ନୂଆ ଓ ଆକର୍ଷଣୀୟ ଢଙ୍ଗରେ ଗଣିତ ଓ ଇଂରାଜୀ ପଢ଼ାଇବେ ଶିକ୍ଷକ
ଭୁବନେଶ୍ବର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଫୋକସରେ ଗଣିତ ଓ ଇଂରାଜୀ ଶିକ୍ଷା । ଦିନକୁ ଦିନ ଛାତ୍ରଛାତ୍ରୀ ଗଣିତ ଓ ପଣିକିଆ ପ୍ରତି ରୁଚି ହରାଉଛନ୍ତି । ଯାହା ଉଚ୍ଚଶିକ୍ଷା ସମୟରେ ଶିକ୍ଷା ଗ୍ରହଣରେ ଅସୁବିଧାରେ ପକାଉଛି । ପ୍ରତିକାର ଲାଗି ଶିକ୍ଷକଙ୍କୁ ବ୍ଲକସ୍ତରୀୟ ଟ୍ରେନିଂ ଦିଆଯିବ । ଫଳରେ ସେମାନେ ନୂଆ ଓ ଆକର୍ଷଣୀୟ ଢଙ୍ଗରେ ପଢ଼ାଇବେ ଗଣିତ । ଏଥିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ ସ୍କୁଲ ରିସୋର୍ସ ଗ୍ରୁପ ।
ହଠାତ୍ ସ୍କୁଲ ପରିଦର୍ଶନ କରୁଛନ୍ତି ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ । ସରପ୍ରାଇଜ ଭିଜିଟରେ ଅଧିକାଂଶ ସମୟରେ ଛାତ୍ରଛାତ୍ରୀଙ୍କୁ ଇଂରାଜୀ ଓ ଗଣିତ ଜ୍ଞାନ ନେଇ ପ୍ରଶ୍ନ କରୁଛନ୍ତି । ହେଲେ ଅନେକ ପିଲା ପଣିକିଆ କହିବାରେ ଅସମର୍ଥ ଥିବା ପରିଲଖିତ ହେଉଛି । କେଉଁଠି ପିଲାଙ୍କ ଗଣିତ ପ୍ରତି ରୁଚି ରହୁନି ତ ଆଉ କେଉଁଠି ଶିକ୍ଷକଙ୍କ ପଢାଇବା ଢାଞ୍ଚାରେ ଖାପ ଖୁଆଇ ପାରୁ ନାହାନ୍ତି ଛାତ୍ରଛାତ୍ରୀ । ଏ ସବୁକୁ ଦୃଷ୍ଟିରେ ରଖି ଗଣିତ ଶିକ୍ଷାକୁ ଅଧିକ ଗୁରୁତ୍ଵ ଦେବାକୁ ଅଣ୍ଟା ଭିଡ଼ିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଆସନ୍ତା ଜୁନ୍ ୨୬ରୁ ଜୁଲାଇ ୧୦ ଯାଏଁ ବ୍ଲକସ୍ତରୀୟ ଶିକ୍ଷକ ପ୍ରଶିକ୍ଷଣ ଦିଆଯିବ । ସ୍କୁଲ ରିସୋର୍ସ ଗ୍ରୁପ୍ ବା ଏସ୍ଆରଜି ଶିକ୍ଷକଙ୍କୁ ତାଲିମ ପ୍ରଦାନ କରିବେ ।
ସ୍କୁଲ ଶିକ୍ଷାକୁ ଗଣଶିକ୍ଷା ବିଭାଗ ଅଧିକ ଗୁରୁତ୍ବ ଦେଉଛି । ସ୍କୁଲରେ ଗଠିତ ବିଭିନ୍ନ କ୍ଲବ ଜରିଆରେ ବୌଦ୍ଧିକ ବିକାଶ କରାଯାଉଛି । ଗଣିତ ଜ୍ଞାନ ବୃଦ୍ଧି ସହ ଆଗାମୀ ଦିନରେ କିପରି ବିଭିନ୍ନ ପ୍ରବେଶିକା ତଥା ପ୍ରତିଯୋଗିତାମୂଳକ ପରୀକ୍ଷାରେ ପିଲାମାନେ ଉନ୍ନତି କରିବେ, ସେଥିପ୍ରତି ଧ୍ୟାନ ଦିଆଯାଉଛି । ପିଲାଙ୍କ ଗଣିତ ଜ୍ଞାନ ବୃଦ୍ଧି ପାଇଁ ପ୍ରଥମେ ଶିକ୍ଷକଙ୍କୁ ଦକ୍ଷ କରାଯିବ । ପ୍ରଥମେ ଏସଆରଜିମାନଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ତାଲିମ ଦିଆଯାଇଛି । ୫୬ ଜଣ ଏସଆରଜିଙ୍କୁ ୩୦ ଜିଲ୍ଲାର ଦାୟିତ୍ଵ ଦିଆଯାଇଛି । ସେମାନେ ବ୍ଲକସ୍ତରରେ ଶିକ୍ଷକଙ୍କୁ ତାଲିମ ଦେବେ
ସ୍କୁଲର ଗଣିତ ଶିକ୍ଷାରେ ସେତେଟା ତ୍ରୁଟି ନାହିଁ । ହେଲେ ପୁରୁଣା ପଦ୍ଧତି ଉପରେ ଆଧାରିତ ହୋଇଥିବାରୁ, ଆଜିର ପିଲାମାନଙ୍କୁ ତାହା ବିଶେଷ ଆକର୍ଷିତ କରିପାରୁନାହିଁ । ସ୍କ୍ବେୟାର ରୁଟ୍, ଟ୍ରିଗୋନୋମେଟ୍ରି ଓ ପଣିକିଆକୁ ନୂଆ ନୂଆ ଢାଞ୍ଚାରେ ବିଭିନ୍ନ ରାଜ୍ୟ ସମେତ ଘରୋଇ ସ୍କୁଲରେ ପଢାଯାଉଛି । ଯାହା ଛାତ୍ରଛାତ୍ରୀଙ୍କୁ ଗଣିତ ପ୍ରତି ଆକୃଷ୍ଟ କରିବାରେ ସହାୟକ ହେଉଛି ।