ବିଦ୍ୟାର୍ଥୀ ବିକାଶ ମଞ୍ଚ ପକ୍ଷରୁ ବିବେକାନନ୍ଦ ଜୟନ୍ତୀ ପାଳିତ

ଭଦ୍ରକ : ବିଦ୍ୟାର୍ଥୀ ବିକାଶ ମଞ୍ଚ, ଭଦ୍ରକ ପକ୍ଷରୁ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ ପାଳନ । ସ୍ଥାନୀୟ ବାଗୁରାଇ ଆଦିବାସୀ କଲୋନୀରେ ବିଦ୍ୟାର୍ଥୀ ବିକାଶ ମଞ୍ଚ ତରଫରୁ ସକାଳ ସମୟରେ ପିଲାମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା, ସଫେଇ ଓ କଲୋନୀର ଲୋକମାନଙ୍କୁ ନେଇ ପରିବେଶ ସୁରକ୍ଷା ସଚେତନତା କରାଯାଇଥିଲା । ଅନ୍ନ, ବସ୍ତ୍ର, ଶୀତବସ୍ତ୍ର ବଣ୍ଟନ ସହ ନୂତନ ଧାରାରେ ସଂସ୍କାର କେନ୍ଦ୍ରର ଉଦଘାଟନ ହୋଇଥିଲା । ଆଜିର କାର୍ଯ୍ୟକ୍ରମରେ ଉତିଷ୍ଠିତ ପତ୍ରିକାର ସମ୍ପାଦକ ତଥା ବିଶିଷ୍ଟ ସାହିତ୍ୟିକ ମନୋଜ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ଭାରତ ବର୍ଷ ବିଶ୍ବର ଗୁରୁ ହେବ ।

ବିବେକାନନ୍ଦ କହିଥିଲେ ଧର୍ମମତ ଉପରେ ରହି ରାଷ୍ଟ୍ରର ସେବା କର । ସ୍ୱାମୀ ବିବେକାନନ୍ଦ ତ୍ୟାଗ ଓ ସେବାର ପ୍ରତିକ ଥିଲେ, ସେ ଜଣେ ଦିବ୍ୟଦ୍ରଷ୍ଟା ଥିଲେ, ଛାତ୍ର ଛାତ୍ରୀ ମାନଙ୍କର ସତ ଚରିତ୍ର ରହିଲେ, ଭାରତ ବର୍ଷ ନିଶ୍ଚୟ ବିଶ୍ଵଗୁରୁ ଭାବେ ପରିଗଣିତ ହେବ । ଆଜିର ଦିନରେ ମହାପୁରୁଷଙ୍କ ନାମକୁ ସ୍ମରଣ କରିବା ପାଇଁ ବିଦ୍ୟାର୍ଥୀ ବିକାଶ ମଞ୍ଚ ଏକ ନୂତନ ଜାଗରଣ ସୃଷ୍ଟି କରିଛି । ଉପସ୍ଥିତ ଥିବା କୁନି କୁନି ପିଲା ମାନେ ମଧ୍ଯ ବିବେକାନନ୍ଦଙ୍କ ଭଳି ନିଶ୍ଚୟ ହୋଇପାରିବେ ।

ବିଦ୍ୟାର୍ଥୀ ବିକାଶ ମଞ୍ଚର ଆଜିର ଏଭଳି ମହତ କାର୍ଯ୍ୟକୁ ମୁଖ୍ୟ ଅତିଥି ଭୁୟସୀ ପ୍ରଶଂସା କରିଥିଲେ । ମୁଖ୍ୟବକ୍ତା ଭାବେ ଡ. ବ୍ରଜ ମୋହନ ମିଶ୍ର ଯୋଗଦେଇ ଆତ୍ମ ବିଶ୍ବାସର ପ୍ରତୀକ ସ୍ବାମୀ ବିବେକାନନ୍ଦଙ୍କ ପଥକୁ ଅନୁସରଣ କରିବାକୁ କହିଥିଲେ । ଆଜି ଏମିତି ସମୟ ଆସିଯାଇଛି ଦିନରେ ଲଣ୍ଠନ ଧରି ଭଲ ମଣିଷ ଖୋଜା ଚାଲିଛି । ପିଲାମାନେ ତମେ ଚାହିଁଲେ ଜଣେ ଜଣେ ବିବେକାନନ୍ଦଙ୍କ ପରି ହୋଇପାରିବ । ମଞ୍ଚର ମୁଖ୍ୟ ଉପଦେଷ୍ଟା ପ୍ରଫେସର ଡ. ଦେବେନ୍ଦ୍ର ନାଥ ରାଉତ ମଞ୍ଚର ଆଗାମୀ କାର୍ଯଧାରା ଉପରେ ନିଜର ମତ ରଖିଥିଲେ ।

