କଂଗ୍ରେସ ନେତାଙ୍କୁ ତାରାଙ୍କ ଅନୁରୋଧ, ଦିଲ୍ଲୀ ଯିବା ଛାଡ଼

ଭୁବନେଶ୍ବର: ରାଜ୍ୟ କଂଗ୍ରେସର ହେବ ଢାଞ୍ଚାଗତ ପରିବର୍ତ୍ତନ । ଦଳରେ ରହିବ ନାହିଁ ଗୋଷ୍ଠୀ ବିବାଦ କି ଭାଗ ଭାଗ ହେବାକୁ ଦିଆଯିବ ନାହିଁ । ୨୦୨୯ରେ କଂଗ୍ରେସ ଓଡିଶାରେ ନମ୍ବର ଓ୍ବାନ ଦଳ ଭାବେ ଛିଡ଼ା କରିବାକୁ ଏବେ ଠାରୁ ରଣନୀତି ପ୍ରସ୍ତୁତ ହୋଇଛି । ତେଣୁ କଂଗ୍ରେସ ନେତାମାନେ ଦିଲ୍ଲୀ ଯିବା ବନ୍ଦ କରି ସଂଗଠନ ସଜାଡ଼ିବାକୁ ହାତଯୋଡି ଅନୁରୋଧ କରିଛନ୍ତି ବିଧାୟକ ତାରା ପ୍ରସାଦ ବାହିନୀପତି । ଗଣମାଧ୍ୟମ ଆଗରେ ତାରା ତାଙ୍କ ମନ କଥା କହିବା ପରେ ରାଜ୍ୟ କଂଗ୍ରେସ ରାଜନୀତିରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି ।

୨୦୨୪ ନିର୍ବାଚନ ଫଳାଫଳ ସଙ୍କେତ ଦେଇଛି ୨୦୨୯ରେ କଂଗ୍ରେସ ରାଜ୍ୟରେ ଏକ ନମ୍ବର ଦଳ ହେବ । ତେଣୁ କଂଗ୍ରେସ ନେତାମାନେ ଏକାଠି ହୋଇ କାମ କରିବାକୁ ହାତ ଯୋଡ଼ି ଅନୁରୋଧ କରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । କଂଗ୍ରେସର ୧୪ ଜଣ ବିଧାୟକ ଏଥର ବିଧାନସଭାକୁ ନିର୍ବାଚିତ ହୋଇଯାଇଛନ୍ତି । ସମସ୍ତେ ଏକ ହୋଇ ଓଡ଼ିଶାର ଦୁର୍ନୀତି, ଭଷ୍ଟ୍ରାଚାର ବିରୋଧରେ ଦୃଢ ସ୍ବର ଉଠାଇବା ସହ ଲୋକଙ୍କ ସମସ୍ୟା ଦୂର କରିବାକୁ ପ୍ରସ୍ତୁତ ରହିବାକୁ ବିଧାୟକମାନଙ୍କୁ କହିଛନ୍ତି । ବିଧାନସଭାରେ ଦଳ ପକ୍ଷରୁ ତାଙ୍କୁ ବିଧାୟକ ଦଳ ନେତା କରାଯାଉ କି ନଯାଉ ତାଙ୍କ ଶାଣିତ ସ୍ବର ବିଧାନସଭାରେ ପ୍ରକମ୍ପିତ ହେବ । ନିକଟରେ ବିଧାୟକ ତାରା କିଛି ବିଧାୟକଙ୍କ ସହ ଦିଲ୍ଲୀ ଯାଇ ଦଳର ବରିଷ୍ଠ ନେତୃବୃନ୍ଦଙ୍କ ସହ ଆଲୋଚନା କରିଛନ୍ତି  । ଏହାସହ କାହିଁକି ୨୦୨୪ରେ ଦଳର ନୈରାଶ୍ୟଜନକ ପରାଜୟ ହୋଇଛି ତାହାର କାରଣ ନେଇ ମଧ୍ୟ ହାଇକମାଣ୍ଡଙ୍କୁ ଅବଗତ କରିଛନ୍ତି ।

୨୦୨୪ରେ କଂଗ୍ରେସର ଆସନ ସଂଖ୍ୟା ବୃଦ୍ଧି ହୋଇଥିଲେ ମଧ୍ୟ ଦଳର ଭୋଟ ହାର କମିଛି । ୨୦୧୯ ନିର୍ବାଚନ ପରେ କଂଗ୍ରେସର ଲଗାତର ଭାବେ ଭୋଟ ପ୍ରତିଶତ ହାର କମିବା ସହ ତୃଣମୂଳସ୍ତରେ କଂଗ୍ରେସ ସଂଗଠନ ଦୁର୍ବଳ ହେବାରେ ଲାଗିଛି । ତେଣୁ ଦଳର ବରିଷ୍ଠ ନେତାମାନେ ଏକାଠି ହୋଇ କାମ କରିବାକୁ ଆହ୍ବାନ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା । ଜଣକ ପରେ ଜଣେ ନେତା ସଂଗଠନକୁ ନେଇ ମୁହଁ ଖୋଲିବା ରାଜ୍ୟ କଂଗ୍ରେସ ରାଜନୀତିରେ ହଲଚଲ ସୃଷ୍ଟି କରିଛି ।

ଚବିଶ ନିର୍ବାଚନ ଫଳାଫଳ ଆସିବା ପରେ କଂଗ୍ରେସ ରାଜନୀତିରେ ସରଗରମ ହେବାରେ ଲାଗିଛି  । ୨୦୨୯ ପାଇଁ ଯେ କଂଗ୍ରେସ ରୋଡମ୍ଯାପ ପ୍ରସ୍ତୁତ କରୁଛି ତାହା ଜଳଜଳ ହୋଇ ଦିଶୁଛି । ତାର ସଂକେତ ହେଲା ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ଭକ୍ତ ଦାସଙ୍କ ଇସ୍ତଫା ଓ ବହୁ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ।