ପୁରୀ ଶ୍ରୀମନ୍ଦିରରେ ଲାଗୁହେଲା ପଞ୍ଚସୂତ୍ରୀ ନିୟମ, ଡ୍ୟୁଟିବେଳେ ପାନ, ଗୁଟଖା, ମୋବାଇଲ ମନା

1 min read

ପୁରୀ : ଶ୍ରୀମନ୍ଦିରରେ ଲାଗୁ ହେଲା ପଞ୍ଚସୂତ୍ରୀ ନିୟମ । କୌଣସି ମାଦକଦ୍ରବ୍ଯ କିମ୍ବା ପାନ, ଗୁଟଖା ଖାଇ ଡ୍ଯୁଟି କରିବେନି କର୍ମଚାରୀ । ଶ୍ରୀମନ୍ଦିର ଭିତରେ ବ୍ଯବହାର ହେବନି ମୋବାଇଲ୍ । ଜାନୁଆରୀ ୩୧ ସୁଦ୍ଧା ସମ୍ପତ୍ତି ତାଲିକା ଦେବେ ଅଧିକାରୀ ଓ କର୍ମଚାରୀ । ପ୍ରତି ଶୁକ୍ରବାର ହସ୍ତତନ୍ତ ଲୁଗା ପିନ୍ଧି କାର୍ଯ୍ଯାଳୟ ଆସିବେ ଅଧିକାରୀ ଓ କର୍ମଚାରୀ । ପ୍ରତ୍ୟେକ ମାସ ତୃତୀୟ ଶୁକ୍ରବାରରେ ବରିଷ୍ଠ ଅଧିକାରୀଙ୍କ ସ୍ତରରେ କାର୍ଯ୍ୟର ସମୀକ୍ଷା କରାଯିବ । ଏନେଇ ମାସିକ ସମୀକ୍ଷା ବୈଠକରେ ବିସ୍ତୃତ ଆଲୋଚନା କରାଯାଇଛି । ଏହାକୁ ଅନୁପାଳନ ନକଲେ କାର୍ଯ୍ଯାନୁଷ୍ଠାନ ସହ ପଦୋନ୍ନତି, ପୁରସ୍କାର କିମ୍ବା କୌଣସି ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ନାହିଁ । ବଡ଼ଦେଉଳରେ ସ୍ୱଚ୍ଛତା ଓ ଶୃଙ୍ଖଳା ଆଣିବାରେ ଏହା ସହାୟକ ହୋଇପାରିବ ବୋଲି ବିଭିନ୍ନ ମହଲରୁ ମତ ପ୍ରକାଶ ପାଇଛି ।

ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଦୁର୍ନୀତିକୁ ଆଦୌ ପ୍ରଶୟ ଦିଆଯିବ ନାହିଁ । ଦୁର୍ନୀତି ନେଇ ପ୍ରମାଣ ମିଳିଲେ ତଦନ୍ତ କରି କାର୍ଯ୍ଯାନୁଷ୍ଠାନ ନିଆଯିବ ଓ ଆବଶ୍ଯକ ପଡ଼ିଲେ ଚାକିରିରୁ ବରଖାସ୍ତ କରାଯିବ । ମହାପ୍ରଭୁଙ୍କ ସମସ୍ତ ଭୂସମ୍ପତ୍ତିର ଡିଜିଟାଇଜେସନ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ସମସ୍ତ ବିଭାଗର କାର୍ଯ୍ୟ କମ୍ପୁଟରୀକରଣ କରାଯିବ । ରାଜ୍ୟର ବିଭିନ୍ନ ଅଞ୍ଚଳରେ ଥିବା ମହାପ୍ରଭୁଙ୍କ ଖଣିଖାଦନରୁ ରାଜସ୍ୱ ବୃଦ୍ଧି ପାଇଁ ଉଦ୍ୟମ କରାଯାଉଛି । ଭୂସମ୍ପତ୍ତିର ଜମିଜମା ସମସ୍ୟା ଓ ଜନ ଅଭିଯୋଗ ଶୁଣାଣୀ ପାଇଁ SHREE SAMPATI.COM ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଯାଇଛି । ଅନଲାଇନ୍ ଡୋନେସନ୍ ବ୍ୟବସ୍ଥାକୁ ସୁଦୃଢ କରାଯିବ । ଶ୍ରୀମନ୍ଦିର ପ୍ରଶାସନର ସେଣ୍ଟ୍ରାଲ୍ ଲାଇବ୍ରେରୀରେ ଥିବା ସମସ୍ତ ପୁସ୍ତକର ଡିଜିଟାଇଜେସନ କରାଯିବ । ଶ୍ରୀମନ୍ଦିର ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ଉତ୍ତରଦାୟୀ କରିବା ପାଇଁ ଏଭଳି ପଞ୍ଚସୂତ୍ରୀ କାର୍ଯ୍ୟାବଳୀ ଆରମ୍ଭ ହୋଇଛି । ତେବେ ଏଥିପାଇ ବଳିଷ୍ଠ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି ବୁଦ୍ଧିଜୀବୀ