ମଞ୍ଚର ସଭାପତି ଲକ୍ଷ୍ମୀଧର ବିଶ୍ବାଳ ସଭା ପରିଚାଳନା କରିବା ସହ ମଞ୍ଚ ପୁର୍ନବାର ଆଦିବାସୀ କଲୋନୀରେ ଦୈନିକ ଯୋଗ, ଶିକ୍ଷା, ଖେଳକୁଦ ଓ ସଚେତନତା କାର୍ଯ୍ୟ ରଖିବ ବୋଲି କହିବା ସହ ଏଥିପାଇଁ ସଂଯୋଜକ ଭାବେ ଦେବୀକିଙ୍କର ପାଣିଗ୍ରାହୀ, ଗୁରୁଜୀ ଭାବେ ବର୍ଜୁ ବାଗେ, ରଜନୀକାନ୍ତ ବିହାରୀଙ୍କୁ ଦାୟିତ୍ୱ ଦେଲେ । ଏହି ଅବସରରେ ଭଦ୍ରକ ରୋଟାରୀ କ୍ଲବ ପକ୍ଷରୁ ଶୀତ ବସ୍ତ୍ର ବଣ୍ଟନ କରାଯାଇଥିଲା । ନାରାୟଣ ବିଶ୍ବାଳଙ୍କ ପକ୍ଷରୁ ସ୍କୁଲ ପିଲାମାନଙ୍କୁ ପୋଷାକ ବିତରଣ କରାଯାଇଥିଲା ।  ଯୋଗଗୁରୁ ସୁରେନ୍ଦ୍ର ଦାସ ସମସ୍ତଙ୍କୁ ଯୋଗର ଉପକାରିତା ସମ୍ପର୍କରେ ସୂଚାଇଥିଲେ ।

ଆଦିବାସୀ କଲୋନୀର ସମସ୍ତେ ଶିକ୍ଷା ଲାଭ ନକରିବା ପର୍ଯ୍ୟନ୍ତ ଆମ ମଞ୍ଚ ଆପଣଙ୍କ ନିକଟରେ ଠିଆ ହେବ, ସମସ୍ତେ ଶିକ୍ଷିତ ହେଲେ ଯାଇ ଏ ସମାଜ ଆଗକୁ ଯାଇପାରିବ ବୋଲି ଉପଦେଷ୍ଟା ଡ. ରାଧାରାଣୀ ମହାପାତ୍ର ବକ୍ତବ୍ୟରେ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଶୁଭେଚ୍ଛୁ ଅନିଲ ଦେ, ପ୍ରଦୀପ ଦାସ, ପ୍ରବୀର ଦତ୍ତ, ରାଜୁ ବିହାରୀ, ସାନୁ ପଣ୍ଡା, ସୁଧାଂଶୁ ଶେଖର ପଣ୍ଡା ଉପସ୍ଥିତ ଥିଲେ । ସମ୍ପାଦକ ସୁଦାମ ଭୂଇଁ ବିଦ୍ୟାର୍ଥୀ ବିକାଶ ମଞ୍ଚ ପୂର୍ବରୁ କରୁଥିବା ସମସ୍ତ କାର୍ଯ୍ୟକ୍ରମ କିପରି ପୁନର୍ବାର ହେବ ସେନେଇ ଚେଷ୍ଟା ଜାରି ରହିବ କହିଥିଲାବେଳେ ଉପଦେଷ୍ଟା ଅତୁଲ ଦେ ଧନ୍ୟବାଦ ଅର୍ପଣ କରିଥିଲେ ।