ଲାଲୁ ଯାଦବଙ୍କୁ ଭାରତ ରତ୍ନ ସମ୍ମାନ ପ୍ରଦାନ କରିବାକୁ ଦାବି କଲେ ତେଜସ୍ବୀ

ପାଟନା: ରାଜେଡି ନେତା ତେଜସ୍ବୀ ଯାଦବ ଆଜି ଏକ ବଡ଼ ଦାବି କରିଛନ୍ତି । ତାଙ୍କର ପିତା ତଥା ପାର୍ଟିର ପ୍ରମୁଖ ଲାଲୁ ପ୍ରସାଦ ଯାଦବଙ୍କୁ ଭାରତ ରତ୍ନ ପ୍ରଦାନ କରିବାକୁ ଦାବି କରିଛନ୍ତି ତେଜସ୍ବୀ । ସମାଜରର ତଳସ୍ତରରେ ରହିଥିବା ଲୋକଙ୍କ ପାଇଁ ଲାଲୁ ସ୍ବର ଉତ୍ତୋଳନ କରିଛନ୍ତି । ସହରସା ଜିଲ୍ଲାର ସୋନବର୍ଷାରେ ସମାଜବାଦୀ ନେତା କର୍ପୁରୀ ଠାକୁରଙ୍କ ପୂଣ୍ୟତିଥି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ତେଜସ୍ବୀ ଏପରି କହିଛନ୍ତି ।  ବିହାରର ତତ୍କାଳୀନ ମୁଖ୍ୟମନ୍ତ୍ରୀ କର୍ପୁରୀ ଠାକୁର ପଛୁଆବର୍ଗଙ୍କ ପାଇଁ ସଂରକ୍ଷଣ ଲାଗୁ କରିଥିଲେ । ସେତେବେଳେ ଭାଜପା ଏହାର ବିରୋଧ କରିଥିଲା । ଏବେ ସେହି ଦଳ ତାଙ୍କୁ ଭାରତ ରତ୍ନ ଦେଉଛି । ଏହା ହେଉଛି ସମାଜବାଦର ଶକ୍ତି ବୋଲି ତେଜସ୍ବୀ କହିଛନ୍ତି ।

ତେଜସ୍ବୀ କହିଛନ୍ତି, ତାଙ୍କ ପିତାଙ୍କ ସହିତ କର୍ପୁରୀ ଠାକୁରଙ୍କ ନିବିଡ଼ ସମ୍ବନ୍ଧ ରହିଥିଲା । କର୍ପୁରୀ ଠାକୁରଙ୍କ ଦେହାନ୍ତ ସମୟରେ ତାଙ୍କର ମୁଣ୍ଡ ଲାଲୁ ଜୀ’ଙ୍କ କୋଳରେ ରହିଥିଲା । ଲାଲ ଜୀ ନିଜେ କର୍ପୁରୀଙ୍କୁ ହସ୍ପିଟାଲ ନେଇଥିଲେ । ଚାଚା (ନୀତିଶ କୁମାର) ଭାଜପା ସହ ହାତ ମିଳାଇଥିଲେ, ଯେ କି ପାଟନା ହାଇକୋର୍ଟରେ ସଂରକ୍ଷଣ ବୃଦ୍ଧିକୁ ସମାପ୍ତ କରିବା ପାଇଁ ପରଦା ପଛରେ କାମ କରୁଥିଲେ । ସରକାରେ ଲକ୍ଷାଧିକ ପଦ ଖାଲି ରହିଛି, ମାତ୍ର ଦଳିତ ଓ ପଛୁଆବର୍ଗଙ୍କୁ ସେମାନଙ୍କର ହକ ମିଳୁନାହିଁ । ଏଥର ବିଧାନସଭା ନିର୍ବାଚନରେ କେବଳ ନେତାଙ୍କ ସୁପାରିଶ ଆଧାରରେ ଟିକେଟ ମିଳିବ ନାହିଁ ବୋଲି ତେଜସ୍ବୀ କହିଥିଲେ ।