‘ଇଣ୍ଡିଆ ସ୍କିଲ୍ସ-୨୦୨୪’ରେ ଟିମ୍ ଓଡ଼ିଶା ଟପ୍ପର, ଏବେ ଲକ୍ଷ୍ୟ ‘ୱାର୍ଲ୍ଡ ସ୍କିଲ୍ସ’

1 min read

ଭୁବନେଶ୍ୱର : ‘ଇଣ୍ଡିଆ ସ୍କିଲ୍ସ-୨୦୨୪’ରେ ଚମକିଲେ ଓଡ଼ିଶାର ପ୍ରତିଯୋଗୀ। ଏହି ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଟିମ୍ ଓଡ଼ିଶା ଶ୍ରେଷ୍ଠ ପ୍ରଦର୍ଶନ କରିଛି। ସର୍ବଭାରତୀୟ ସ୍ତରରେ ସର୍ବାଧିକ ୫୧ଟି ପଦକ ଏବଂ ୧୭ଟି ସ୍ୱର୍ଣ୍ଣ ଜିତି ରେକର୍ଡ ସୃଷ୍ଟି କରିଛି ଓଡ଼ିଶା । ସୋମବାର ଦିନ ଟିମ୍ ଓଡ଼ିଶାର ପ୍ରତିଯୋଗୀ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରଠାରେ ପହଞ୍ଚିବା ପରେ ସେମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା।

ଇଣ୍ଡିଆ ସ୍କିଲ୍ସରେ ସଫଳତା ପାଇଥିବା ଟିମ୍ ଓଡ଼ିଶାକୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, ‘ପ୍ରତିଯୋଗୀମାନଙ୍କ କଠିନ ପରିଶ୍ରମ, ଉତ୍ସର୍ଗୀକୃତ ମନୋଭାବ ଯୋଗୁଁ ଓଡ଼ିଶାକୁ ଏହି ସଫଳତା ମିଳିପାରିଛି। ଏହା ଆମ ରାଜ୍ୟ ପାଇଁ ଗର୍ବର କଥା। ଏହି ସଫଳତା ଅନ୍ୟମାନଙ୍କ ପାଇଁ ପ୍ରେରଣା ହେବ।’

‘ଇଣ୍ଡିଆ ସ୍କିଲ୍ସ’ରେ ଓଡ଼ିଶା ଲଗାତର ଭାବେ ଶ୍ରେଷ୍ଠ ପ୍ରଦର୍ଶନ କରିଛି। ଚଳିତ ଥର ଟିମ୍ ଓଡ଼ିଶା ସର୍ବାଧିକ ୧୭ଟି ସ୍ୱର୍ଣ୍ଣ ପଦକ ପାଇଥିବା ବେଳେ ୧୩ଟି ରୌପ୍ୟ ଏବଂ ୯ଟି ବ୍ରୋଞ୍ଜ ପଦକ ପାଇଛି। ସେହିପରି ୧୨ ଜଣଙ୍କୁ ମେଡାଲିୟନ ଅଫ ଏକ୍ସଲେନ୍ସ ପୁରସ୍କାର ପ୍ରଦାନ କରାଯାଇଛି। ସେପ୍ଟେମ୍ବର ମାସରେ ଫ୍ରାନ୍ସରେ ହେବାକୁ ଯାଉଛି ‘ୱାର୍ଲ୍ଡ ସ୍କିଲ୍ସ’ ପ୍ରତିଯୋଗିତା। ଇଣ୍ଡିଆ ସ୍କିଲ୍ସ-୨୦୨୪ରେ ଶ୍ରେଷ୍ଠ ପ୍ରଦର୍ଶନ ପରେ ଏବେ ଟିମ୍ ଓଡ଼ିଶାର ଲକ୍ଷ୍ୟ ‘ୱାର୍ଲ୍ଡ ସ୍କିଲ୍ସ’ ରହିଛି।

ଭାରତର ୪ଟି ସହରର ୯ଟି କେନ୍ଦ୍ରରେ ଇଣ୍ଡିଆ ସ୍କିଲ୍ସ-୨୦୨୪ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଭାରତ ସରକାରଙ୍କ ଦକ୍ଷତା ବିକାଶ ଏବଂ ଉଦ୍ୟମଶୀଳତା ମନ୍ତ୍ରାଳୟ ଅଧୀନରେ ଥିବା ଜାତୀୟ ଦକ୍ଷତା ବିକାଶ ନିଗମ (ଏନଏସଡିସି) ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାରତର ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ୯୦୦ରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ।

ଇଣ୍ଡିଆ ସ୍କିଲ୍ସରେ ଓଡ଼ିଶାରୁ ମୋଟ ୬୪ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ମୋବାଇଲ ରୋବୋଟିକ୍ସ, ଇନଫରମେସନ୍ ନେଟୱାର୍କ କେବଲିଂ, ଇଣ୍ଡଷ୍ଟ୍ରିଆଲ କଣ୍ଟ୍ରୋଲ, ମୋବାଇଲ ଆପ୍ଲିକେସନ୍ ଡେଭଲପମେଣ୍ଟ୍, ସାଇବର ସିକ୍ୟୁରିଟି ଭଳି ୪୮ଟି ସ୍କିଲରେ ଭାଗ ନେଇଥିଲେ। ଏଥି ମଧ୍ୟରୁ ୪୧ଟି ସ୍କିଲରେ ଶ୍ରେଷ୍ଠ ପ୍ରଦର୍ଶନ କରି ପଦକ ଜିତିଛନ୍ତି ଓଡ଼ିଶା ପ୍ରତିଯୋଗୀ। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏବଂ ଓଏସଡିଏର ବରିଷ୍ଠ ଅଧିକାରୀମାନେ ବିଭିନ୍ନ କେନ୍ଦ୍ରକୁ ଯାଇ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ।