ଜାତିସଂଘ ପ୍ରତିବନ୍ଧିତ ଆତଙ୍କବାଦୀ ତାଲିକାରେ ତାଲିବାନର ୫ ମନ୍ତ୍ରୀ
କାବୁଲ: ଶେଷରେ ଆଫଗାନିସ୍ତାନରେ ସରକାର ଗଠନ କରିଛି ତାଲିବାନ । ବନ୍ଧୁକ ମୁନରେ ଆଫଗାନସ୍ତାନକୁ ଅକ୍ତିଆର କରିଥିବା ତାଲିବାନ ସରକାରରେ ହାର୍ଡକୋର କଠୋରପନ୍ଥୀ ତାଲିବାନୀ ନେତାଙ୍କୁ ମନ୍ତ୍ରୀ କରିଛି । ସରକାରର ମୁଲ୍ଲା ମହମ୍ମଦ ହସନ ଅଙ୍ଖୁଦ ପ୍ରଧାନମନ୍ତ୍ରୀ ହୋଇଥିବା ବେଳେ ଉପ ପ୍ରଧାନମନ୍ତ୍ରୀ ଭାବେ ମୁଲ୍ଲା ଅବ୍ଦୁଲ ଗନି ବରାଦର ନାମ ଘୋଷଣା କରିଛି ତାଲିବାନ ।
ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ ନୂଆ ଅନ୍ତରୀଣ ସରକାରର ମନ୍ତ୍ରୀଙ୍କ ନାମ ଘୋଷଣା କରିଥିଲେ । ତାଲିବାନର ପ୍ରତିଷ୍ଠାତା ଅମୀର ମୁଲ୍ଲା ଉମରଙ୍କ ପୁଅ ଓ ସୈନ୍ୟ ଅଭିଯାନର ପ୍ରମୁଖ ମୁଲ୍ଲା ମହମ୍ମଦ ୟାକୁବ ମୁଜାହିଦଙ୍କୁ ଅନ୍ତରୀଣ ରକ୍ଷା ମନ୍ତ୍ରୀ ଦାୟିତ୍ୱ ଦିଆଯାଇଛି । ସିରାଜୁଦ୍ଦିନ ହକ୍କାନୀଙ୍କୁ ଦେଶର ଆଭ୍ୟନ୍ତରୀଣ ମାମଲାର ମନ୍ତ୍ରୀ ନିଯୁକ୍ତ କରାଯାଇଛି ।
ତାଲିବାନ ସରକାରରେ ଶୀର୍ଷ ନେତୃତ୍ୱ ନେଉଥିବା ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ରକ୍ଷାମନ୍ତ୍ରୀ, ସମେତ ଅନ୍ୟ କିଛି ନେତା ଜାତିସଂଘ ସୁରକ୍ଷା ପରିଷଦର ପ୍ରତିବନ୍ଧିତ ତାଲିକାରେ ଅଛନ୍ତି । ସିରାଜୁଦ୍ଦିନ ହକ୍କାନୀଙ୍କ ଭଳି ନେତାଙ୍କ ମୁଣ୍ଡ ଉପରେ ଆମେରିକା ୫୦ ଲକ୍ଷ ଡଲାର ପୁରସ୍କାର ରଖିଛି । ଗୃହମନ୍ତ୍ରୀ ପଦ ପାଇଥିବା ହକ୍କାନୀଙ୍କୁ ପାକିସ୍ତାନ ଆଇଏସ୍ଆଇର ବହୁତ ଘନିଷ୍ଠ କୁହାଯାଏ ।
ନୂଆ ସରକାର ଖୁବଶୀଘ୍ର ଦାୟିତ୍ୱ ଗ୍ରହଣ କରିବ । ଶପଥ ଗ୍ରହଣ ସମାରୋହକୁ ଋଷ, ଚୀନ, କତାର, ଉଜବେକିସ୍ତାନ ଓ ପାକିସ୍ତାନ ଆଦି ପଡ଼ୋଶୀ ଦେଶ ନେତା ସାମିଲ୍ ହେବାକୁ ତାଲିବାନ ନିମନ୍ତ୍ରଣ ଦେଇଛି ।