spot_img

Latest Posts

କାର୍ଯ୍ଯରେ ଯୋଗ ଦେବା ଲାଗି ଡାକ୍ତରଙ୍କୁ ଅନୁରୋଧ କଲେ ସୁପ୍ରିମକୋର୍ଟ

ନନ୍ଦିଘୋଷ ବ୍ୟୁରୋ: କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲ ଦୁଷ୍କର୍ମ ଓ ହତ୍ଯା ଘଟଣା । କାର୍ଯ୍ଯରେ ଯୋଗ ଦେବା ଲାଗି ଡାକ୍ତରଙ୍କୁ ଅନୁରୋଧ କଲେ ସୁପ୍ରିମକୋର୍ଟ। ଏହାସହ ଡାକ୍ତରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ କହିଲେ ସୁପ୍ରିମକୋର୍ଟ। ଏହି ମାମଲା ନେଇ ଆଜି ସୁପ୍ରିମକୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ କରିଥିଲେ ସିବିଆଇ ଓ ପଶ୍ଚିମବଙ୍ଗ ସରକାର। ସୁପ୍ରିମକୋର୍ଟ କହିଛନ୍ତି- ଡାକ୍ତରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ। ଯଦି ଡାକ୍ତରମାନେ କାର୍ଯ୍ୟରେ ଯୋଗଦେବେ ନାହିଁ ତେବେ ସାଧାରଣ ପ୍ରଶାସନର ଭିତ୍ତି ଉପରେ ଆଞ୍ଚ ଆସିବ। ଏହା ସହ କୋଲକାତା ଘଟଣାରେ ପୋଲିସର ତଦନ୍ତ ଧାରା ନେଇ ପ୍ରଶ୍ନ ଉଠାଇଛନ୍ତି ସୁପ୍ରିମକୋର୍ଟ।

ହସ୍ପିଟାଲରେ ଡାକ୍ତରଙ୍କ ଦୀର୍ଘକାଳୀନ ଡ୍ଯୁଟି ସମ୍ପର୍କରେ ବି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି- ମୃତ୍ଯୁ ନେଇ ପରିବାରକୁ କାହିଁକି ଭୁଲ ତଥ୍ଯ ଦିଆଯାଇଥିଲା? ପୋଲିସର କାର୍ଯ୍ୟ ଧାରା ଠିକ୍ ନଥିଲା। ଷ୍ଟାଟସ ରିପୋର୍ଟ ଦାଖଲ ଲାଗି ଗତ ୨୦ ତାରିଖରେ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। ସେପଟେ ଷ୍ଟାଟସ ରିପୋର୍ଟରେ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠାଇଛି ସିବିଆଇ। କୁହାଯାଇଛି- ଛାତ୍ରୀ ଆତ୍ମହତ୍ଯା କରିଛନ୍ତି ବୋଲି ତାଙ୍କ ପରିବାରକୁ ପ୍ରଥମେ ଭୁଲ ତଥ୍ଯ ଦିଆଯାଇଥିଲା।

ସିଜେଆଇ ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଷ୍ଟାଟସ ରିପୋର୍ଟ ଦାଖଲ ଲାଗି ଦେଇଥିଲେ ନିର୍ଦ୍ଦେଶ। ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ କପିଳ ସିବଲ, ମାନେକ ଗୁରୁସ୍ବାମୀ, ସଞ୍ଜୟ ବାସୁ, ଆସ୍ଥା ଶର୍ମାଙ୍କ ସମେତ ୨୧ ଜଣେ ଓକିଲ ପ୍ରତିନିଧିତ୍ବ କରୁଥିବାବେଳେ କେନ୍ଦ୍ର ପକ୍ଷରୁ ପ୍ରତିନିଧିତ୍ବ କରୁଛନ୍ତି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା, ମାଧବୀ ସିଂହଲ, ଅର୍କାଜ କୁମାର, ସ୍ବାତୀ ଗିଲଦିୟାଲ, ଏମକେ ମାରୋରିଆ। ଗତ ମଙ୍ଗଳବାର ସୁପ୍ରିମକୋର୍ଟରେ ମାମଲାର ହୋଇଥିଲା ଶୁଣାଣି।  ଘଟଣାରେ କ୍ଷୁବ୍ଧ ହୋଇ ହସ୍ପିଟାଲରେ ଡାକ୍ତରଙ୍କ ନିରାପତ୍ତା ନେଇ ୧୦ ଜଣିଆ   ନ୍ଯାସନାଲ ଟାସ୍କ ଫୋର୍ସ ଗଠନ କରିଥିଲେ ସୁପ୍ରିମକୋର୍ଟ ।

ମାମଲାର ଶୁଣାଣି କରି ୩ଜଣିଆ ଖଣ୍ଡପୀଠ କହିଥିଲେ, ସରକାରୀ ହସ୍ପିଟାଲରେ ଡାକ୍ତରମାନଙ୍କ ସୁରକ୍ଷା ଅତି ଦୁର୍ବଳ। ଘଟଣା ଘଟିବାର ଦୀର୍ଘ ସମୟ ପରେ କାହିଁକି ବିଳମ୍ବରେ ଏଫଆଇଆର ଦାୟର ହେଲା ବୋଲି ପ୍ରଶ୍ନ କରିଥିଲେ ଖଣ୍ଡପୀଠ। ପ୍ରାଥମିକ ସ୍ତରରେ ପିଜି ଛାତ୍ରୀଙ୍କ ହତ୍ଯା ଘଟଣାକୁ କାହିଁକି ପ୍ରିନସିପାଲ ଆତ୍ମହତ୍ଯା ଘଟଣା ଦର୍ଶାଇଲେ । ଦେଶବ୍ଯାପୀ ଡାକ୍ତରଙ୍କ ଆନ୍ଦୋଳନ ଚାଲିଥିବାବେଳେ ସୁପ୍ରିମକୋର୍ଟଙ୍କ ରାୟ ଘଟଣାର ତଦନ୍ତ ପରିସରକୁ ଅଧିକ ବ୍ଯାପ୍ତ କରିବା ସମ୍ଭାବନା ସୃଷ୍ଟି କରିଛି। କୋର୍ଟଙ୍କ ଉପରେ ଭରସା ରଖିବାକୁ ଡାକ୍ତରଙ୍କୁ ଅପିଲ କରିଥିଲେ ସୁପ୍ରିମକୋର୍ଟ ।

Latest Posts

Don't Miss