୧୯୬୭ର ସେଇ ଯୁଦ୍ଧ ଯେଉଁଥିରେ ଚୀନ୍ ସୈନିକ ପିଠି ଦେଖାଇ ମୈଦାନ୍ ଛାଡିଥିଲେ,ସେବେଠାରୁ ଗୁଳି ମାରିବା କଥା ଭୁଲି ଯାଇଛି ଚୀନ୍

1 min read

୧୯୬୨ରେ ଚୀନ ହାତରେ ପରାଜୟ କଥା ସମସ୍ତେ ଜାଣନ୍ତି । ତେଣୁ ଯେତେବେଳେ ବି ଯୁଦ୍ଧ କଥା ଉଠେ ସେତେବେଳେ ଡ୍ରାଗନ୍ ଭାରତଠାରୁ କେତେ ଶକ୍ତିଶାଳୀ ସେକଥାକୁ ନେଇ ଆଲୋଚନା ଚାଲେ । ଚୀନର ସେନା ବିଶାଳ,ତା’ପାଖରେ ଅତ୍ୟାଧୁନିକ ଅସ୍ତ୍ର ଅଛି ଇତ୍ୟାଦି ଇତ୍ୟାଦି କୁହାଯାଏ । କିନ୍ତୁ ଇତିହାସର ଏମିତି ଗୋଟିଏ ଯୁଦ୍ଧକୁ ଭାରତର ଅଧିକାଂଶ ନାଗରିକ ଭୁଲି ଯାଇଛନ୍ତି ଯାହାକୁ ଚୀନ ଭୁଲିନି କିନ୍ତୁ ଭୁଲିବାକୁ ଚାହେଁ । ସେହି ଯୁଦ୍ଧ ୧୯୬୭ ମସିହାରେ ଲଢା ଯାଇଥିଲା । ଯେଉଁଥିରେ ଚୀନ ସେନା ପରାସ୍ତ ହୋଇ ମୈଦାନ ଛାଡିଥିଲା । ୧୯୬୭ ମସିହାରେ ଚୀନକୁ ଭାରତୀୟ ସେନା ଯେଉଁ ଶିକ୍ଷା ଦେଇଥିଲା ତାହାକୁ ଚୀନ୍ ଏପର୍ଯ୍ୟନ୍ତ ମଧ୍ୟ ଭୁଲି ନାହିଁ । ଯେଉଁଥିପାଇଁ ଚୀନ୍ ଭାରତ ବିରୋଧରେ ସିଧସଳଖ ସାମରିକ କାର୍ଯ୍ୟାନୁଷ୍ଠାନରୁ ନିଜକୁ ଏବେ ମଧ୍ୟ ରୋକେ ।

ନାଥୁଲା ଘାଟିରେ ଲଢା ଯାଇଥିବା ସେହି ଯୁଦ୍ଧ ରଣନୈତିକ ଦୃଷ୍ଟିରୁ ବେଶ ଗୁରୁତ୍ୱ ରଖେ । ୧୪ ହଜାର ୨୦୦ ଫୁଟ ଉଚ୍ଚତାରେ ଥିବା ନାଥୁ ଲା ’ ଘାଟି ତିବ୍ବତ-ସିକିମ ସୀମାରେ ଅବସ୍ଥିତ । (ସେତେବେଳେ ସିକିମ୍ ସ୍ୱାଧିନ ରାଷ୍ଟ୍ର ଥିଲା) ଏହି ଘାଟି ଦେଇ ପୁରୁଣା ବ୍ୟବସାୟୀକ ମାର୍ଗ ଯାଏ । ଚୀନ ଏବେ ମଧ୍ୟ ସିକିମକୁ ଭାରତର ଅଂଶ ଭାବେ ଗ୍ରହଣ କରେନାହିଁ । ୧୯୬୫ ଭାରତ ପାକ୍ ଯୁଦ୍ଧ କାଳରେ ଚୀନ ଭାରତକୁ ନାଥୁ ଲା’ ଓ ଜେଲେପ ଲା’ ଘାଟିକୁ ଖାଲି କରିବାକୁ କହିଥିଲା । ଭାରତୀୟ ସେନା ଜେଲେପ ଘାଟିରୁ ହଟିଥିଲା କିନ୍ତୁ ନାଥୁ ଲା ଉପରେ ନିଜ ଆଧିପତ୍ୟ ବଜାୟ ରଖିଥିଲା । ଏବେ ମଧ୍ୟ ଜେଲେପ ଲା’ ଚୀନ୍ କବଜାରେ ଅଛି ।

