ମହାରାଷ୍ଟ୍ର ସଙ୍କଟ: ଉଦ୍ଧବ-ପୱାରଙ୍କ ମଧ୍ୟରେ ଦୁଇଘଣ୍ଟା ଆଲୋଚନା

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଘଡିକେ ଘୋଡା ଛୁଟୁଛି  । ଗୋଟିଏ ପଟେ ଶିବସେନାର ବିଦ୍ରୋହୀ ନେତା ଦଳଠୁ ଅଲଗା ହୋଇ ଗୌହ୍ୱାଟିରେ ରହି ସରକାର ଭାଙ୍ଗିବାକୁ ରଣନୀତି କରୁଛନ୍ତି  । ୪୦ରୁ ଉର୍ଦ୍ଧ୍ୱ ବିଧାୟକଙ୍କ ସମର୍ଥନ ସହ ସିନ୍ଦେ ଗୋଟିଏ ପରେ ଗୋଟିଏ ଝଟକା ଠାକରେଙ୍କୁ ଦେଉଛନ୍ତି  । ପୂର୍ବରୁ ଅସହାୟ ପଡିଥିବା ଉଦ୍ଧବ ଠାକରେ ବିଦ୍ରୋହୀଙ୍କୁ ମନାଇବା ପାଇଁ ନରମି ଯାଇଥିଲେ  । ହେଲେ ଆଜି ତାଙ୍କର ଆଭିମୁଖ୍ୟରେ ପରିବର୍ତ୍ତନ ଦେଖାଯାଇଛି  । କାଲି ନିବେଦନ କରୁଥିଲେ କିନ୍ତୁ ଆଜି ସିଧାସଳଖ ଚେତାବନୀ ଦେଇଛନ୍ତି ସେ  ।

ମହାରାଷ୍ଟ୍ର ସଙ୍କଟର ସମାଧାନ ପାଇଁ ଏନସିପି ମୁଖ୍ୟ ଶରଦ ପୱାର ମୁଖ୍ୟମନ୍ତ୍ରୀ ଉଦ୍ଧବଙ୍କ ସହ ଆଲୋଚନା କରିଛନ୍ତି  । ମାତୋଶ୍ରୀ ସ୍ଥିତ ଉଦ୍ଧବଙ୍କ ବାସଭବନରେ ଏହି ବୈଠକ ପ୍ରାୟ ଦୁଇଘଣ୍ଟା ଚାଲିଥିଲା  । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପମୁଖ୍ୟମନ୍ତ୍ରୀ ଅଜିତ ପୱାର, କ୍ୟାବିନେଟ ମନ୍ତ୍ରୀ ଜୟନ୍ତ ପାଟିଲ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ପଟେଲ ଏବଂ ସଞ୍ଜୟ ରାଉତ ସାମିଲ ଥିଲେ  ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ବୈଠକରେ ଉଦ୍ଧବଙ୍କୁ ଶରଦ ପୱାର ସ୍ପଷ୍ଟ ଭାବେ କହିଛନ୍ତି ବିଦ୍ରୋହୀ ବିଧାୟକଙ୍କ ସଂଖ୍ୟା ୪୦ରୁ ଅଧିକ ରହିଛି  । ଏପରି ସ୍ଥିତିରେ ଫ୍ଲୋର ଟେଷ୍ଟ କରି ବହୁମତ ସାବ୍ୟସ୍ତ କରିବା ସମ୍ଭବ ନୁହେଁ  । ଏହାଦ୍ୱାରା ମେଣ୍ଟ ଉପରେ ଖରାପ ପ୍ରଭାବ ପଡିବ  । ତେଣୁ ଶରଦ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପରାମର୍ଶ ଦେଇଥିବା କଥା ରିପୋର୍ଟରୁ ଜଣାପଡିଛି  । ଅନ୍ୟପକ୍ଷରେ ଠାକରେ ଶନିବାର ମଧ୍ୟାହ୍ନ ୧ଟାରେ ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଡକାଇଛନ୍ତି  ।  ଆଗକୁ କଣ ପଦକ୍ଷେପ ନିଆଯିବ ଏହି ବୈଠକରେ ନିଷ୍ପତ୍ତି ହେବ  ।