କାହାଣୀ ୨୧: ଦୁଇ ଦଶନ୍ଧି ପରେ ପୁଣି ଥରେ ଆଫଗାନିସ୍ତାନକୁ ଦଖଲ କଲା ତାଲିବାନ

ନନ୍ଦିଘୋଷ ବ୍ୟୁରୋ: ମଧ୍ୟାହ୍ନରେ ସୂର୍ଯ୍ୟାସ୍ତ । ଲଢ଼େଇ ପୂର୍ବରୁ ଆତ୍ମସମର୍ପଣ । ହଠାତ୍ ସବୁକିଛି ହୋଇଗଲା ଓଲଟ ପାଲଟ । ଇତିହାସରେ ପୁଣି ଯୋଡ଼ିହେଲା କଳାଫର୍ଦ୍ଦ । ଆଫଗାନିସ୍ତାନକୁ ପୁଣି ଫେରିଲା ତାଲିବାନ ଯୁଗ । ଦୀର୍ଘ ୨୦ ବର୍ଷ ଧରି ଆଫଗାନିସ୍ତାନରେ କ୍ଷମତାରୁ ବାହାରେ ରହିଥିବା ତାଲିବାନ ୨୦୨୧ରେ ପୁଣି ଥରେ ଶାସନକୁ ଫେରିଥିଲା । ବଳ ପୂର୍ବକ କ୍ଷମତାକୁ ଦଖଲ କରିଥିଲା ତାଲିବାନ । ୧୦୩ ଦିନର ଲଢ଼େଇ ପରେ ଆଫଗାନିସ୍ତାନକୁ ନିଜ କବଜ୍ଜାକୁ ନେଲା ତାଲିବାନ । କାବୁଲରେ ଏବେ ଚାଲିଛି ମାନବିକାର ହତ୍ୟା । ଶଙ୍କା, ଭୟରେ ଜୀବନ ଏବେ ଛଟପଟ । ମରଣଠୁ ଜୀବନ ଏଠି ଅଧିକ ଯନ୍ତ୍ରଣାଦାୟକ । ଜୀବନ ପୋକମାଛିଠୁ ବି ହୀନ । ଯୁଆଡ଼େ ଗଲେ ଆଫଗାନିସ୍ତାନରେ ଏବେ ତ୍ରାହି ତ୍ରାହି ।

ଆଫଗାନିସ୍ତାନରେ ଆମେରିକା ସେନା ପ୍ରତ୍ୟାହାର କରିବା ପରେ ସୃଷ୍ଟି ହୋଇଥିଲା ବିସ୍ଫୋରକ ପରିସ୍ଥିତି । ତାଲିବାନ ଆକ୍ରମଣରୁ ବର୍ତ୍ତିବା ଲାଗି ଆଫଗାନିସ୍ତାନ ରାଷ୍ଟ୍ରପତି ଅସରଫ ଘନି ଶେଷରେ ଦେଶ ଛାଡି ପଳାୟନ କରିଥିଲେ । ଘନିଙ୍କ ସହ ଅନେକ ମନ୍ତ୍ରୀ ଓ ନେତା ମଧ୍ୟ ଦେଶ ଛାଡି ପଳାଇ ଥିଲେ ।  ଯାହା ଫଳରେ ବିନା ବିରୋଧରେ ତାଲିବାନ ଆଫଗାନିସ୍ତାନକୁ ନିଜ ଦଖଲକୁ ନେଇଥିଲା । ୨୦ ବର୍ଷ ପରେ ପୁଣି ଥରେ ଆଫଗାନିସ୍ତାନକୁ ଫେରିଥିଲା ତାଲିବାନ ଶାସନ । ଅନ୍ୟପକ୍ଷରେ ତାଲିବାନ ଆଫଗାନିସ୍ତାନରେ କ୍ଷମତା ହାତେଇବା ପରେ ସେଠାକାର ଲୋକଙ୍କ ମନରେ ସୃଷ୍ଟି ହୋଇଥିଲା କୋକୁଆ ଭୟ । ତାଲିବାନ ଆକ୍ରମଣ ଭୟରେ ହଜାରେ ହଜାରେ ସଂଖ୍ୟାରେ ଆଫଗାନ ନାଗରିକ ଦେଶ ଛାଡି ପଳାଇଥିଲେ । ଆଫଗାନିସ୍ତାନକୁ ଅକ୍ତିଆର କରିବା ପରେ ତାଲିବାନ ସରକାରୀ ଟେଲିଭିଜିନରେ କହିଥିଲେ କି ଆଫଗାନିସ୍ତାନରେ ସ୍ୱାଭାବିକ ଭାବରେ ଶାସନ ଚାଲିବ । କିନ୍ତୁ ତାଲିବାନ ଶାସନ ଉପରେ କୌଣସି ଆଫଗାନିଙ୍କ ଭରସା ନଥିଲା ।  ଯାହା ଫଳରେ ସେଠାକାର ନାଗରିକ ଦେଶ ଛାଡି ପଳାୟନ କରିବାକୁ ଉଚିତ ମନେ କରିଥିଲେ ।

