ଏମିତି ବି ଆସେ ମୃତ୍ୟୁ..ବିଦାୟକାଳୀନ ସଭାରେ ଚାଲିଗଲେ ଶିକ୍ଷକ

ଅନୁଗୋଳ: ଏମିତି ବି ଆସେ ମୃତ୍ୟୁ । ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ଟଳି ପଡିଲେ ପ୍ରଧାନ ଶିକ୍ଷକ । ସ୍କୁଲରୁ ବିଦାୟ ବଦଳରେ ସଂସାରରୁ ବିଦାୟ ନେଲେ ଶିକ୍ଷକ । ଅନୁଗୁଳ ଜିଲ୍ଲା ଶରଧାପୁର ପଞ୍ଚାୟତ ବାଲିଜେରେଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଆସନ୍ତା ୩୦ତାରିଖରେ ଅବସର ନେଇଥାନ୍ତେ ପ୍ରଧାନ ଶିକ୍ଷକ ରବିନାରାୟଣ ପାଣିଗ୍ରାହୀ । ଏଥିପାଇଁ ଛାତ୍ରଛାତ୍ରୀମାନେ ଆୟୋଜନ କରିଥିଲେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ।
ଶିକ୍ଷକଙ୍କୁ ବିଦ୍ୟାଳୟରୁ ବିଦାୟ ଦେବାକୁ ଯାଇ ଭାବବିହ୍ବଳ ହୋଇପଡ଼ିଥିଲେ ଛାତ୍ରଛାତ୍ରୀଙ୍କ ସମେତ ଅନ୍ୟ ଶିକ୍ଷକ । ପରେ ପିଲାଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ପ୍ରଦାନ ବେଳେ ହଠାତ ଟଳିପଡ଼ିଥିଲେ ରବିନାରାୟଣ । ତୁରନ୍ତ ତାଙ୍କ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି ।