ଗଣମାଧ୍ୟକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ରାୟ: କୌଣସି ଖବର ପ୍ରକାଶ କରିବା ପୂର୍ବରୁ ଏହାର ସତ୍ୟତା ଏବଂ ନିରପେକ୍ଷତାକୁ ସୁନିଶ୍ଚିତ କରନ୍ତୁ

ନୂଆଦିଲ୍ଲୀ: ଗଣମାଧ୍ୟକୁ ନେଇ ସୁପ୍ରିମକୋର୍ଟ ବଡ ରାୟ ଶୁଣାଇଛନ୍ତି । ସୁପ୍ରିମକୋର୍ଟ ବିଚାରପତି ଜେ.ବି. ପାର୍ଡିଓ୍ବାଲା ଏବଂ ଜଷ୍ଟିସ୍‌ ଜେ.ବି. ଆର୍‌ ମହାଦେବନଙ୍କ ଖଣ୍ଡପୀଠରେ ଏକ ମାମଲାର ଶୁଣାଣି କରି କହିଛନ୍ତି ଯେ, ଜନମତ ଗଠନରେ ଗଣମାଧ୍ୟମର ଶକ୍ତି ଗୁରୁତ୍ୱପୂର୍ଣ୍ଣ। ପ୍ରେସର ଜନସାଧାରଣଙ୍କ ଭାବନାକୁ ପ୍ରଭାବିତ କରିବା ଏବଂ ଚିନ୍ତାଧାରା ପରିବର୍ତ୍ତନ କରିବାର କ୍ଷମତା ଅଛି। “କଲମ ଖଣ୍ଡା ଅପେକ୍ଷା ଅଧିକ ଶକ୍ତିଶାଳୀ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ସୂଚନା ଅନୁଯାୟୀ, ସୁପ୍ରିମକୋର୍ଟ ବୁଧବାର ଏକ ମାମଲାର ଶୁଣାଣି କରି ସମାଜରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଗୁରୁତ୍ୱାରୋପ କରିଛନ୍ତି। ୨୦୧୪ ଜୁନ୍‌ ୨୭ରେ ଏକ ପେଣ୍ଟିଂ ନିଲାମକାରୀ ସଂସ୍ଥାକୁ ନେଇ ଜାତୀୟ ସ୍ତରୀୟ ଖବରକାଗଜ ଟାଇମ୍ସ ଇଣ୍ଡିଆର ସମ୍ପାଦକୀୟରେ ଅପମାନଜନକ ଲେଖା ପ୍ରକାଶିତ କରାଯାଇଥିବା ଅଭିଯୋଗକରି ଖବରକାଗଜର ସମ୍ପାଦକୀୟ ନିର୍ଦ୍ଦେଶକ ଜୟଦୀପ ବୋଷ ଏବଂ ଅନ୍ୟ ସାମ୍ବାଦିକଙ୍କ ବିରୋଧରେ ଆପରାଧିକ ମାନହାନି ମାମଲା ରୁଜୁ କରାଯାଇଥିଲା।

ବୁଧବାର ସୁପ୍ରିମକୋର୍ଟ ଉକ୍ତ ମାନହାନି ମାମଲାକୁ ଖାରଜ କରିଦେଇଛନ୍ତି। ଶୁଣାଣି ବେଳେ ଷ୍ଟିସ୍‌ ଜେ.ବି. ପାର୍ଡିଓ୍ବାଲା ଏବଂ ଜଷ୍ଟିସ୍‌ ଜେ.ବି. ଆର୍‌ ମହାଦେବନଙ୍କ ଖଣ୍ଡପୀଠ କହିଛନ୍ତି, ଜନତାଙ୍କର ମତକୁ ଆକାର ଦେବାରେ ଗଣମାଧ୍ୟମର ପ୍ରମୁଖ ଭୂମିକା ରହିଛି। ତେଣୁ ବେପରୁଆ ସାମ୍ବାଦିକତା ସମାଜ ପାଇଁ ଭୟାବହ ଏବଂ ଏହାର ଦୀର୍ଘକାଳୀନ ପାରିଣାମ ପଡ଼ିପାରେ। ଖବରଦାତାମାନଙ୍କୁ କୌଣସି ଖବର କିମ୍ବା ମନ୍ତବ୍ୟ ପ୍ରକାଶ କରିବା ପୂର୍ବରୁ ଏହାର ସତ୍ୟତା ଏବଂ ନିରପେକ୍ଷତାକୁ ସୁନିଶ୍ଚିତ କରିବା ଆବଶ୍ୟକ।

ସୁପ୍ରିମକୋର୍ଟ କହିଛନ୍ତି ଯେ, ଗୋଟିଏ ଲେଖା କିମ୍ବା ରିପୋର୍ଟ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରଭାବିତ କରିପାରିବ, ସେମାନଙ୍କର ବିଶ୍ୱାସ ଏବଂ ନିଷ୍ପତ୍ତିକୁ ଆକାର ଦେଇପାରିବ। ଏହା ସମ୍ପୃକ୍ତ ବ୍ୟକ୍ତିଙ୍କ ପ୍ରତିଷ୍ଠାକୁ ଗୁରୁତର କ୍ଷତି ପହଞ୍ଚାଇବାର ସମ୍ଭାବନା ରଖେ, ଯାହାର ପରିଣାମ ସୁଦୂରପ୍ରସାରୀ ଏବଂ ସ୍ଥାୟୀ ହୋଇପାରେ। ତେଣୁ, ଜନହିତ ଏବଂ ସଦିଚ୍ଛା ପାଇଁ ସମ୍ବାଦ ଲେଖା ପ୍ରକାଶିତ ହେବା ଉଚିତ।

ନଜର ପକାନ୍ତୁ