spot_img

Latest Posts

ହାସିନାଙ୍କୁ ଟାର୍ଗେଟ କଲେ ତସଲିମା ନାସରିନ୍, ‘ଯେଉଁମାନଙ୍କୁ ସୃଷ୍ଟି କରିଥିଲେ ସେହିମାନଙ୍କ ଶିକାର ହେଲେ ’

ନନ୍ଦିଘୋଷ ବ୍ୟୁରୋ: ବାଂଲାଦେଶର ଚାରି ଆଡ଼େ ହାହାକାର । ସଂରକ୍ଷଣ ପ୍ରସଙ୍ଗକୁ ନେଇ ଆରମ୍ଭ ହୋଇଥିବା ହିଂସା ପୁରା ବାଂଲାଦେଶକୁ କବଜା କରି ରଖିଛି । ପ୍ରଧାନମନ୍ତ୍ରୀ ଶେଖ ହାସିନା ଦେଶ ଛାଡି ଭାରତରେ ଆଶ୍ରୟ ନେଇଛନ୍ତି । ବାଂଲାଦେଶରେ ମୌଳବାଦୀଙ୍କ ଏହି କାର୍ଯ୍ୟକୁ ଚାରିଆଡେ ନିନ୍ଦା କରାଯାଉଛି । ବାଂଲାଦେଶର ଜଣାଶୁଣା ଲେଖକ ତସଲିମା ନାସିରିନ୍ ମଧ୍ୟ ହିଂସା ନିଆଁରେ ବାଂଲାଦେଶ ଜଳୁଥିବା ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି। ଏହି ପରିସ୍ଥିତି ପାଇଁ ସେ ଶେଖ ହସିନାଙ୍କୁ ଦାୟୀ କରିଛନ୍ତି।
ବାଂଲାଦେଶରୁ ନିର୍ବାସିତ ହେବା ପରେ ଭାରତରେ ରହୁଥିବା ତସଲିମା ନାସରିନ୍ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଲେଖିଛନ୍ତି ଯେ, ଶେଖ ହସିନା ମୋତେ ନିଜ ଦେଶରୁ ବାହାର କରି ଦେଇଥିଲେ । ମୋତେ ଆଉ ଦେଶକୁ ପ୍ରବେଶ କରିବାକୁ ଦିଆଯାଇନଥିଲା । ଆଜି ହସିନାଙ୍କୁ ଦେଶ ଛାଡିବାକୁ ବାଧ୍ୟ କରିଥିବା ସେହି ଉଗ୍ରବାଦୀମାନେ ଛାତ୍ର ଆନ୍ଦୋଳନରେ ଜଡିତ ଅଛନ୍ତି।
ତସଲିମା ନାସିରିନ୍ ଲେଖିଛନ୍ତି, ଶେଖ ହସିନାଙ୍କୁ ଇସ୍ତଫା ଦେଇ ଦେଶ ଛାଡିବାକୁ ପଡିଲା। ସେହି ପରିସ୍ଥିତି ପାଇଁ ସେ ନିଜେ ଦାୟୀ । ସେ ମୌଳବାଦୀମାନଙ୍କ ପାଇଁ କ୍ଷେତ୍ର ପ୍ରସ୍ତୁତ କରିଥିଲେ। ତାଙ୍କ ଲୋକଙ୍କୁ ଦୁର୍ନୀତିରେ ଜଡିତ ହେବାକୁ ଅନୁମତି ଦେଇଥିଲେ । ବର୍ତ୍ତମାନ ବାଂଲାଦେଶ ପାକିସ୍ତାନ ଭଳି ହେବା ଉଚିତ ନୁହେଁ। ଦେଶରେ ସେନା ଶାସନ କରିବା ଉଚିତ୍ ନୁହେଁ। ରାଜନୈତିକ ଦଳ ଗଣତନ୍ତ୍ର ଏବଂ ଧର୍ମନିରପେକ୍ଷତା ଆଣିବା ଉଚିତ୍।

ଦୁଇ ଦିନ ପୂର୍ବେ ସେ ଶେଖ ହସିନାଙ୍କୁ ଫ୍ରାଙ୍କେନଷ୍ଟାଇନ ବୋଲି ବର୍ଣ୍ଣନା କରି ସେ ଲେଖିଛନ୍ତି ଯେ,- ଶେଖ ହସିନା ଫ୍ରାଙ୍କେନଷ୍ଟାଇନ ପରି। ସେ ଅଧିକ ସଂଖ୍ୟାରେ ମସଜିଦ ଓ ମଦ୍ରାସର ନିର୍ମାଣ କରି ମହିଳା ବିରୋଧୀ ଇସଲାମି ଉପଦେଶକଙ୍କୁ ଯୁବକଙ୍କ ବ୍ରେନୱାସ ପାଇଁ ଅନୁମତି ଦେଇ ତଥା ଇସଲାମୀ ସ୍କୁଲର ଡିଗ୍ରୀକୁ ବିଶ୍ୱବିଦ୍ୟାଳୟ ଡିଗ୍ରୀ ସମକକ୍ଷ କରାଇ ରାକ୍ଷସଙ୍କ ସୃଷ୍ଟି କରିଥିଲେ,ଏବେ ସେହି ରାକ୍ଷସମାନେ ସେ କ୍ଷମତାରୁ ଯାଆନ୍ତୁ ବୋଲି ଚାହୁଁଛନ୍ତି ।

ତସଲିମା ନାସରିନ୍ ବାଂଲାଦେଶର ଜଣେ ପ୍ରସିଦ୍ଧ ଲେଖକ । ସେ ନିଜ ଲେଖାରେ ସର୍ବଦା ଇସଲାମୀ ମୌଳବାଦୀଙ୍କ ଉପରେ ଆକ୍ରମଣ କରିଆସୁଛନ୍ତି। ଉପନ୍ୟାସ ସହିତ ତସଲିମା ମଧ୍ୟ କବିତା ଲେଖନ୍ତି । ତାଙ୍କ ଉପନ୍ୟାସ ଲଜ୍ଜା ଉପରେ ଭାରତରେ ଏକ ଚଳଚ୍ଚିତ୍ର ମଧ୍ୟ ନିର୍ମାଣ କରାଯାଇଛି। ଲଜ୍ଜାରେ ସେ ଇସଲାମ ନାମରେ ପ୍ରଚଳିତ ଧର୍ମାନ୍ଧତାକୁ ନିନ୍ଦା କରିଥିଲେ। ଏହି କାରଣରୁ ତସଲିମାଙ୍କ ବିରୋଧରେ ଏକ ଫତୱା ମଧ୍ୟ ଜାରି କରାଯାଇଥିଲା। ତାଙ୍କୁ ବାଂଲାଦେଶ ଛାଡି ଅନ୍ୟ ଦେଶରେ ଆଶ୍ରୟ ନେବାକୁ ପଡିଥିଲା। ବର୍ତ୍ତମାନ ସେ ଦୀର୍ଘ ଦିନ ଧରି ଭାରତରେ ରହୁଛନ୍ତି। ତସଲିମା ବୃତ୍ତି ଅନୁଯାୟୀ ଡାକ୍ତର ଥିଲେ, ପରେ ଜଣେ ଲେଖକ ହୋଇଥିଲେ ।

Latest Posts

Don't Miss