ନାଥୁ ଲା’କୁ ନେଇ ଦୁଇ ଦେଶ ମୁହାଁମୁହିଁ ହୋଇଥିଲେ । ୧୯୬୭ ମସିହାରେ ନାଥୁ ଲା’ ୨ ଗ୍ରେନେଡିୟର୍ସ ଦାୟିତ୍ୱରେ ଥିଲା । ଏହି ବାଟାଲିୟନର କମାଣ୍ଡିଂ ଅଫିସର ଥିଲେ ଲେ.କର୍ଣ୍ଣଲ (ପରେ ବ୍ରିଗେଡିୟର) ରାୟ ସିଂହ ।

 ଚୀନର ଜଣେ ସୈନିକ ଜାଣିଥିଲେ ଇଂଲିଶ

 

ପେଟ୍ରୋଲିଂ କାଳରେ ଉଭୟ ପକ୍ଷ ମଧ୍ୟରେ ଗାଳିଗୁଲଜ ହେଉଥିଲା । ଗାଳିଗୁଲଜରୁ କଥା ମାରପିଟ୍ ପର୍ଯ୍ୟନ୍ତ ଯାଇଥିଲା । ଚୀନ୍ ସେନାର ଜଣେ ବ୍ୟକ୍ତି ହିଁ ଭଙ୍ଗା ଇଂଲିସ କହି ପାରୁଥିଲେ । କେବଳ ସେହି ବ୍ୟକ୍ତିର କଥାକୁ ଭାରତୀୟ ସୈନିକ ବୁଝି ପାରୁଥିଲେ ।

୬  ସେପ୍ଟେମ୍ବର ୧୯୬୭ ରେ ଭାରତୀୟ ସେନା ଉତ୍ତେଜନା ହ୍ରାସ କରିବାକୁ ନାଥୁ ଲା’ଠାରୁ ସେବୁ ଲା’ ପର୍ଯ୍ୟନ୍ତ ତାରବାଡ ଲଗାଇବା କାମ ଆରମ୍ଭ କରିଥିଲା । ଯେତେବେଳେ ତାର ବାଡ ଦିଆଯିବା ଆରମ୍ଭ ହେଲା ସେତେବେଳେ ଇଂଲିଶ ଜାଣିଥିବା ଚାଇନିଜ୍ ପଲିଟିକାଲ କମିଶାର ରାୟ ସିଂହଙ୍କୁ କାମ ତୁରନ୍ତ ବନ୍ଦ କରିବାକୁ କହିଥିଲା । ଯାହାକୁ ନେଇ ଦୁଇ ପକ୍ଷ ମଧ୍ୟରେ କଥା କଟାକଟି ଆରମ୍ଭ ହୋଇଥିଲା । ଭାରତୀୟ ଯବାନ ଚୀନ ଅଧିକାରୀଙ୍କୁ ଧକ୍କା ମାରିଥିଲେ । ଚୀନ ସୈନିକ ନିଜ ବଙ୍କରକୁ ଫେରିଯାଇଥିଲେ । ଭାରତୀୟ ସୈନିକ ତାରବାଡ ଲଗାଇବା କାମ ଜାରି ରଖିଥିଲେ ।

