ଢ଼ିଙ୍କିଆରେ ପୁଣି ଉତ୍ତେଜନା, ହାଇକୋର୍ଟଙ୍କ ପ୍ରତିନିଧି ଦଳ ଓ ପୋଲିସ ସାମ୍ନାରେ ଦୁଇ ଗୋଷ୍ଠୀ ମୁହାଁମୁହିଁ

ପାରାଦୀପ: ଢିଙ୍କିଆରେ ପୁଣି ଉତ୍ତେଜନା । ଜଗତସିଂହପୁର ଢିଙ୍କିଆ ଗାଁରେ ହାଇକୋର୍ଟଙ୍କ ୫ଜଣିଆ କମିଟି ଓ ପୋଲିସ ଉପସ୍ଥିତିରେ ଗାଁର ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଯାହାକୁ ନେଇ ପୁଣି ଢିଙ୍କିଆ ଅଶାନ୍ତ ହୋଇଛି । ଗାଁ ଲୋକଙ୍କ ସହ ହାଇକୋର୍ଟ କମିଟି ଆଲୋଚନାବେଳେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ହାଇକୋଟଙ୍କ ଦ୍ବାରା ଗଠିତ ୫ ଜଣିଆ କମିଟି ଢିଙ୍କିଆରେ ପହଞ୍ଚିଥିଲା ।

୩ ଜଣ ଆବେଦନକାରୀଙ୍କ ଓକିଲ ଓ ୨ ଜଣ ସରକାରୀ ଓକିଲ ଢିଙ୍କିଆରେ ପହଞ୍ଚିଥିଲେ । ସେଠାରେ ପହଞ୍ଚି ଫୁଲଖାଇ ମନ୍ଦିର ନିକଟରେ ଗାଁ ଲୋକଙ୍କ ସହିତ ଆଲୋଚନା କରିବା ସମୟରେ ଉତ୍ତେଜନା ଦେଖାଦେଇଥିଲା । ଏବେ ବି ଗାଁରେ ଉତ୍ତେଜନା ଲାଗିରହିଛି । ଢିଙ୍କିଆ ମାମଲାର ଶୁଣାଣି କରି ୫ ଜଣିଆ କମିଟି ଗଠନ କରିଥିଲେ ହାଇକୋର୍ଟ । ହାଇକୋର୍ଟଙ୍କ ପ୍ରତିନିଧି ଦଳ ଢିଙ୍କିଆ ଗ୍ରାଉଣ୍ଡ ସ୍ଥିତି ସମୀକ୍ଷା କରି ହାଇକୋର୍ଟରେ ରିପୋର୍ଟ ଦାଖଲ କରିବେ ବୋଲି ନିର୍ଦ୍ଦେଶ ରହିଛି । ଏହାପରେ ଆସନ୍ତା ୨୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଘଟଣା ନେଇ ହାଇକୋର୍ଟରେ ଦାଏର ୩ଟି ମାମଲାରେ ରାଜ୍ୟ ସରକାର ଷ୍ଟାଟସ ରିପୋର୍ଟ ଦାଖଲ କରିଛନ୍ତି । ଜଗତସିଂହପୁର ଜିଲ୍ଲାପାଳ ମଧ୍ୟ କୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ କରିଛନ୍ତି । ଜେଏସଡବ୍ଲୁ ପ୍ରସ୍ତାବିତ ଇସ୍ପାତ ପ୍ରକଳ୍ପକୁ ବିରୋଧରେ ପୋଲିସ ଓ ଜନତା ମୁହାଁମୁହିଁ ହୋଇଥିଲେ । ଗାଁ ଲୋକଙ୍କ ଆକ୍ରମଣରେ କିଛି ପୋଲିସ କର୍ମଚାରୀ ଆହତ ମଧ୍ୟ ହୋଇଥିଲେ । ଏନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହେବା ପରେ କୋର୍ଟ ଏହାର ବିଚାର କରୁଛନ୍ତି ।

Leave a Reply