ବୋରଓ୍ବେଲରୁ ଉଦ୍ଧାର ଶିଶୁ କନ୍ୟାର ଭଲ ନାହିଁ ସ୍ବାସ୍ଥ୍ୟାବସ୍ଥା, ଶରୀର ଭିତରେ ହେଉଛି ବ୍ଲିଡିଂ

1 min read

ସମ୍ବଲପୁର: ସମ୍ବଲପୁର ରେଙ୍ଗାଲି ଲାରିପାଲିସ୍ଥିତ ବୋରଓ୍ବେଲରୁ ଉଦ୍ଧାର ଶିଶୁ କନ୍ୟାର ଭଲ ନାହିଁ ସ୍ବାସ୍ଥ୍ୟାବସ୍ଥା । ଶିଶୁକନ୍ୟାର ଆସିଛି ଅଲଟ୍ରାସାଉଣ୍ଡ ରିପୋର୍ଟ । ଅଲଟ୍ରାସାଉଣ୍ଡରେ ଇଣ୍ଟରନାଲ ବ୍ଲିଡିଂ ହେଉଥିବା ଉଲ୍ଲେଖ ରହିଛି । ଶିଶୁକୁ ହାଇପୋଥର୍ମିଆ ହୋଇଥାଇପାରେ ବୋଲି ସନ୍ଦେହ କରୁଛି ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍ । ଭୀମସାର ଅଧିକ୍ଷକ ଡା.ଲାଲମୋହନ ନାୟକ ଏନେଇ ନନ୍ଦିଘୋଷ ଟିଭିକୁ ସୂଚନା ଦେଇଛନ୍ତି । ଅନଃନଳୀରେ ରକ୍ତସ୍ରାବ ହେଉଥିବା ସୂଚନା ଥିବାବେଳେ ଶିଶୁ ଭବନ ସହ ସବୁବେଳେ କଣ୍ଟାକ୍ଟରେ ଅଛୁ ବୋଲି କହିଛନ୍ତି ଭୀମସାର ଅଧ୍ୟକ୍ଷ । ଆବଶ୍ୟକ ପଡ଼ିଲେ ତାକୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବା ନେଇ ଚିନ୍ତା କରାଯାଉଛି । ଶିଶୁର ଚିକିତ୍ସାରେ ନିୟୋଜିତ ହୋଇଛନ୍ତି ୫ ଜଣିଆ ଡାକ୍ତରୀ ଟିମ୍ । ବୁର୍ଲା ଭିମସାରର SNCUରେ ସ୍ବତନ୍ତ୍ର ଡାକ୍ତରୀ ଦଳ ଶିଶୁର ଚିକିତ୍ସା କରୁଛନ୍ତି ।

ସୂଚନା ଅନୁସାରେ, ଗତ ୧୨ ତାରିଖରେ ସମ୍ବଲପୁର ଜିଲ୍ଲା ରେଙ୍ଗାଲୀ ବ୍ଲକର ଲରିପାଲି ଜଙ୍ଗଲ ଭିତରେ ଥିବା ଏକ ପରିତ୍ୟକ୍ତ ବୋରଓ୍ବେଲ ଭିତରେ ପଡ଼ିଥିଲା ନବଜାତ ଶିଶୁ ।  ଜଙ୍ଗଲ ରାସ୍ତା ଦେଇ ଯାଉଥିବା କିଛି ଲୋକ ପ୍ରଥମେ କଅଁଳ ଶିଶୁର କାନ୍ଦିବା ଶୁଣି ବୋରଓ୍ବେଲ ପାଖକୁ ଯାଇଥିଲେ, ବୋରଓ୍ବେଲ ଭିତରୁ ନବଜାତ ଶିଶୁର କାନ୍ଦିବା ଶବ୍ଦ ଶୁଣି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ଦମକଳବାହିନୀ ଓ ବ୍ଲକ ପ୍ରଶାସନ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ । ଘଟଣାସ୍ଥଳରେ ଲୋକଙ୍କ ଗହଳି ଲାଗିଥିବାବେଳେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଦୀର୍ଘ ୮ ଘଣ୍ଟାର ପରିଶ୍ରମ ପରେ ଶିଶୁଟି ଉଦ୍ଧାର ହୋଇଥିଲା ।