ଅର୍ଥନୈତିକ ସର୍ଭେ ରିପୋର୍ଟରେ ଅଭିବୃଦ୍ଧି ନେଇ ଆଶା ଦେଖାଇଲେ ସରକାର

ନୂଆଦିଲ୍ଲୀ: ଶୁକ୍ରବାର ସଂସଦର ଉଭୟ ଗୃହରେ ଉପସ୍ଥାପନ ହେଲା ଅର୍ଥନୈତିକ ସର୍ଭେ ରିପୋର୍ଟ । ଚଳିତ ଆର୍ଥିକ ବର୍ଷରେ ମାଇନସ ୭ ପ୍ରତିଶତ ରହିପାରେ ଅଭିବୃଦ୍ଧି  । କିନ୍ତୁ ଆସନ୍ତା ବର୍ଷରେ ବାଉନ୍ସ ବ୍ୟାକ୍‌ କରିବ ଅର୍ଥନୀତି  । ୧୧ ପ୍ରତିଶତ ଅଭିବୃଦ୍ଧି ରହିବ ବୋଲି ସରକାର ଅନୁମାନ କରିଛନ୍ତି  । ତେବେ ଏଥର ବଜେଟ କେନ୍ଦ୍ର ସରକାର ଅଧିକ ଖର୍ଚ୍ଚ କରିପାରନ୍ତି  । କରୋନା ପାଇଁ ରୋଜଗାର ସହ ନିବେଶ ପ୍ରଭାବିତ ହୋଇଛି  । ଯାହାକୁ ଭରଣ କରିବାକୁ ସରକାର ପ୍ରୟାସ କରୁଛନ୍ତି  । ଏ ହେଉଛି ଆଜି ସଂସଦରେ ଉପସ୍ଥାପିତ ଅର୍ଥନୈତିକ ସର୍ଭେ ରିପୋର୍ଟର ସାରାଂଶ । ଚଳିତ ବର୍ଷ ନୁହେଁ ଆସନ୍ତା ବିତ୍ତୀୟ ବର୍ଷରୁ ଦେଶରେ ଆର୍ଥିକ ସୁଧାର ଆସିବ ବୋଲି ରିପୋର୍ଟରେ କୁହାଯାଇଛି । କେବଳ କରୋନା ଲକଡାଉନ ପାଇଁ ଦେଶରେ ଆର୍ଥିକ ସ୍ଥିତି ବିଗିଡି ଯାଇଥିଲା  । କିନ୍ତୁ ସମୟ ପୂର୍ବରୁ ପଦକ୍ଷେପ ଯୋଗୁଁ ଆସନ୍ତା ଆର୍ଥିକ ବର୍ଷରେ 11 ପ୍ରତିଶତ ଅଭିବୃଦ୍ଧି ହେବ ବୋଲି ଆଶା କରାଯାଉଛି  । ସଂସଦରେ ରିପୋର୍ଟ ଉପସ୍ଥାପନ ବେଳେ ଅନେକ ଗୁରୁତ୍ବପୂର୍ଣ୍ଣ ଦିଗକୁ ପ୍ରାଧାନ୍ୟ ଦିଆଯିବା ଦରକାର ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ  ।

କରୋନା ଭଳି ସ୍ଥିତିକୁ ନଜରରେ ରଖି ସରକାର ନିଜର ଖର୍ଚ୍ଚ ବଢାଇବା ଦରକାର ବୋଲି  ସର୍ଭେରେ କୁହାଯାଇଛି  । ପ୍ରାଚୀନ ଯୁଗରେ ଯେମିତି ରାଜା ମହାରାଜା ସଙ୍କଟ ସମୟରେ ପଦକ୍ଷେପ ନେଉଥିଲେ  । ଠିକ୍‌ ସେହିଭଳି ଭାବେ କେନ୍ଦ୍ର ସରକାରଙ୍କୁ ଯୋଜନା କରିବାକୁ ପଡିବ  । ରୋଜଗାର ସହ ଘରୋଇ ଅନୁଷ୍ଠାନକୁ ଟ୍ରାକ୍‌ ଆଣିବା ପାଇଁ ପ୍ରୟାସ କରିବାର ଆବଶ୍ୟକତା ରହିଛି ବୋଲି କୁହାଯାଇଛି ।

କରୋନା ପାଇଁ ଦେଶରେ ଆର୍ଥିକ ସ୍ଥିତି ମାଇନସକୁ ଖସିଥିବା ବେଳେ ଆସନ୍ତା ଆର୍ଥିକ ବର୍ଷରେ ଏହାର କିଛି ମାତ୍ରାରେ ପ୍ରଭାବ ରହିବ  । ଚଳିତ ବର୍ଷ ଜିଡିପି ୭ ପ୍ରତିଶତ କମ୍ ହୋଇପାରେ ବୋଲି ଆକଳନ କରାଯାଉଛି  । ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ଅର୍ଥନୈତିକ ଅଭିବୃଦ୍ଧି ହାର ୨୩.୯ ପ୍ରତିଶତ ହ୍ରାସ ପାଇଥିବାବେଳେ ଦ୍ବିତୀୟ ତ୍ରୈମାସରେ ଏହା ୭.୫ ପ୍ରତିଶତ ହ୍ରାସ ପାଇଛି । ସମଗ୍ର ଆର୍ଥିକ ବର୍ଷ ପାଇଁ ଏହା ୭.୭ ପ୍ରତିଶତ ହ୍ରାସ ପାଇବ ବୋଲି ପୂର୍ବାନୁମାନ କରାଯାଇଛି । ଫେବ୍ରୁଆରୀ ପହିଲାରେ ଆସିବ ପୂର୍ଣ୍ଣାଙ୍ଗ ବଜେଟ  ।

କାହିଁକି ଏହାକୁ ସଂସଦରେ ଉପସ୍ଥାପନ କରାଯାଏ ?

ଆର୍ଥିକ ସର୍ଭେ ରିପୋର୍ଟକୁ ଦେଶର ବାର୍ଷିକ ରିପୋର୍ଟ କାର୍ଡ ବୋଲି କୁହାଯାଏ  । ଏହି ରିପୋର୍ଟ ମାଧ୍ୟମରେ ଜଣାପଡେ ଦେଶର ଆର୍ଥିକ ଗତି କେଉଁ ଦିଗରେ ବଢୁଛି  । ଏହାସହ ଆସନ୍ତା ଆର୍ଥିକ ବର୍ଷରେ କିଭଳି ସମ୍ଭାବନା ସୃଷ୍ଟି ହୋଇପାରେ ତାହାର ରୋଡମ୍ୟାପ୍‌ ମଧ୍ୟ ଏହି ରିପୋର୍ଟରୁ ପ୍ରସ୍ତୁତ ହୋଇଥାଏ  । ସିଧାକଥାରେ କହିଲେ ଅର୍ଥ ମନ୍ତ୍ରାଳୟ ଦ୍ବାରା ପ୍ରସ୍ତୁତ ହୋଇଥିବା ଏହି ରିପୋର୍ଟରେ ଦେଶର ଆର୍ଥିକ ପ୍ରତିଛବି ପ୍ରକାଶ ପାଇଥାଏ  । ପ୍ରତ୍ୟେକ ବର୍ଷ ବଜେଟ ଆଗରୁ ଏହି ସର୍ଭେ ରିପୋର୍ଟକୁ ସଂସଦରେ ଉପସ୍ଥାପନ କରାଯାଇଥାଏ

Leave a Reply