ଟେକ୍ନୋଲୋଜି ଓ ସୋସିଆଲ ମିଡିଆ ମାଧ୍ୟମରେ ବିଜେପି ଅପପ୍ରଚାରର ଜବାବ ଦେବ ବିଜେଡି
1 min read
ନନ୍ଦିଘୋଷ ବ୍ୟୁରୋ: ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶାର ସ୍ବାର୍ଥ ପାଇଁ ଲଢେଇ ଜାରି ରଖିବାକୁ ବିଜେଡି ପ୍ରସ୍ତୁତ କରୁଛି ବ୍ଲୁ-ପ୍ରିଣ୍ଟ । ବିଜେପି ସରକାରର ମିଛ ପ୍ରଚାର ବିରୋଧରେ ଆରପାର ଲଢେଇ ପାଇଁ ସଜବାଜ ବିଜେଡି ନେତା ଓ କର୍ମୀ । ଟେକ୍ନୋଲୋଜି ଓ ସୋସିଆଲ ମିଡିଆ ମାଧ୍ୟମରେ ବିଜେପିର ଅପପ୍ରଚାରର ଜବାବ ଦେବାକୁ ଦଳ ପ୍ରସ୍ତୁତ କରୁଛି ସରକାରଙ୍କ ବିଫଳତାର କଚ୍ଚାଚିଠା । ୩୦୦ ୟୁନିଟ ମାଗଣା ବିଜୁଳି, ମିଛ ଘୋଷଣା, ସୁଭଦ୍ରା ଟଙ୍କାର ପ୍ରହେଳିକା, ଅନାହାର ମୃତ୍ୟୁ, ଧାନ କଟନୀ ଛଟନୀ, ଏମଏସପି, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ଭତ୍ତା ବୃଦ୍ଧିରେ ଟାଳଟୁଳ ନୀତି, ପୋଲାଭରମ ଓ ମହାନଦୀ ପରି ମାଳ ମାଳ ପ୍ରସଙ୍ଗର ଏବେ ଆହୁରି ଶାଣିତ ଢଙ୍ଗରେ ସରକାରଙ୍କୁ ଘେରିବ ବିଜୁ ଜନତା ଦଳ । ବିଜେଡି ସଭାପତି ନବୀନ ପଟ୍ଟନାୟକ ଜନସେବା ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି । କାରଣ ବିଜେଡି ଯେଉଁ ରାଜ୍ୟ ସ୍ବାର୍ଥ ପାଇଁ କାମ କରି ଚାଲିଛି, ତାହା ସଂଗଠିତ ହୋଇ ନେତା ଓ କର୍ମୀ ବି କରିବେ । ସବୁଠାରୁ ବଡ଼ ବିରୋଧୀ ଦଳ ଭାବେ ଉଭା ହୋଇଛି ବିଜେଡି । ରାଜ୍ୟର ସ୍ବାର୍ଥ ପ୍ରତି ଯିଏ ବି ବାଧା ଦେବ ତାହାର ମୁକାବିଲା କରାଯିବ। ଶାସନରେ ଥିବା ସମୟରେ ଦଳର ଯାହା ଲକ୍ଷ୍ୟ ଥିଲା, ଆଜି ବି ବିରୋଧୀ ଦଳ ଭାବେ ସହି ଉଦ୍ଦେଶ୍ୟ ରହିଛି । ସରକାର ଯେପରି ବିକାଶର ମୁଦ୍ଦାରୁ ମୁହଁ ଫେରାଉଛନ୍ତି, ତା ବିରୋଧରେ ବିଧାନସଭା ଭିତରେ ଓ ବାହାରେ ସ୍ବର ଉଠାଇବ ବିଜୁ ଜନତା ଦଳ । ଆବଶ୍ୟକ ପଡ଼ିଲେ ରାଜରାସ୍ତାକୁ ବି ଓହ୍ଲାଇବାକୁ ପଛାଇବେ ନାହିଁ ନବୀନ ବ୍ରିଗେଡ୍ ।
ଚଳିତ ମାସ ଶେଷ ସୁଦ୍ଧା ବିଜେଡିର ଜିଲ୍ଲା, ବ୍ଲକ, ପୌର ଓ ୱାର୍ଡ କମିଟି ଘୋଷଣା ହେବ । ସମସ୍ତଙ୍କୁ ନେଇ କମିଟି ଗଠନ କରାଯିବ । ନୂଆ ଚେହେରା ଓ ପୁରୁଖାଙ୍କୁ ନେଇ କାମକୁ ସଂଗଠିତ ଢଙ୍ଗରେ କରିବାକୁ ନବୀନଙ୍କ ନିର୍ଦ୍ଦେଶ ରହିଛି । ସମସ୍ତଙ୍କୁ ନେଇ ସରକାର ବିରୋଧରେ ନବୀନଙ୍କ ରଣହୁଙ୍କାରକୁ ତୃଣମୂଳ ସ୍ତରରୁ ଆଗେଇନେବ ବିଜେଡି ।
ଅଭାବୀ ଓଡ଼ିଶାରୁ ପ୍ରଭାବୀ ଓ ସ୍ବାବଲମ୍ବୀ ଓଡ଼ିଶା ଗଢି ତୋଳି ୨୪ ବର୍ଷର ଏକ ସୁବର୍ଣ୍ଣ ଯୁଗ ଦେଇ ପାରିବାରେ ସଫଳ ହୋଇଥିଲେ ନବୀନ । ହେଲେ ବିଜେପି ସରକାର ଏହି ୧୦ ମାସ ଭିତରେ ସବୁକିଛି ଚୁରମାର କରିଥିବା ଅଭିଯୋଗ ହେଉଛି ।