ତେଲଙ୍ଗାନାରେ ବିଧାୟକଙ୍କୁ କିଣାବିକା ଯୋଜନା ଫେଲ୍

ହାଇଦ୍ରାବାଦ: ତେଲଙ୍ଗାନାରେ ବିଧାୟକଙ୍କୁ କିଣାବିକା ଯୋଜନା ଫେଲ୍ । ଧରାପଡିଲେ ୪ ସନ୍ଦିଗ୍ଧ ବ୍ୟକ୍ତି । ଜବତ ହୋଇଛି ୧୫ କୋଟିରୁ ଅଧିଟ ଟଙ୍କା । ମୋଇନାବାଦସ୍ଥିତ ଅଜିଜନଗରର ଏକ ଫାର୍ମ ହାଉସରେ ରେଡ କରି ବିପୁଳ ଟଙ୍କା ଜବତ କରିଛି ସାଇବରାବାଦ ପୋଲିସ । ଶାସକ ତେଲଙ୍ଗାନା ରାଷ୍ଟ୍ରୀୟ ସମିତର ୪ ବିଧାୟକଙ୍କୁ ଲାଞ୍ଚ ଦେବା ଲାଗି ଏହି ଟଙ୍କା ରଖାଯାଇଥିବା ସୂଚନା ମିଳିଛି ।

ଟିଆରଏସର ୪ ଜଣ ବିଧାୟକଙ୍କୁ ଏହି ଟଙ୍କା ଦେବା ଲାଗି ବ୍ୟବସ୍ଥା କରାଯାଇଥିଲା ବୋଲି କହିଛନ୍ତି ସାଇବରାବାଦ ପୋଲିସ କମିଶନର ଷ୍ଟିଫେନ ରବୀନ୍ଦ୍ର । ପୋଲିସ ସୂଚନା ଅନୁସାରେ ପ୍ରାୟ ୧୦୦ କୋଟି ଟଙ୍କାର ଡିଲ୍ ହୋଇଥିଲା । ଅଜିଜ ନଗରସ୍ଥିତ ଏକ ଫାର୍ମ ହାଉସରେ ଏହି ରେଡ ହୋଇଥିଲା । ତେବେ ବିଧାୟକମାନେ ଅଭିଯୋଗ କରିଛନ୍ତି ସେମାନଙ୍କୁ ଦଳବଦଳ କରିବା ଲାଗି ଏହି ଟଙ୍କା ଯଚାଯାଉଥିଲା । ଅଟକ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ଜାଲ ପରିଚୟପତ୍ର ନେଇ ହାଇଦ୍ରାବାଦରୁ ଆସିଥିବା ପୋଲିସ କହିଛି ।

ପୋଲିସ ଅଭିଯୋଗ ଅନୁସାରେ ଟିଆରଏସ ସରକାରକୁ ଗାଦିଚ୍ୟୁତ କରିବା ଲାଗି ବିଧାୟକଙ୍କୁ କିଣିବା ଯୋଜନା ଚାଲିଥିବାବେଳେ ଏହି ରେଡ ହୋଇଥିଲା । ଫାର୍ମ ହାଉସରେ ଦିଲ୍ଲୀର ରାମଚନ୍ଦ୍ର ଭାରତୀ, ପୀଥାଦିପାଥିର ସିଂହାୟାଜି, ତିରୁପତିର ଶ୍ରୀମନ୍ତ୍ ରାଜୁ ଓ ଅନ୍ୟ ଜଣେ ବ୍ୟକ୍ତି ନନ୍ଦ କୁମାର ସାମିଲ ଥିବା ପୋଲିସ କହିଛି । ଫାର୍ମ ହାଉସରେ ଖୋଦ କମିଶନର ପହଞ୍ଚି ସମସ୍ତ ଯାଞ୍ଚ କରିଛନ୍ତି । ଏହି ଘଟଣାର ସମସ୍ତ ଦିଗକୁ ଅନୁଧ୍ୟାନ କରାଯାଉଛି ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି କମିଶନର ।