ଶୀତରେ ଥରୁଛି ବାଲିଗୁଡ଼ା, ଘନକୁହୁଡି଼ ଯୋଗୁ ରାସ୍ତାଘାଟ ଦେଖାଯାଉଛି ଅସ୍ପଷ୍ଟ

ବାଲିଗୁଡ଼ା: ଶୀତରେ ଥରୁଛି ବାଲିଗୁଡ଼ା । ତାପମାତ୍ରା ହ୍ରାସ ସହ ସବୁଠି ଶୀତର ଦାଉ । ଘନକୁହୁଡି଼ ଯୋଗୁ ରାସ୍ତାଘାଟ ବି ହେଉଛି ଅସ୍ପଷ୍ଟ । ଗତକାଲି ଫୁଲବାଣୀରେ ୧୧ ଡିଗ୍ରୀ,ଦାରିଙ୍ଗିବାଡ଼ିରେ  ୯.୫ ଡିଗ୍ରୀ ଓ ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ରେକର୍ଡ କରାଯାଇଥିଲା । ସେପଟେ ଘନ କୁହୁଡ଼ି ଯୋଗୁଁ ଯାନବାହାନ ଚଳାଚଳରେ ମଧ୍ୟ ସମସ୍ୟା ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି । ତେଣେ ପ୍ରକୃତିର ସୌନ୍ଦର୍ଯ୍ୟ ବି ସମସ୍ତଙ୍କୁ କରିଛି ଆତ୍ମହରା ।

ଅନ୍ୟପଟେ ରାଜ୍ୟରେ ଲଗାତାର ବଢୁଛି ତାପମାତ୍ରା, କମୁଛି ଶୀତ । ବିଭିନ୍ନ ସ୍ଥାନରେ ତାପମାତ୍ରା ସ୍ବାଭାବିକ ସ୍ଥିତିକୁ ଫେରୁଛି  । ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ବହୁଥିବା ଥଣ୍ଡା ପବନର ପ୍ରଭାବ କମିବା ସହ ପୂର୍ବାଳୀ ଗରମ ଶୁଷ୍କ ପବନ ପ୍ରବାହ ବଢିଛି । ବାୟୁମଣ୍ଡଳରେ ଜଳୀୟବାଷ୍ପରର ପରିମାଣ ବୃଦ୍ଧି ହେବା ସହ ତାପମାତ୍ରା ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ବୃଦ୍ଧି ହୋଇଛି । ଫଳରେ ଜାଡ କମିବା ସହ ଘନ କୁହୁଡି ଦେଖାଦେଉଛି ।

ଆସନ୍ତା ୭ଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୁଖିଲା ପାଗ ରହିବ  । ଫଳରେ ଏପରି ପାଗ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର  । ତେବେ ବିଭିନନ୍ନ ଜିଲ୍ଲା ଘନ କୁହୁଡ଼ି ନେଇ ସତର୍କତା ଜାରି କରାଯାଇଛି  । ଆଜି ପାଇଁ ୧୬ଜିଲ୍ଲାରେ ଘନ କୁହୁଡ଼ି ପଡ଼଼ିବା ନେଇ ସତର୍କତା ଜାରି ହୋଇଛି  । ଏହିସବୁ ଜିଲ୍ଲାରେ ୫୦ ମିଟରରୁ କମ୍ ଦୃଶ୍ୟମାନ ଦୂରତା ରହିବ  । ଏଣୁ ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି  । ତେଣୁ ବିଭିନ୍ନ ଦୁର୍ଘଟଣା ଜୋନ ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି ।