IPL 2020: ତେଓ୍ୱାତିଆଙ୍କ ବିସ୍ଫୋରକ ବ୍ୟାଟିଂ ଦେଖି ଭୟଭୀତ ହୋଇଯାଇଥିଲେ ଯୁବରାଜ, ଟ୍ୱିଟ୍ କରି ଜଣାଇଲେ ଧନ୍ୟବାଦ

1 min read

ଦୁବାଇ: ସାରଜା କ୍ରିକେଟ୍ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଆଇପିଏଲ୍ ମ୍ୟାଚରେ ରନ୍‌ର ବର୍ଷା ହୋଇଥିଲା । ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା କିଙ୍ଗସ୍ ଇଲେଭେନ୍ ପଞ୍ଜାବ ନିର୍ଦ୍ଧାରିତ ଓଭରରେ ୨୨୩/୨  ରନ୍ କରିଥିଲା । ଏତେ ବଡ଼ ରନ୍ କରିବା ପରେ କେବେ ପଞ୍ଜାବ ଭାବି ବି ନଥିବ ତାକୁ ପରାଜୟ ବରଣ କରିବାକୁ ପଡ଼ିପାରେ । ସାରଜାର ଛୋଟ ଗ୍ରାଉଣ୍ଡରେ ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ହୋଇଛି । ଛୋଟ ବାଉଣ୍ଡି ହୋଇଥିବାରୁ ବ୍ୟାଟ୍ସମ୍ୟାନ୍ ଏହାର ଭରପୂର ଫାଇଦା ଉଠାଇଥିଲେ । ୨୭ ବର୍ଷୀୟ ରାହୁଲ ତେଓ୍ୱାତିଆଙ୍କୁ କିଛି ଚିନ୍ତା କରି କ୍ୟାପଟେନ୍ ସ୍ମିଥ୍ ୪ର୍ଥ ନମ୍ୱରରେ ବ୍ୟାଟିଂ ପାଇଁ ପଠେଇଥିଲେ । ଟିକେ ବିଳମ୍ୱରରେ ହେଲେ ମଧ୍ୟ ସେ ନିଜ କୌଶଳ ଦେଖାଇଥିଲେ । ଏବଂ ଗୋଟିଏ ଓଭରରେ ୫ ଛକା ଲଗାଇଥିଲେ । ଯାହା ୨୨୪ ଭଳି ଏକ ବିଶାଳ ଟାର୍ଗେଟକୁ ହାସଲ କରିବାରେ ସହାୟକ ହୋଇଥିଲା ।

            ତେଓ୍ୱାତିଆ ପ୍ରଥମ ୨୩ ବଲରେ ମାତ୍ର ୧୭ ରନ୍ କରି ଖେଳ ଜାରି ରଖିଥିଲେ । କିନ୍ତୁ ୧୮ ନମ୍ୱର ଓଭରରେ ସେ ପଞ୍ଜାବ ପାଖରୁ ଏକ ପ୍ରକାର ମ୍ୟାଚ୍‌ ଛଡ଼ାଇ ଆଣିଥିଲେ । ସେହି ଓଭରରେ ତାଙ୍କ ଦ୍ୱାରା ମରାଯାଇଥିବା ୫ଟି ଛକା (୬,୬,୬,୬,୦,୬) ରାଜସ୍ଥାନ ରାୟାଲ୍ସ ମନରେ ଆଶା ସଂଚାର କରିଥିଲା ।

            ଆଉ ଏହି ମ୍ୟାଚ୍ ଦେଖୁଥିବା ଟିମ୍ ଇଣ୍ଡିଆର ପୂର୍ବ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଯୁବରାଜ ସିଂହ ତେଓ୍ୱାତିଆଙ୍କ ଏଭଳି ବ୍ୟାଟିଂ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେଓ୍ୱାତିଆ ଲଗାତାର ୪ଟି ଛକା ମାରିବା ପରେ ପଞ୍ଚମ ବଲଟି ମିସ୍ କରିଦେଇଥିଲେ । ଏହା ପରେ ଟ୍ୱିଟ୍ କରିଥିଲେ ଯୁବରାଜ ସିଂହ । ଲେଖିଥିଲେ ମିଷ୍ଟର ରାହୁଲ ତେଓ୍ୱାତିଆ.. ନା ଭାଇ ନା । ଗୋଟିଏ ବଲ୍ ମିସ୍ କରିଥିବାରୁ ଆପଣଙ୍କୁ ଧନ୍ୟବାଦ । ସୂଚନା ଯୋଗ୍ୟ ଯେ, ୧୩ ବର୍ଷ ପୂର୍ବେ ଯୁବରାଜ ସିଂହ ୬ଟି ବଲରେ ୫ଟି ଛକା ମାରିଥିଲେ । ତେବେ ତାଙ୍କର ରେକର୍ଡ ଭାଙ୍ଗିନଥିବାରୁ ବା ସମକକ୍ଷ ହୋଇନଥିବାରୁ ସେ ଏଭଳି ଟ୍ୱିଟ୍ କରିଥାଇପାରନ୍ତି ।

Leave a Reply