ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ, ଇମ୍ରାନ ନିର୍ଦ୍ଦେଶ ଦେଲେ, ଆତଙ୍କବାଦୀଙ୍କୁ ଜୀବିତ ଧର…. ଜାଣନ୍ତୁ ସମ୍ପୂର୍ଣ୍ଣ କାହାଣୀ

Terrorists attack Pakistan Stock Exchange in Karachi

ପାକିସ୍ତାନ ଷ୍ଟକ୍ ଏକ୍ସଚେଞ୍ଜ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ୪ଜଣ ପାକିସ୍ତାନୀ ଆତଙ୍କବାଦୀ ଏକ କାର୍ ଯୋଗେ ପାକିସ୍ତାନୀ ଷ୍ଟକ୍ ଏକ୍ସଚେଞ୍ଜ ପାଖରେ ପହଞ୍ଚି  ପ୍ରଥମେ ଗ୍ରେନେଡ ମାଡ କରିବା ସହ ବିଲ୍ଡିଂ ଭିତରେ ପଶି ଗୁଳି ବର୍ଷଣ କରିଛନ୍ତି । ତେବେ ଏବେ ପାକିସ୍ତାନ ପୁଲିସ ଚାରିଜଣ ଯାକ ଆତଙ୍କବାଦୀଙ୍କୁ ମାରି ସାରିଛି । ଏହି ଅପରେସନରେ ଆତଙ୍କବାଦୀଙ୍କ ବାଦ ୬ଜଣଙ୍କ ଜୀବନ ଯାଇଛି । ଏମାନଙ୍କ ମଧ୍ୟରେ ଚାରିଜଣ ସୁରକ୍ଷାକର୍ମୀ, ଜଣେ ପୁଲିସ ଓ ଜଣେ ସାଧାରଣ ଲୋକ ରହିଥିଲେ । ଆତଙ୍କବାଦୀମାନଙ୍କ ପାଖରେ ଉନ୍ନତମାନର ଅସ୍ତ୍ର ଶସ୍ତ୍ର ଓ ଗ୍ରେନଡ୍ ଥିବାର ସୂଚନା ମିଳିଛି ।

 

ତେବେ ପୁଲିସ ପହଞ୍ଚିବା ପୂର୍ବରୁ ପାକିସ୍ତାନ ଷ୍ଟକ୍ ଏକ୍ସଚେ଼ଞ୍ଜର ବହୁ ମୂଲ୍ୟବାନ ସମ୍ପତ୍ତିକୁ ଆତଙ୍କବାଦୀମାନେ ନଷ୍ଟ କରିସାରିଥିଲେ । ଷ୍ଟକ୍ ଏକ୍ସଚେଞ୍ଜ ମଧ୍ୟରେ ଥିବା ବିଭିନ୍ନ ବ୍ୟାଙ୍କର ମୁଖ୍ୟଶାଖା ଓ ସୁରକ୍ଷା ସେଣ୍ଟର ମଧ୍ୟ ଧ୍ୱଂସ ପାଲଟି ଯାଇଛି । ଏନେଇ ପାକିସ୍ତାନ ଷ୍ଟକ୍ ଏକ୍ସଚେଞ୍ଜ ପକ୍ଷରୁ ଟୁଇଟରରେ ମଧ୍ୟ ସୂଚନା ଦିଆଯାଇଛି । ଟୁଇଟରେ ଲେଖାଅଛି ଯେ ଏଯାବତ୍ ସ୍ଥିତି ସ୍ୱାଭାବିକ ହୋଇନାହିଁ । ସୁରକ୍ଷା କର୍ମୀଙ୍କ ସହାୟତାରେ ପରିଚାଳନାଜନିତ କାର୍ଯ୍ୟକୁ ପୂର୍ବବତ୍ କରିବା ପାଇଁ ପ୍ରଚେଷ୍ଟା ଜାରି ରହିଛି । ତେବେ ସ୍ଥିତି ସ୍ୱାଭାବିକ ହେବା ପରେ କ୍ଷୟକ୍ଷତି ନେଇ ସୂଚନା ଦିଆଯିବ । ଅନ୍ୟପକ୍ଷରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଘଟଣାକୁ ନିନ୍ଦା କରିବା ସହ ଆତଙ୍କବାଦ ଆକ୍ରମଣରେ ଜୀବନ ଯାଇଥିବା ବ୍ୟକ୍ତି ଉଦ୍ଦେଶ୍ୟରେ ସମବେଦନା ଜଣାଇଛନ୍ତି  ।

ସେ ଟୁଇଟରରେ ଲେଖିଛନ୍ତି ଯେ ଆତଙ୍କବାଦ ବିରୋଧରେ ଆମ ଲଢେଇକୁ କଳଙ୍କିତ କରିବା ପାଇଁ ଷ୍ଟକ୍ ଏକ୍ସଚେଞ୍ଜ ଉପରେ ଆକ୍ରମଣ କରାଯାଇଛି । ସେହିଭଳି ଆଇଜି ଓ ସୁରକ୍ଷା କର୍ମୀମାନଙ୍କୁ ସେ ଆତଙ୍କବାଦୀମାନଙ୍କୁ ଜୀବିତ ଧରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆତଙ୍କବାଦୀମାନଙ୍କୁ ଜୀବିତ ଧରି ପାରିଲେ ସେମାନଙ୍କ ପ୍ରଚ୍ଛଦ ପଟ୍ଟରେ ଥିବା ପରିଚାଳକମାନଙ୍କୁ ମଧ୍ୟ ସମାନ ଦଣ୍ଡ ମିଳିପାରିବ ବୋଲି ଇମ୍ରାନ କହିଛନ୍ତି । ସେ ଶେଷରେ ଲେଖିଛନ୍ତି ଆମେ କୌଣସି ମୂଲ୍ୟ ଦେଇ ସିନ୍ଧର ରକ୍ଷା କରିବା ।

Leave a Reply