ବିଶ୍ୱ ଶୁଣୁଛି ଓଡ଼ିଶା ସଫଳତାର କାହାଣୀ, ବିଦେଶରେ ରାଜ୍ୟର ରୂପାନ୍ତରଣ ବଖାଣୁଛନ୍ତି ମୁଖ୍ୟମନ୍ତ୍ରୀ

1 min read

ରୋମ୍: ବିଶ୍ୱ ଶୁଣୁଛି ଓଡ଼ିଶା ସଫଳତାର କାହାଣୀ । ବିଦେଶରେ ଓଡ଼ିଶାର ରୂପାନ୍ତରଣ ବଖାଣୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଗତକାଲି ରୋମରେ ଓ୍ୱାର୍ଲ୍ଡ ଫୁଡ୍ ପ୍ରୋଗ୍ରାମରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଓ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ରାଜ୍ୟର ପାରଦର୍ଶିତା ଦେଖିଥିଲା ସାରା ବିଶ୍ୱ  । ଏଣିକି ଆନ୍ତର୍ଜାତୀୟ ସ୍ତରରେ ଅନ୍ୟ ରାଷ୍ଟ୍ର ଓ ରାଜ୍ୟକୁ ଓଡ଼ିଶା ଶିଖାଇବ ରଣକୌଶଳ । ଏଥିପାଇଁ ଓ୍ୱାର୍ଲ୍ଡ ଫୁଡ୍ ପ୍ରୋଗ୍ରାମ ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ହେବ ପ୍ରଶିକ୍ଷଣ ଶିବିର । ଓଡ଼ିଶାର ସଫଳତାକୁ ବିଶ୍ୱବ୍ୟାପୀ ରୋଲ ମଡେଲ୍ କରାଯିବ । ଓଡ଼ିଶାରେ ହୋଇଥିବା ପ୍ରାକୃତିକ ବିପର୍ଯ୍ୟୟ, ଖାଦ୍ୟ ସୁରକ୍ଷା ଓ ଖାଦ୍ୟ ଉତ୍ପାଦନରେ ରୂପାନ୍ତରଣକୁ WFP ଭୂୟସୀ ପ୍ରଶଂସା କରିବା ସହ ଓଡ଼ିଶା ଭଳି ସ୍ଥିତିରେ ଥିବା ଅନ୍ୟ ରାଷ୍ଟ୍ରଙ୍କ ପାଇଁ ଏହା ଖୁବ୍ ଉପାଦେୟ ବୋଲି ଓ୍ୱାର୍ଲ୍ଡ ଫୁଡ୍ ପ୍ରୋଗ୍ରାମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡେଭିଡ ବିସଲେ କହିଛନ୍ତି ।

ଅନ୍ୟପଟେ ଆସନ୍ତାକାଲି ଦୁବାଇ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୯ ତାରିଖରେ ମଧ୍ୟପ୍ରାଚ୍ୟର ପୁଞ୍ଜିପତିଙ୍କ ସହ ଶିଳ୍ପାୟନ ପାଇଁ ରାଜ୍ୟରେ ଥିବା ଅପାର ସୁଯୋଗ ଓ ସମ୍ଭାବନା ବାବଦରେ ଆଲୋଚନା କରିବେ ନବୀନ । ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଉଦ୍ୟମ କରିବେ । ରୋମରେ ପ୍ରବାସୀ ଓଡ଼ିଆଙ୍କ ସହିତ ନବୀନ ଆଲୋଚନା କରିଥିବାବେଳେ ଦୁବାଇରେ ମଧ୍ୟ ପ୍ରବାସୀ ଓଡ଼ିଆଙ୍କ ସହ ମଧ୍ୟ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।