କୋଏଲ ନଦୀ ଟ୍ରାଜେଡି; ଉଦ୍ଧାର ହେଲା ସମସ୍ତ ୪ ଜଣଙ୍କ ମୃତଦେହ

ରାଉରକେଲା: ଶୁଦ୍ଧିକ୍ରିୟାରେ ଯୋଗଦେବାକୁ ଆସିଥିଲେ ଶବ ହୋଇ ଫେରିଲେ । ରାଉରକେଲା ଝିରପାଣି ପମ୍ପ ହାଉସ ନିକଟ କୋଏଲ ନଦୀରେ ୪ ଭାଇ ବୁଡ଼ିଯିବା ଘଟଣା । ଉଦ୍ଧାର ହେଲା ସମସ୍ତ ମୃତଦେହ । ଗତକାଲି ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆଜି ସକାଳୁ ନିଖୋଜ ରୋନକ ସାହୁଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ୪ ଭାଇ ଦୁଇଟି ପରିବାରର ସଦସ୍ୟ । ସମସ୍ତେ ଝାଡ଼ଖଣ୍ଡ ରାଞ୍ଚି ଅଞ୍ଚଳର ହୋଇଥିବାବେଳେ ଏକ ଶୁଦ୍ଧିକ୍ରିୟାରେ ଯୋଗଦେବାକୁ ରାଉରକେଲା ଆସିଥିଲେ ।

ଗତକାଲି ଆଳୁ ଚୋପା ଛଡ଼ାଇବାକୁ ଘର ଲୋକ କହିବାରୁ ୪ ଜଣ କାହାକୁ ନଜଣାଇ ନଦୀ କୂଳକୁ ପଳାଇ ଆସିଥିଲେ । ସେଠାରେ ଗାଧୋଇବା ସମୟରେ ସମସ୍ତେ ବୁଡ଼ି ଯାଇଥିଲେ । ଜଣଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ହସ୍ପିଟାଲରେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା । ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଜାଖୋଜି ପରେ ଆଜି ସକାଳୁ ଆଉ ଜଣଙ୍କର ମୃତଦେହ ଉଦ୍ଧାର କରିଛି ରେସ୍କ୍ୟୁ ଟିମ୍ । ମୃତକମାନେ ହେଲେ ରିଶିରାଜ ସାହୁ, କୁନାଲ ସାହୁ, କୌଶଳ ସାହୁ ଓ ରୋନକ ସାହୁ ।