spot_img

Latest Posts

ବାରବାଟୀରେ ଅଭ୍ୟାସ କଲେ ଭାରତୀୟ ଖେଳାଳି

ନନ୍ଦିଘୋଷ ବ୍ୟୁରୋ: ବାରବାଟୀ ପ୍ରସ୍ତୁତ, ଇଣ୍ଡିଆ ପ୍ରସ୍ତୁତ ଆଉ ଇଂଲଣ୍ଡ ବି ରେଡି। ଆସନ୍ତାକାଲିର ଟକ୍ଟର ପାଇଁ ଉତ୍କଣ୍ଠା ପହଞ୍ଚିଛି ଚରମ ସୀମାରେ। ସାରା ରାଜ୍ୟରେ କ୍ରିକେଟ ଫିଭର୍। ବାରବାଟୀ ମ୍ୟାଚ ପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। ଆଶା କରାଯାଉଛି, ଏହି ମ୍ୟାଚ ହାଇସ୍କୋରିଂ ହେବ। ଟିମ୍ ଇଣ୍ଡିଆର ବ୍ୟାଟିଂ କୋଚ୍ ସୀତାଂଶୁ କୋଟାକ ସଂକେତ ଦେଇଛନ୍ତି, କାଲିର ମ୍ୟାଚରେ ବିରାଟ କୋହଲି ଓ ମହମ୍ମଦ ସାମି ଖେଳିପାରନ୍ତି। ଉଭୟେ ଫିଟ୍ ଅଛନ୍ତି। ଆହତ କାରଣରୁ ସିରିଜର ପ୍ରଥମ ମ୍ୟାଚ ଖେଳି ପାରିନଥିଲେ କୋହଲି। କାଲିର ମ୍ୟାଚ ଯଦି ସେ ଖେଳନ୍ତି, ତେବେ କିଏ ବାଦ୍ ପଡ଼ିବ। ପ୍ଲେଇଂ ଇଲେଭେନ୍ ରେ କିଏ କିଏ ରହିବ, ତାକୁ  ନେଇ ନାନା ଅଙ୍କ କଷା। ସେପଟେ ଆଜି ଅପରାହ୍ନରେ ବାରବାଟୀ ଯାଇ ପ୍ରାକ୍ଟିସ୍ କରିଛନ୍ତି ଟିମ୍ ଇଣ୍ଡିଆର କ୍ରିକେଟର୍। ଗତକାଲି ଦୁଇଟି ଯାକ ଟିମ୍ ଭୁବନେଶ୍ଵରରେ ପହଞ୍ଚିଥିଲେ। ସେମାନଙ୍କୁ ଜୋରଦାର ସ୍ଵାଗତ କରାଯାଇଥିଲା। ଆଜି ଅପରାହ୍ନରେ କଡ଼ା ସୁରକ୍ଷାରେ ବାରବାଟୀ ଯାଇ ପ୍ରାକଟିସ୍ କରିଛି ଟିମ୍ ଇଣ୍ଡିଆ। ତେବେ ଇଂଲଣ୍ଡ ଟିମ୍ ପ୍ରାକ୍ଟିସ୍ କରିନି। ବାରବାଟୀରେ ହୋଇଛି ମୋଟ ୧୯ଟି ୱାନ ଡେ। ଭାରତ ଖେଳିଛି ୧୭ଟି ମ୍ୟାଚ। ସେଥି ମଧ୍ୟରୁ ଜିତିଛି ୧୩ଟି । ଭାରତ ଖେଳିଥିବା ଗତ ୭ଟି ଯାକ ମ୍ୟାଚରେ ବିଜୟୀ ହୋଇଥିବାରୁ ଏହି ଧାରା ବଜାୟ ରଖିବାକୁ ଟିମ୍ ଲକ୍ଷ୍ୟ ରଖିଛି। ବାରବାଟୀର ସର୍ବୋଚ୍ଚ ସ୍କୋର ହେଲା ୩୮୧ ରନ, ଯାହାକି ଭାରତ କରିଥିଲା । ଗତ ୨୦୧୭ ଜାନୁଆରି ୧୯ରେ ଏହି ମ୍ୟାଚ ହୋଇଥିଲା। ବାରବାଟୀରେ ହୋଇଥିବା ମୋଟ୍ ୧୯ଟି ୱାନ ଡେ ମଧ୍ୟରୁ ୧୧ଟି ମ୍ୟାଚରେ ଚେଜ୍ କରିଥିବା ଟିମ୍ ଜିତିଥିବା ବେଳେ ପ୍ରଥମେ ବ୍ୟାଟିଂ କରିଥିବା ଦଳ ୮ଟି ମ୍ୟାଚରେ ବିଜୟୀ ହୋଇଛନ୍ତି।

Latest Posts

Don't Miss