ସିନ୍ଦେ ବନାମ ଉଦ୍ଧବ ମାମଲା; ଭଗତ ସିଂ କୋଶ୍ୟାରୀଙ୍କ ଭୂମିକାକୁ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ପ୍ରତିକ୍ରିୟା

ନୂଆଦିଲ୍ଲୀ: ରାଜ୍ୟପାଳଙ୍କୁ ନିଜ ଶକ୍ତିର ବ୍ୟବହାର ସାବଧାନତାର ସହ କରିବାର ଆବଶ୍ୟକତା । ତାଙ୍କୁ ଏହା ଜଣାରହିବା ଆବଶ୍ୟକ ଯେ ଯଦି ସେ ଆସ୍ଥା ଭୋଟ ପାଇଁ ଡାକୁଛନ୍ତି ତେବେ ଏହାର ଫଳସ୍ୱରୂପ ସରକାର ଭାଙ୍ଗିଯାଇପାରେ । ସୁପ୍ରିମକୋର୍ଟ ଶିବସେନାରେ ଫାଟକୁ ନେଇ ଚାଲିଥିବା ଶୁଣାଣି ସମୟରେ ଏହି କଡ଼ା ଟିପ୍ପଣୀ ଦେଇଛନ୍ତି । କୋର୍ଟ ତତ୍କାଳୀନ ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀଙ୍କ ଭୂମିକାକୁ ନେଇ କହିଛନ୍ତି ଯେ, ରାଜ୍ୟପାଳଙ୍କୁ ଏହି କଥାର ଖବର ରହିବା ଆବଶ୍ୟକ ଯେ ଆସ୍ଥା ଭୋଟ ପାଇଁ ଆହ୍ୱାନ ଦେବା ଦ୍ୱାରା ସରକାରଙ୍କ ଉପରେ ମଧ୍ୟ ବିପଦ ସୃଷ୍ଟି ହୋଇପାରେ ।

ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଛନ୍ତି ଧରାଯାଉ ଦଳରେ ନୀତିଗତ ପାର୍ଥକ୍ୟ ଅଛି । ରାଜ୍ୟପାଳ କେବଳ ଏହା କହିପାରିବେ ଯେ ତୁମେ ତୁମର ଟ୍ରଷ୍ଟ ଭୋଟ୍ ପ୍ରମାଣ କରିବା ଉଚିତ୍? ରାଜ୍ୟପାଳ ମଧ୍ୟ ସମାନ ଭାବରେ ସଚେତନ ହେବା ଉଚିତ ଯେ ଟ୍ରଷ୍ଟ ଭୋଟ୍ ଆହ୍ୱାନ ନିଜେ ଏକ ପରିସ୍ଥିତି ହୋଇପାରେ । ଯାହା ସରକାରକୁ ଭାଙ୍ଗିଦେଇପାରେ? ମାମଲାର ଶୁଣାଣି ସମୟରେ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ ଏକନାଥ ସିନ୍ଦେ ଗୋଷ୍ଠୀର ବିଦ୍ରୋହକୁ ନେଇ କହିଛନ୍ତି, ଏମାନେ ତିନି ବର୍ଷର ସମ୍ପର୍କ ଭାଙ୍ଗିଦେଲେ । କଂଗ୍ରେସ, ଏନସିପି ସହ ତାଙ୍କର ମେଣ୍ଟ ସରକାର ଥିଲା ।

