ଟି-୨୦ ବିଶ୍ୱକପରେ ସେମି ଟିକେଟ୍ ପାଇଁ ଲଢ଼େଇ : ବାଂଲାଦେଶକୁ ୧୮୫ ରନର ଟାର୍ଗେଟ ଦେଲା ଭାରତ

ଆଡିଲେଡ୍: ସେମି ଟିକେଟ ପାଇଁ ଭାରତ ଓ ବାଂଲାଦେଶ ମଧ୍ୟରେ ଚାଲିଛି କଡ଼ା ମୁକାବିଲା । ଆଡିଲେଡରେ ଚାଲିଥିବା ଏହି ହାଇଭୋଲ୍ଟେଜ ମ୍ୟାଚରେ ଟସ୍ ଜିତି ବାଂଲାଦେଶ ବୋଲିଂ ନିଷ୍ପତ୍ତି ନେଇଥିଲା । ଆହ୍ୱାନ କ୍ରମେ ଭାରତ ବ୍ୟାଟିଂ କରିଥିଲା । ନିର୍ଦ୍ଧାରିତ ୨୦ ଓଭରରେ ଭାରତ ନିଜର ୬ ୱିକେଟ୍ ବିନିମୟରେ ୧୮୪ ରନ୍ ସଂଗ୍ରହ କରିଛି । ବାଂଲାଦେଶ ଆଗରେ ଏବେ ୧୮୫ ରନର ବିଜୟ ଲକ୍ଷ୍ୟ ରହିଛି ।

ଭାରତୀୟ ପାଳିରେ କେଏଲ ରାହୁଲ ଓ ବିରାଟ କୋହଲି ଅର୍ଦ୍ଧଶତକୀୟ ପାରି ଖେଳିଛନ୍ତି । ଲଗାତର ଫ୍ଲପ ସାବ୍ୟସ୍ତ ହେଉଥିବା ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ କେଏଲ ରାହୁଲ ଆଜି ଭଲ ପ୍ରଦର୍ଶନ କରିଛନ୍ତି । ରୋହିତ ଶର୍ମା ଓ କେଏଲ ରାହୁଲ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଭାବେ କ୍ରିଜକୁ ଓହ୍ଲାଇଥିଲେ । ୮ ଟି ବଲ୍ ଖେଳି ମାତ୍ର ୨ ରନ୍ କରି ରୋହିତ ପାଭେଲିଅନ୍ ଫେରିଯାଇଥିଲେ । ତାଙ୍କ ସ୍ଥାନ ପୂରଣ କରିବା ପାଇଁ ବିରାଟ କୋହଲି ଆସିଥିଲେ ।

ବିରାଟ ଓ କେଏଲ ରାହୁଲଙ୍କ ମଧ୍ୟରେ ଭଲ ପାର୍ଟନରସିପ୍ ଦେଖିବାକୁ ମିଳିଥିଲା । ହେଲେ ରାହୁଲ ଦଳୀୟ ସ୍କୋର ୭୮ ଥିବା ବେଳେ ବ୍ୟକ୍ତିଗତ ୩୨ ଟି ବଲ୍ ଖେଳି ୫୦ ରନ୍ କରି ଶାକିବଙ୍କ ଓଭରରେ କ୍ୟାଚ୍ ଆଉଟ୍ ହୋଇଯାଇଥିଲେ । ଏହାପରେ ସୂର୍ଯ୍ୟକୁମାର ଯାଦବ କିଛି ସମୟ ପାଇଁ ବିରାଟଙ୍କ ସାଥ୍ ଦେଇଥିଲେ । ୧୬ ଟି ବଲ୍ ଖେଳି ଦ୍ରୁତତାର ସହ ୩୦ ରନ୍ ସଂଗ୍ରହ କରି ଆଉଟ୍ ହୋଇଯାଇଥିଲେ ।

ଏହାପରେ ଅନ୍ୟ ବ୍ୟାଟ୍ସମ୍ୟାନମାନେ ଜଣେ ପରେ ଜଣେ ଆଉଟ୍ ହୋଇଥିଲେ । ବାରିଟ କୋହଲି କିନ୍ତୁ ଏକାକୀ ଦଳକୁ ସମ୍ଭାଳିଥିଲେ । ଭାରତୀୟ ପାଳି ଶେଷ ହେଲାଯାଏଁ ବିରାଟ ୪୧ଟି ବଲ୍ ଖେଳି ୬୪ ରନ୍ କରି ଅପରାଜିତ ରହିଥିଲେ । ଅଶ୍ୱିନୀ ୬ ଟି ବଲରେ ୧୩ ରନ୍ କରି ଅପରାଜିତ ରହିଥିଲେ । ବାଂଲାଦେଶ ପକ୍ଷରୁ ହସନ ମହମ୍ମଦ ୩ ଟି ୱିକେଟ୍ ଅକ୍ତିଆର କରିଥିବା ବେଳେ ଶକିବ ଅଲ ହସନ ୨ ଟି ୱିକେଟ୍ ଅକ୍ତିଆର କରିଛନ୍ତି ।