ଆଫଗାନିସ୍ତାନକୁ ଦାଖଲ କରିବା ପରେ ତାଲିବାନ କହିଥିଲା କି ଦେଶରେ ସ୍ୱାଭାବିକ ଶାସନ ଚାଲିବ । କିନ୍ତୁ ତାଲିବାନର ଏ ପ୍ରତିଶୃତି ଥିଲା ପାଣିର ଗାର । କାବୁଲ ଦଖଲ କରିବାର ଗୋଟିଏ ଦିନ ପରେ ହିଁ ତାଲିବାନ ଆରମ୍ଭ କରିଦେଇଥିଲେ ବର୍ବରତା । ତାଲିବାନ ଆତଙ୍କବାଦୀମାନେ ସବୁ ଅଞ୍ଚଳରେ ଆରମ୍ଭ କରିଦେଇଥିଲେ ନିଜର ଦବଦବା । ଘର ଘର ବୁଲି ତାଲିବାନ ଶାସନକୁ ବିରୋଧ କରୁଥିବା ଲୋକଙ୍କୁ ଖୋଜି ଖୋଜି ହତ୍ୟା କରୁଥିବାର ଜଣାପଡ଼ିଥିଲା । କେବଳ ଏତିକି ନୁହେଁ ମହିଳାମାନଙ୍କ ଉପରେ ମଧ୍ୟ ଆକ୍ରମଣ କରିଥିଲା ତାଲିବାନ । ଯେଉଁ ମହିଳାମାନେ ବୁର୍ଖା ପିନ୍ଧିନଥିଲେ ସେମାନଙ୍କୁ ଖୋଜି ଖୋଜି ହତ୍ୟା କରିଥିଲେ ତାଳିବାନର ଆତଙ୍କବାଦୀମାନେ ।