କିଛି ମିନିଟ୍ ମଧ୍ୟରେ ଚୀନ୍ ସୀମା ଭିତରୁ ହ୍ୱିସିଲ ଶବ୍ଦ ଶୁଭିଥିଲା । ହଠାତ ଚୀନ ସୈନିକ ମିଡିୟମ ମେସିନଗନରୁ ଗୁଳି ମାଡ ଆରମ୍ଭ କରିଥିଲେ । ଭାରତୀୟ ସୈନିକ ଏଭଳି ଆକ୍ରମଣର ଆଶଙ୍କା କରିନଥିଲେ । ନିଜେ ରାୟ ସିଂହ ଆହତ ହୋଇଥିଲେ । ମୁକାବିଲା କରୁଥିବା ଦୁଇ ଜଣ ଭାରତୀୟ ଅଧିକାରୀ ଚୀନ ଗୁଳିରେ ସହିଦ ହୋଇଥିଲେ ।

ପ୍ରଥମ ୧୦ ମିନିଟ୍ ଚୀନ୍ ଭାରି,ତା’ପରେ ଗେମ୍ ବଦଳିଲା

ପ୍ରଥମ ୧୦ ମିନିଟ୍ ଆକ୍ରମଣରେ  ୭୦ ଜଣ ଭାରତୀୟ ସୈନିକ ସହିଦ ହୋଇଥିଲେ । କିନ୍ତୁ ଭାରତୀୟ ସେନାର ପ୍ରତି ଆକ୍ରମଣ ଚୀନ ସେନାକୁ ପଛଘୁଂଚା ଦେଇଥିଲା । ଭାରତ ଭୀଷଣ ଆର୍ଟିଲାରି ମାଡ କରିଥିଲା । ଅନେକ ଚୀନ୍ ବଙ୍କର ଧ୍ୱଂସ ହୋଇଯାଇଥିଲା । ଏହି ଆକ୍ରମଣରେ ୪୦୦ ଚୀନ ସୈନିକ ପ୍ରାଣ ହରାଇଥିଲେ ବୋଲି ପରେ ଚୀନ୍ ସ୍ୱୀକାର କରିଥିଲା । ତିନି ଦିନ ଧରି ଭାରତ ଆର୍ଟିଲାରି ଫାୟାରିଂ ଜାରି ରଖିଥିଲା । ଶେଷରେ ଚୀନ୍ ବାୟୁ ଆକ୍ରମଣର ଧମକ ଦେଇଥିଲା । କିନ୍ତୁ ଭାରତର ରଣନୈତିକ ଉଦ୍ଧେଷ୍ୟ ପୁରା ହୋଇଥିବାରୁ ଭାରତର ଆର୍ଟିଲାରି ଫାୟାରିଂ ବନ୍ଦ କରିଥିଲା ।

ସେହି ବର୍ଷ ଅକ୍ଟୋବର ମାସରେ ମଧ୍ୟ ଚୀନ୍ ସେନା ଚାଓ ଲା’ ଅଂଚଳରେ ଭାରତୀୟ ସେନା ଉପରେ ଆକ୍ରମଣ କରିଥିଲା । କିନ୍ତୁ ସେଠାରେ ମୁତ୍ତୟନ ଥିବା ଗୋର୍ଖା ରେଜିମେଣ୍ଟର ପ୍ରତିଆକ୍ରମଣ ଏତେ ଜୋରଦାର ଥିଲା ଯେ,ସେବେଠାରୁ ଚୀନ୍ ଭାରତୀୟ ପୋଜିସନ୍ ଉପରେ ଆକ୍ରମଣ ପାଇଁ କେବେ ମଧ୍ୟ ଚେଷ୍ଟା କରିନାହିଁ । ଅଧିକରୁ ଅଧିକ ଦୁଇ ପକ୍ଷର ସେନା ପରସ୍ପରକୁ ଗାଳିଗୁଲଜ କରନ୍ତି କିନ୍ତୁ ଚୀନ୍ ପଟୁ ଗୋଟିଏ ମଧ୍ୟ ଗୁଳି ଚାଲେନି ।

 

Leave a Reply