ଭାରତ ଫେରିଲା ବିଶ୍ବବିଜୟୀ ଟିମ୍ ଇଣ୍ଡିଆ

1 min read

ନୂଆଦିଲ୍ଲୀ: ଭାରତ ଫେରିଲା ବିଶ୍ବବିଜୟୀ ଟିମ୍ ଇଣ୍ଡିଆ । ଟି-ଟ୍ବେଣ୍ଟି ବିଶ୍ବକପ ଜିତିବା ପରେ ଭାରତୀୟ ଖେଳାଳୀ ସ୍ବଦେଶ ଫେରିଛନ୍ତି । ଖେଳାଳିମାନେ ବାର୍ବାଡୋସରୁ ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନରେ ଆସି ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିଥିଲେ । ଗତ ଶନିବାର ଖେଳାଯାଇଥିବା ରୋମାଞ୍ଚକର ଫାଇନାଲର ଟିମ୍ ଇଣ୍ଡିଆ ୭ ରନରେ ଦକ୍ଷିଣ ଆଫ୍ରିକାକୁ ହରାଇ ବିଶ୍ବବିଜୟୀ ହୋଇଥିଲା । ତେବେ ୱେଷ୍ଟଇଣ୍ଡିଜରେ ଘୂର୍ଣ୍ଣିଝଡ଼ର ତାଣ୍ଡବଲୀଳା ପାଇଁ ସେଠାରୁ ସ୍ବଦେଶ ଫେରି ପାରିନଥିଲେ ଟିମ୍ ଇଣ୍ଡିଆ କ୍ରିକେଟର । ୩ ଦିନ ପରେ ସ୍ଥିତି ସ୍ବାଭାବିକ ହେବାରୁ ଭାରତରୁ ଏକ ସ୍ବତନ୍ତ୍ର ଚାର୍ଟାର୍ଡ ଫ୍ଲାଇଟ କ୍ରିକେଟରଙ୍କୁ ଆଣିବାକୁ ବାର୍ବାଡୋସ୍ ଯାଇଥିଲା। ବୁଧବାର ଦିନ ସ୍ବତନ୍ତ୍ର ବିମାନରେ ସେଠାରୁ ଯାତ୍ରା ଆରମ୍ଭ କରି ଆଜି ସମସ୍ତେ ଦିଲ୍ଲୀରେ ପହଞ୍ଚିଛନ୍ତି । ବିମାନବନ୍ଦରରେ ଖେଳାଳିଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଖେଳାଳିଙ୍କୁ ସ୍ବାଗତ କରିବାକୁ ଏୟାରପୋର୍ଟ ବାହାରେ ପ୍ରଶଂସକଙ୍କ ଭିଡ଼ ଜମିଛି ।

ଗୁରୁବାର ଦିନ ୧୧ଟାରେ ଟିମ୍ ଇଣ୍ଡିଆର ଖେଳାଳିମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିବାର ସୂଚନା ରହିଛି । ପରେ ଖେଳାଳିମାନେ ମୁମ୍ବାଇ ଅଭିମୁଖେ ଯାତ୍ରା କରିବେ। ଅପରାହ୍ନ ୫ଟାରେ ହେବ ଟିମ୍ ଇଣ୍ଡିଆର ଭିକଟ୍ରି ପରେଡ୍ ବା ବିଜୟ ଉତ୍ସବ । ମୁମ୍ବାଇ ମରିନ ଡ୍ରାଇଭ ଏବଂ ୱାଙ୍ଖଡ଼େ ଷ୍ଟାଡିୟମରେ ସେଲିବ୍ରେସନ । ଏଥିରେ ଯୋଗ ଦେବାକୁ ସବୁ ଫ୍ଯାନଙ୍କୁ ଆହ୍ବାନ ଦେଇଛନ୍ତି ନିଜେ କ୍ଯାପଟେନ ରୋହିତ ଶର୍ମା। ଏହି ଖୁସିର ମୁହୂର୍ତ୍ତ ସବୁ ଫ୍ଯାନଙ୍କ ସହିତ ସେଲିବ୍ରେସନ କରିବାକୁ ଚାହୁଁଥିବା କହିଛନ୍ତି ଟିମ୍ ଇଣ୍ଡିଆ କ୍ଯାପଟେନ।