ଆଜି ନିର୍ବାଚନ କମିଶନଙ୍କ ନିକଟରେ ୩ଟି ଚିହ୍ନ ଦାଖଲ କରିବେ ଏକନାଥ ସିନ୍ଦେ

ମୁମ୍ବାଇ: ଆଜି ନିର୍ବାଚନ କମିଶନଙ୍କ ନିକଟରେ ୩ଟି ଚିହ୍ନ ଦାଖଲ କରିବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗୋଷ୍ଠୀ । ପୂର୍ବରୁ ଦାଖଲ କରାଯାଇଥିବା ତ୍ରିଶୂଳ, ଉଦିତ ସୂର୍ଯ୍ୟ ଓ ଗଦାକୁ ଇସି ଅଗ୍ରାହ୍ୟ କରିବା ପରେ ନୂଆ ଚିହ୍ନ ଦାଖଲ ଲାଗି ନିର୍ଦ୍ଦେଶ ଦେଇଥିଲେ । ଗତକାଲି ଶିବସେନା ଉଦ୍ଧବ ଠାକେର ଗୋଷ୍ଠୀଙ୍କୁ ମିଳିଥିଲା ମଶାଲ ଚିହ୍ନ । ଏହା ସହ ତାଙ୍କ ଦଳର ନାମ ଶିବସେନା ଉଦ୍ଧବ ବାଲା ସାହେବ ଠାକରେ ରହିବ ବୋଲି କହିଥିଲେ କମିଶନ ।

ସେହିପରି ଏକନାଥ ସିନ୍ଦେ ଗୋଷ୍ଠୀର ନାମ ବାଲାସାହେବାଚି ଶିବସେନା ରଖିବାକୁ କମିଶନ ନିର୍ଦ୍ଦେଶ ଦେଇଥିଲେ। ଉଦ୍ଧବ ଗୋଷ୍ଠୀ ପକ୍ଷରୁ ଆବେଦନ କରାଯାଇଥିଲା ୩ଟି ନାମ। ତାହାଥିଲା ଶିବସେନା ବାଲାସାହେବ ଠାକରେ, ଶିବସେନା ବାଲାସାହେବ ପ୍ରବୋଧଙ୍କର ଠାକରେ ଓ ଶିବସେନା ଉଦ୍ଧବ ବାଲସାହେବ ଠାକରେ । ଏହା ସହ ଉଦ୍ଧବ ଠାକରେ ଗୋଷ୍ଠୀ ପକ୍ଷରୁ ଉଦିତ ସୂର୍ଯ୍ୟ, ତ୍ରିଶୂଳ ଓ ମଶାଲ ଚିହ୍ନ ନିମନ୍ତେ କରାଯାଇଥିଲା ଆବେଦନ।

ସେପଟେ ଏକନାଥ ସିନ୍ଦ ଗୋଷ୍ଠୀର ନାମ ବାଲାସାହେବାଚି ଶିବସେନା ରହିବ ବୋଲି ନିଷ୍ପତ୍ତି ନେଇଥିଲେ କମିଶନ । ତେବେ ସିନ୍ଦେ କ୍ୟାମ୍ପ ପକ୍ଷରୁ ବିକଳ୍ପ ସିମ୍ବଲ ଦାଖଲ ଲାଗି ନିର୍ବାଚନ କମିଶନ ଦେଇଥିଲେ ନିର୍ଦ୍ଦେଶ । ଆସନ୍ତା ନଭେମ୍ବର ୩ରେ ଅନ୍ଧେରୀ ଇଷ୍ଟରେ ଉପନିର୍ବାଚନ ହେବାକୁ ଯାଉଥିବାରୁ ଶିବସେନାର ଦୁଇ ଗୋଷ୍ଠୀଙ୍କୁ ଚିହ୍ନ ଲାଗି ଆବେଦନ କରିବା ସକାଶେ ନିର୍ଦ୍ଦେଶ ଦେଇଥିଲେ କମିଶନ ।