ବାଲେଶ୍ୱର ଖଇରା ବ୍ଲକ ବାରିଙ୍ଗିଆ ଗାଁରେ ଚାଞ୍ଚଲ୍ୟ, ପ୍ରେତାତ୍ମା କହୁଛି ମୃତ୍ୟୁର ରହସ୍ୟ

ବାଲେଶ୍ୱର: ମୁଁ ପ୍ରେତାତ୍ମା କହୁଛି…। ପ୍ରେତାତ୍ମା କହୁଛି ହତ୍ୟା ରହସ୍ୟ । ଆଜିର ବିଜ୍ଞାନ ଯୁଗରେ ବି ବଞ୍ଚିଛି ଭୌତିକ କାଣ୍ଡ । ସ୍ପିରିଟ୍ କହୁଛି କେମିତି ହୋଇଥିଲା ନୃଶଂସ ହତ୍ୟା । ଏ ଦୃଶ୍ୟ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ବାରିଙ୍ଗିଆ ଗାଁରେ । ଗତ ଜୁଲାଇ ୨୪ ତାରିଖରେ ଜଣେ ନାବାଳିକାଙ୍କୁ ପୋଡି ମାରି ଦେଇଥିଲା ସଇତାନ ସମ୍ପର୍କୀୟ ଦାଦା । ହତ୍ୟାକାରୀ ଦୟାନିଧି ଜେନାକୁ ପୋଲିସ କୋର୍ଟ ଚାଲାଣ କରିସାରିଛି । ଦୟାନିଧିର ସ୍ତ୍ରୀକୁ ଗିରଫ କରି ସୁଧାର ଗୃହରେ ରଖାଯାଇଛି । ହେଲେ ମାସେ ପରେ ପୁଣି ଗାଁରେ ମୃତ ନାବାଳିକାକୁ ନେଇ ହଇଚଇ । ପଡ଼ୋଶୀ ଘର ଝିଅ ଦେହରେ ଲାଗିଛି ମୃତ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମା । କଣ୍ଠଫଠେଇ କାନ୍ଦି କାନ୍ଦି ଝିଅଟି କହୁଛି, ସେଦିନର ସେ ଲୋମହର୍ଷକ ଘଟଣା । କେମିତି ସ୍ବାମୀ ସ୍ତ୍ରୀ କରିଥିଲେ ନୃଶଂସ ହତ୍ୟା ।

ସ୍ତ୍ରୀ ଘରକୁ ଡ଼ାକି ଗୋଡ଼ହାତ ବାନ୍ଧି ମୁହଁରେ ଗାମୁଛା ବାନ୍ଧି ଦେଇଥିଲା । ତାପରେ ତଣ୍ଟି ଚିପିଦେବା ପରେ ଆଉ କିଛି ଜାଣିନଥିବା କହିଛି ପ୍ରେତାତ୍ମା । ଆଉ କୋହଭରା କଣ୍ଠରେ ମା’କୁ ଦେଖା କରିବାକୁ ଆସିଥିବା କହୁଛି । କାନ୍ଦି କାନ୍ଦି ମା’କୁ ଦେଖିବାକୁ ଅଳି କରୁଛି । ସେଦିନ କେହି ତାକୁ ବଞ୍ଚେଇ ପାରିଲନି ବୋଲି କହି ଜୋରରେ କାନ୍ଦୁଛି । ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏହି ଘଟଣାକୁ ନେଇ ଗାଁରେ ଚାଞ୍ଚଲ୍ୟ ଖେଳିଯାଇଛି । ଦୀର୍ଘ ଦେଢ଼ ଘଣ୍ଟା ଧରି ସ୍ପିରିଟ୍ ସମ୍ପୃକ୍ତ ଝିଅ ଦେହରେ ସବାର ହେବାରୁ କଲେଜ ଛାତ୍ରୀ ଅସୁସ୍ଥ ଥିବା ସୂଚନା ମିଳିଛି ।