ତାଲିବାନର ବଡ଼ ବୟାନ : ଭାରତ-ପାକିସ୍ତାନ ନିଜ ଯୁଦ୍ଧ ନିଜ ସୀମାରେ ଲଢନ୍ତୁ, ଆମକୁ ଟାଣନ୍ତୁ ନାହିଁ

କାବୁଲ: ତାଲିବାନ କ୍ଷମତାକୁ ଆସିବା ପରେ ପ୍ରଥମ ଥର ପାଇଁ ଭାରତକୁ ନେଇ ଏକ ବଡ଼ ବୟାନ ଦେଇଛି । ତେହରିକ୍ ଏ ତାଲିବାନ ପାକିସ୍ତାନକୁ ନେଇ ସ୍ପଷ୍ଟ ବୟାନ ପରେ ଆସିଥିବା ଏହି ବୟାନରୁ ଲାଗୁଛି ଯେ, ତାଲିବାନ ଭାରତ ସହିତ ଭଲ ସମ୍ପର୍କ ସ୍ଥାପନ କରିବାକୁ ଚାହୁଁଛି । ତାଲିବାନର ନମ୍ବର ଦୁଇ ତଥା ଆମେରିକା ସହିତ ଶାନ୍ତି ଆଲୋଚନାରେ ପ୍ରମ୍ମୁଖ ଭୂମିକ ଗ୍ରହଣ କରିଥିବା ଶେର ମହମ୍ମଦ ଷ୍ଟେନିକଜାଇ ଏହି ବୟାନ ଦେଇଛନ୍ତି । ସିଏନଏନକୁ ଦେଇଥିବା ସାକ୍ଷାତକାରରେ ସେ ଭାରତ ଓ ପାକିସ୍ତାନକୁ ନିଜ ସମସ୍ୟା ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ସାରିବାକୁ ପରାମର୍ଶ ଦେବା ସହିତ ଆଫଗାନିସ୍ତାନକୁ ଏହା ମଧ୍ୟକୁ ନଟାଣିବାକୁ ପରାମର୍ଶ ଦେଇଛନ୍ତି ।

ସେ କହିଛନ୍ତି ଯେ, ଭାରତ ଓ ପାକିସ୍ତାନକୁ ନିଜ ଆଭ୍ୟନ୍ତରୀଣ ମାମଲା ଭିତରକୁ ଆଫଗାନିସ୍ତାନକୁ ଟାଣିବା ଉଚ୍ଚିତ ନୁହେଁ । ଷ୍ଟେନିକଜାଇ ଆଗାମୀ ଦିନରେ ତାଲିବାନର ବୈଦେଶିକ ମନ୍ତ୍ରୀ ହେବାର ସମ୍ଭାବନା ରହିଛି । ପାକିସ୍ତାନ ସହିତ ଭଲ ସମ୍ପର୍କ କାରଣରୁ ତାଲିବାନ ଭାରତ ବିରୋଧୀ କାର୍ଯ୍ୟକଳାପରେ ସାମିଲ ହେବ ବୋଲି ପ୍ରକାଶ ପାଉଥିବା ଆଶଙ୍କା ଉପରେ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇ ଷ୍ଟେନିକଜାଇ କହିଥିଲେ ଯେ, ଆମ ତରଫରୁ ଏଭଳି କୌଣସି ସଂକେତ ଦିଆଯାଇନାହିଁ । ଆମେ ସବୁ ପଡ଼ୋଷୀଙ୍କ ସହିତ ଭଲ ସମ୍ପର୍କ ସ୍ଥାପନ କରିବାକୁ ଚାହୁଁ ।

ସେ ଆହୁରି ମଧ୍ୟ କହିଥିଲେ ଯେ, ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ବିବାଦ ବାବଦରେ ସେ ଜାଣନ୍ତି । ତେବେ ତାଲିବାନ ଆଶା କରୁଛି ଯେ, ଏହି ଦୁଇ ଦେଶଙ୍କ ଆଭ୍ୟନ୍ତରୀଣ ସମସ୍ୟା ପାଇଁ ଆଫଗାନିସ୍ତାନର ବ୍ୟବହାର ହେବ ନାହିଁ । ସେ ସିଧାସଳଖ କହିଛନ୍ତି ଯେ, ‘‘ ଏହି ଦୁଇ ଦେଶଙ୍କ ମଧ୍ୟରେ ଲମ୍ବା ସୀମାରେଖା ରହିଛି । ଦୁଇ ଦେଶ ସେହି ସୀମା ଉପରେ ନିଜ ଭିତରେ ଲଢି ପାରନ୍ତି । କିନ୍ତୁ ଏଥିପାଇଁ ଆଫଗାନିସ୍ତାନ ଭୂମିର ବ୍ୟବହାର କରିବା ଠିକ ହେବ ନାହିଁ । ଆମେ କାହାକୁ ମଧ୍ୟ ନିଜ ମାଟିକୁ ବ୍ୟବହାର କରିବାକୁ ଦେବୁ ନାହିଁ’’
ସୂଚନାଯୋଗ୍ୟ ଯେ,ଶେର ମହମ୍ମଦ ଭାରତର ଡେରାଡୁନ ଇଣ୍ଡିଆନ ମିଲିଟାରି ଆକାଡେମିରେ ପଢିଛନ୍ତି । ୧୯୮୦ ଦଶକରେ ସେଠାରେ ସେ ପଢୁଥିଲେ । ପରେ ଆଫଗାନିସ୍ତାନ ସେନା ଛାଡି ସେ ଆମେରିକା ସମର୍ଥିତ ମୁଜାହିଦ୍ଦିନଙ୍କ ସହିତ ମିଶିଥିଲେ ।

Leave a Reply