ତବଲିଗି ରିପୋର୍ଟିଂକୁ ନେଇ ସୁପ୍ରିମକୋର୍ଟ ଅସନ୍ତୁଷ୍ଟ, ‘ନିୟନ୍ତ୍ରଣରେ ନାହାଁନ୍ତି ୱେବ ପୋର୍ଟାଲ’
ନୂଆଦିଲ୍ଲୀ: ତବଲିଗି ଜମାତ ମାମଲାରେ ଗଣମାଧ୍ୟମର ରିପୋର୍ଟିଂକୁ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ମାମଲାକୁ ସାମ୍ପ୍ରଦାୟିକ କରିବା ନେଇ କୋର୍ଟ ସମାଲୋଚନା କରିଛନ୍ତି । ପ୍ରଧାନ ବିଚାରପତି ଏନଭି ରମଣା ମଧ୍ୟ କିଛି ଗଣମାଧ୍ୟମର ରିପୋର୍ଟିଂକୁ ନେଇ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି, ବୁଝାପଡ଼ୁନି କାହିଁକି ପ୍ରତିଟି ଜିନିଷକୁ ସାମ୍ପ୍ରଦାୟିକତାର ରଙ୍ଗ ଦିଆଯାଉଛି ।
ତବଲିଗି ଜମାତ ମାମଲାରେ କିଛି ଗଣମାଧ୍ୟମରେ ଅଶାଳୀନ ଭାଷା ସହ ଭୁଲ୍ ଖବର ନେଇ ଦାଏର ଆବେଦନର ଶୁଣାଣି ବେଳେ ଏଭଳି ଟିପ୍ପଣୀ ରଖିଛନ୍ତି ପ୍ରଧାନ ବିଚାରପତି । ସେ କହିଛନ୍ତି, ‘ମୋତେ ଜଣାନାହିଁ ଏସବୁ କାହିଁକି ହେଉଛି । ପ୍ରତିଟି ଜିନିଷକୁ ସାମ୍ପ୍ରଦାୟିକତା ଆଡ଼କୁ ଟଣା ଯାଉଛି । ୱେବ ପୋର୍ଟାଲ କାହା ନିୟନ୍ତ୍ରଣରେ ନାହିଁ । ୟୁଟ୍ୟୁବରେ ଲକ୍ଷ ଲକ୍ଷ ମିଛ ଖବର ଚାଲୁଛି । ଯିଏ ଚାହୁଁଛି ସିଏ ଚଳାଉଛି । ସେମାନେ କାହା ପାଖେ ଉତ୍ତରଦାୟୀ ନାହାଁନ୍ତି । ଅନେକଙ୍କ ବିରୋଧରେ ଅଶ୍ଲୀଳ ଭାଷାରେ ମଧ୍ୟ ଲେଖୁଛନ୍ତି । ଲୋକଙ୍କ କଥା ଛାଡ଼ନ୍ତୁ ବିଚାରପତିଙ୍କ ବାବଦରେ ବି ମନ ଇଚ୍ଛା ଲେଖୁଛନ୍ତି ।’
ଏଥିରୁ ମୁକୁଳିବା ଲାଗି କ’ଣ ବ୍ୟବସ୍ଥା ରହିଛି ବୋଲି ସର୍ବୋଚ୍ଚ କୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ବୈଦ୍ୟୁତିକ ଗଣମାଧ୍ୟମ ଓ ସମ୍ବାଦପତ୍ର ଲାଗି ବ୍ୟବସ୍ଥା ଥିବା ବେଳେ ୱେବ ପୋର୍ଟାଲ ଲାଗି କିଛି କରିବାକୁ ପଡ଼ିବ ବୋଲି କୋର୍ଟ କହିଛନ୍ତି । ସୋସିଆଲ୍ ମିଡିଆ ଓ ଡିଜିଟାଲ୍ ମିଡିଆ ଉପରେ ନଜର ରଖିବାକୁ ଆୟୋଗ ଗଠନ ପରେ କ’ଣ ହୋଇଛି ବୋଲି ପ୍ରଶ୍ନ କରିଛନ୍ତି ପ୍ରଧାନ ବିଚାରପତି ।