ଏସବୁ ମଧ୍ୟରେ ଆଫଗାନିସ୍ତାନରେ ଦେଖାଯାଇଥିଲା ଆଉ ଏକ ଅଭାବନୀୟ ଦୃଶ୍ୟ । ୨୦ ବର୍ଷ ପରେ ତାଲିବାନ ଶାସନକୁ ଫେରିଥିଲା ସତ କିନ୍ତୁ ଏବେ ବି ତାଲିବାନର କ୍ରୁରତା ଓ କଠୋରତା ଲୋକଙ୍କ ମନରୁ ଲିଭିନଥିଲା । ଏହି କଠୋରତା ଆତଙ୍କବାଦୀଙ୍କ କବଳରୁ ମୁକ୍ତି ପାଇବା ପାଇଁ ନିଜର ଦେଶରୁ ମୋହ ତୁଟାଇ ଅନ୍ୟ ଦେଶକୁ ଯିବା ପାଇଁ ସ୍ଥିର କରିଥିଲେ ହଜାର ହଜାର ସଂଖ୍ୟାର ଆଫଗାନ ନାଗରିକ । ଯାହା ଫଳରେ ଏୟାରର୍ପୋଟ ଓ ବସଷ୍ଟାଣ୍ଡରେ ହଜାର ହଜାର ସଂଖ୍ୟାରେ ଲୋକ ରୁଣ୍ଡ ହୋଇଥିଲେ । ଆଫଗାନିସ୍ତାନରୁ ନିଜ ନାଗରିକଙ୍କୁ ଆଣିବା ପାଇଁ ଅନ୍ୟ ଦେଶ ପଠାଇଥିବା ବିମାନରେ ଲୋକମାନେ ଚଢ଼ିଯାଇଥିଲେ । ଏମାନଙ୍କୁ ଘଉଡାଇବା ସମୟରେ ଗୁଳି ମାଡରେ ଚାଲି ଯାଇଥିଲା ୭ ନିରୀହଙ୍କ ଜୀବନ । କେବଳ ଏତିକି ନୁହେଁ ତାଲିବାନ ଶାସନରୁ ମୁକ୍ତି ପାଇବା ପାଇଁ ଲୋକମାନେ ବିମାନରେ ଓହଳି ଅନ୍ୟ ଦେଶକୁ ଚାଲିଯିବାର ଅଭାବନୀୟ ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା । ଆମେରିକର ଏକ ବାୟୁ ସେନାର ବିମାନରେ ଓହଳି ୩ ଜଣ ଯାତ୍ରା କରିଥିବାର ଦେଖିବାକୁ ମିଳିଥିଲା । ଏହି ସମୟରେ କାବୁଲ ଆକାଶରେ ଉଡନ୍ତା ଆକାଶରୁ ୩ ଜଣ ଲୋକ ଖସି ମୃତ୍ୟୁ ବରଣ କରିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ।

ତାଲିବାନର କ୍ରୁରତା, କଠୋରତା ଓ ବର୍ବରତାର ଚିତ୍ର ବିଷୟରେ ବଖାଣିଥିଲେ ଭାରତ ଆସିଥିବା ଜଣେ ଆଫଗାନ ମହିଳା ପୋଲିସ । ଦିଲ୍ଲୀରେ ରହୁଥିବା ଆଫଗାନୀ ମହିଳା ହଥିରା ହାସମୀ ୯ ମାସ ପୂର୍ବ ଭାରତ ଆସିଥିଲେ । ସେ ଗଣମାଧ୍ୟମ ଆଗରେ ତାଲିବାନର ନିଷ୍ଠୁରତା ବିଷୟରେ କହିଥିଲେ । ତାଲିବାନମାନେ ତାଙ୍କୁ ନିର୍ଯାତନା ଦେବା ସହ ତାଙ୍କ ଉପରକୁ ୬ ରାଉଣ୍ଡ ଗୁଳି ମଧ୍ୟ ଚଳାଇ ଥିଲେ । ଏହା ପରେ ତାଙ୍କ ଦୁଇ ଆଖି ମଧ୍ୟ ତାଡି ନେଇଥିଲେ । କାରଣ ତାଙ୍କ ଦୋଷ ଏହା ଥିଲା କି ସେ ପୋଲିସ ବିଭାଗରେ ଚାକିରି କରିଥିଲେ ଏବଂ ମହିଳାମାନଙ୍କ ସପକ୍ଷରେ କହୁଥିଲେ । ଏହା ହିଁ ଥିଲା ତାଙ୍କର ଅପରାଧ । ହାସମୀଙ୍କ ଏହି ଘଟଣା ହିଁ ଦର୍ଶାଉଛି କେତେ ନିଷ୍ଠୁରତା ତାଲିବାନି ଶାସନ । ଲାଗୁଛି ସତେ ଯେମିତି ତାଲିବାନ ମାନବିକତାକୁ ପରିହାସ କରୁଛି । ମଧ୍ୟଯୁଗୀୟ ବବର୍ରତାର ଲାଇସେନସ୍ ପାଇଛି । ସମଗ୍ର ବିଶ୍ୱ କିନ୍ତୁ ସାଜିଛି ନିରବଦ୍ରଷ୍ଟା ।

Leave a Reply