ଗ୍ରୀଷ୍ମ ଅବକାଶରେ ମଧ୍ୟ ଜାରି ରହିବ ଜରୁରୀ ଓ ଅତିଜରୁରୀ ମାମଲାର ବିଚାର

1 min read

ନୂଆଦିଲ୍ଲୀ:  ମେ ୧୦ରୁ ସୁପ୍ରିମକୋର୍ଟଙ୍କ ପ୍ରଥମ ପର୍ଯ୍ୟାୟ ଗ୍ରୀଷ୍ମ ଛୁଟି ଆରମ୍ଭ ହେବ। ହେଲେ ଛୁଟି ସମୟରେ ମଧ୍ୟ ଜରୁରୀ ମାମଲାର ଶୁଣାଣି ଚାଲିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି। ସପ୍ତାହକୁ ଦୁଇ ଦିନ ଭର୍ଚୁଆଲରେ ୨ଟି ଖଣ୍ଡପୀଠ ମାମଲାଗୁଡିକର ଶୁଣାଣି କରିବେ।

ମେ ୧୦ରୁ ୧୫ ମଧ୍ୟରେ ସପ୍ତାହକୁ ୨ଦିନ ମଙ୍ଗଳବାର ଓ ଶୁକ୍ରବାର ଶୁଣାଣି କରିବେ ଖଣ୍ଡପୀଠ। ସେହିଭଳି ଦ୍ୱିତୀୟ ପର୍ଯ୍ୟାୟ ଗ୍ରୀଷ୍ମ ଅବକାଶ ମେ ୧୭ରୁ ୨୫ ତାରିଖ ପର୍ଯ୍ୟନ୍ତ ରହିବ। ଏହି ସମୟରେ ବି ସପ୍ତାହକୁ ଦୁଇ ଦିନ ପୂର୍ବଭଳି ମଙ୍ଗଳବାର ଓ ଶୁକ୍ରବାର ଶୁଣାଣି କରାଯିବ। ତେବେ ମଙ୍ଗଳବାର ଶୁଣାଣି ପାଇଁ ଗୁରୁବାର ସୁଦ୍ଧା କେସ ପଞ୍ଜୀକରଣ କରାଯିବାକୁ କୁହାଯାଇଥିବାବେଳେ ଶୁକ୍ରବାର ଶୁଣାଣି ପାଇଁ ସୋମବାର ସୁଦ୍ଧା ପଞ୍ଜୀକରଣ ପାଇଁ ଡେଡଲାଇନ ରଖାଯାଇଛି। ଏଥର ଚାରି ପର୍ଯ୍ୟାୟରେ ଗ୍ରୀଷ୍ମ ଅବକାଶର ବିଚାର ପ୍ରକ୍ରିୟା ପାଇଁ ଦିନ ଧାର୍ଯ୍ୟ କରାଯାଇଛି।

ତୃତୀୟ ପର୍ଯ୍ୟାୟ ମେ ୨୬ରୁ ଜୁନ ୧୦ ତାରିଖ ଏବଂ ଚତୁର୍ଥ ପର୍ଯ୍ୟାୟ ପାଇଁ ଜୁନ ୧୧ରୁ ଜୁନ ୨୭ ଯାଏଁ ଅବଧି ରହିଛି। ଏହି ସମୟରେ କେଉଁ ଖଣ୍ଡପୀଠ ଶୁଣାଣି କରିବେ ସେ ନେଇ ପରବର୍ତ୍ତୀ ବିଜ୍ଞପ୍ତି ପ୍ରକାଶ ପାