ଓଡ଼ିଶାରେ ପ୍ରତିଷ୍ଠା ହେବ ଟାଟା ମେମୋରିଆଲ କ୍ୟାନସର ହସ୍ପିଟାଲ୍; ରାଜ୍ୟ ସରକାର ଯୋଗାଇବେ ୪୦ଏକର ଜାଗା

1 min read

ଭୁବନେଶ୍ୱର: ଓଡ଼ିଶାରେ ମିଳିବ ବିଶ୍ୱସ୍ତରୀୟ ଚିକିତ୍ସା। ଭୁବନେଶ୍ୱରରେ ୬୫୦ କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠା ହେବ ୨୦୦ ଶଯ୍ୟା ବିଶିଷ୍ଟ କ୍ୟାନସର ହସ୍ପିଟାଲ। ଏଥି ଲାଗି ରାଜ୍ୟ ସରକାର ଯୋଗାଇବେ ୪୦ଏକର ଜାଗା । ଭିତ୍ତିଭୂମିର ବିକାଶ ଲାଗି କରିବେ ସମସ୍ତ ସହଯୋଗ। ଏନେଇ ଟାଟା ମେମୋରିଆଲ ସେଣ୍ଟର ଓ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସହ ଏମଓୟୁ ସ୍ୱାକ୍ଷରିତ ହୋଇଛି । ହସ୍ପିଟାଲରେ ବିଏସକେୱାଇ କାର୍ଡ଼ଧାରୀଙ୍କୁ ମାଗଣା ସୁବିଧା ବ୍ୟବସ୍ଥା ରହିବ।

ରେଡିଓ ଆଇସୋଟୋପ ଲାଗି ସରକାର ବି ଯୋଗାଇବେ ଏକ ସାଇକ୍ଲୋଟ୍ରନ ମେସିନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି- ରାଜ୍ୟରେ ଏହି ହସ୍ପିଟାଲ ପ୍ରତିଷ୍ଠା ହେବା ଦ୍ୱାରା କେବଳ ଓଡିଶାବାସୀ ନୁହନ୍ତି ସମଗ୍ର ପୂର୍ବ ଭାରତବାସୀ ଉପକୃତ ହେବେ। ଏନେଇ ପ୍ରଧାନମନ୍ତ୍ରୀ, ଆଣବିକ ଶକ୍ତି ବିଭାଗ ଓ ଟାଟା ମେମୋରିଆଲ ସେଣ୍ଟରକୁ ଧନ୍ୟବାଦ ଦେଇଛନ୍ତି । ରାଜ୍ୟବାସୀ ବିଶ୍ୱସ୍ତରୀୟ ଚିକିତ୍ସା ସୁବିଧା ପାଇବେ ବୋଲି ଆଶା ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏମଓୟୁରେ ସ୍ୱାକ୍ଷର କରିଥିଲେ ମୁମ୍ବାଇ ଟାଟା ମେମୋରିଆଲ ସେଣ୍ଟରର ନିର୍ଦ୍ଦେଶକ ଡାକ୍ତର ରାଜେନ୍ଦ୍ର ବଦାୱି ଓ ସାଧାରଣ ସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ସଚିବ ଡାକ୍ତର ଅଜିତ କୁମାର ମହାନ୍ତି। ପ୍ରକଳ୍ପ ଲାଗି ଆଣବିକ ଶକ୍ତି ବିଭାଗ ୪୦୦ କୋଟି ଟଙ୍କା ଓ ଟାଟା ଟ୍ରଷ୍ଟ ୨୫୦ କୋଟି ଟଙ୍କା ଖର୍ଚ୍ଚ କରିବେ।

ହସ୍ପିଟାଲ ପରିସରରେ ନିର୍ମାଣ ହେବ ସାଇକ୍ଲୋଟ୍ରନ, ଷ୍ଟାଫ କ୍ୱାର୍ଟର୍ସ, ଟାଉନସିପ, ଆକାଡେମିକ ବ୍ଲକ, ରେଷ୍ଟ ସେଡ, ଧର୍ମଶାଳା ଇତ୍ୟାଦି । ସେବା, ଶିକ୍ଷା ଓ ଗବେଷା ଦିଗରେ ଅଭିପ୍ରେତ ହେବ ହସ୍ପିଟାଲ । ଏହି ହସ୍ପିଟାଲ ପ୍ରତିଷ୍ଠା ହେବା ଯୋଗୁ ରାଜ୍ୟବାସୀ କ୍ୟାନସରର ଚିକିତ୍ସା ଲାଗି ବାହାର ରାଜ୍ୟକୁ ଯିବାକୁ ପଡିବ ନାହିଁ । ଏହି ବିଭାଗରେ ସର୍ଜିକାଲ ଅଙ୍କୋଲୋଜି, ମେଡିକାଲ ଅଙ୍କୋଲୋଜି, ରେଡିଓଲୋଜି, ମାଇକ୍ରୋବାୟୋଲୋଜି, ବାୟୋକେମିଷ୍ଟ୍ରି ଆଦି ବିଭାଗ ରହିବ । ହସ୍ପିଟାଲ କ୍ୟାମ୍ପସରେ ବି ପ୍ରତିଷ୍ଠା ହେବ ଆହାର କେନ୍ଦ୍ର । ପ୍ରତିବର୍ଷ ରାଜ୍ୟରେ ୪୦ ହଜାର ନୂଆ କର୍କଟ ରୋଗୀ ଚିହ୍ନଟ ହେଉଥିବାବେଳେ ୧୮ ହଜାର ରୋଗୀଙ୍କ ଜୀବନ ନେଉଛି କର୍କଟ ।