକ୍ତି, ଶିଳ୍ପ, ସମବାୟ, ସୂକ୍ଷ୍ମ,କ୍ଷୁଦ୍ର ଓ ମାଧ୍ୟମ ଉଦ୍ୟୋଗ ବିଭାଗର ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ରହିଛି ।