ତେବେ ରାତାରାତି ଏମିତି କଣ ହୋଇଥିଲା ଯେ ସେମାନେ ଅଲଗା ହେବାକୁ ନିଷ୍ପତ୍ତି କରିଥିଲେ? ପ୍ରଧାନ ବିଚାରପତି କହିଛନ୍ତି ଯେ, ରାଜ୍ୟପାଳଙ୍କୁ ଏହି ପ୍ରଶ୍ନ କରିବାର ଥିଲା ଯେ ଆପଣ ତିନି ବର୍ଷ ହେବ କିପରି ସାଙ୍ଗରେ ଥିଲେ । ଯଦି ନିର୍ବାଚନର ଏକ ମାସ ପରେ ମେଣ୍ଟକୁ ନେଇ କୌଣସି ପ୍ରଶ୍ନ ଉଠିଥାନ୍ତା ତେବେ କଥା ତ ବୁଝାପଡିଥାନ୍ତା । କିନ୍ତୁ ତିନି ବର୍ଷ ପର୍ଯ୍ୟନ୍ତ ରହିବା ପରେ ୩୪ ଜଣିଆ ଗ୍ରୁପ କହୁଛନ୍ତି ଯେ ଅସହମତି ରହିଛି ଏବଂ ରାଜ୍ୟପାଳ ଭାବରେ ଆପଣ ଗୋଟେ ଦିନ ଆସ୍ଥା ଭୋଟ ପାଇଁ ଆହ୍ୱାନ ଦେଉଛନ୍ତି । ଖଣ୍ଡପୀଠ କହିଛନ୍ତି ଯେ, ମହାରାଷ୍ଟ୍ର ବିଧାନସଭାରେ ଫ୍ଲୋର ଟେଷ୍ଟ ଡକାଇବାର କଣ ଆଧାର ଥିଲା ।

ଏହା ଉପରେ ଏକନାଥ ସିନ୍ଦେ ଗୋଷ୍ଠୀଙ୍କ ପକ୍ଷ ରଖୁଥିବା ସଲିସିଟର ଜେନରାଲ ତୁଷାର ମେହତା କହିଥିଲେ ଯେ ଠାକରେଙ୍କ ଉପରୁ ବିଦ୍ରୋହୀ ବିଧାୟକଙ୍କ ଭରସା ଶେଷ ହୋଇଯାଇଥିଲା । ଏହା ଉପରେ ପ୍ରଧାନ ବିଚାରପତି କହିଥିଲେ ଯେ ଏହା ତ ଦଳ ଭିତରର ମତଭେଦ ଥିଲା । କିନ୍ତୁ ଏହାକୁ ନେଇ ରାଜ୍ୟପାଳ ଆସ୍ଥା ଭୋଟ ପାଇଁ ଆହ୍ୱାନ ଦେବା ଯଥାର୍ଥ ନୁହେଁ ।  ରାଜ୍ୟପାଳଙ୍କୁ ଏହି କଥାକୁ ଅଣଦେଖା ନକରିବା ଆବଶ୍ୟକ ଯେ ଯଦି ତିନି ଦଳର ମେଣ୍ଟ ରହେ ତେବେ କୌଣସି ଗୋଟେ ଦଳ ତ ଅସହମତ ରହିବ ।

ହେଲେ କେବଳ ଏହାକୁ ଆଧାର କରି ସମ୍ପୂର୍ଣ୍ଣ ସରକାର ଭାଙ୍ଗିଦେବା ଭଳି ପଦକ୍ଷେପ ନେବା ଅନୁଚିତ ବୋଲି କହିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ । ପ୍ରକାଶଥାଉକି, ଗତ ବର୍ଷ ଜୁନରେ ଏକନାଥ ସିନ୍ଦେଙ୍କ ସହ ମିଶି ବିଜେପି ସରକାର ଗଠନ କରିଥିଲା । ମୁଖ୍ୟମନ୍ତ୍ରୀ ଭାବରେ ଏକନାଥ ସିନ୍ଦେ ରହିଥିବା ବେଳେ ଉପମୁଖ୍ୟନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡନାବୀସ କାର୍ଯ୍ୟ କରୁଛନ୍ତି । କେବଳ ଏତିକି ନୁହେଁ ବିଧାୟକ ଏବଂ ୧୨ରୁ ଅଧିକ ସାଂସଦଙ୍କୁ ନିଜ ସାଙ୍ଗରେ ନେଇଥିବା ଏକନାଥ ସିନ୍ଦେଙ୍କୁ ଶିବସେନାର ନାଁ ଏବଂ ଚିହ୍ନ ବ୍ୟବହାର କରିବାକୁ ଅନୁମତି ମଧ୍ୟ ନିର୍ବାଚନ କମିଶନ ଦେଇଦେଇଛନ୍ତି । ଏବେ ଏହି ବିବାଦ ମାମଲା ସୁପ୍ରିମକୋର୍ଟରେ ବିଚାରଧୀନ ରହିଛି ।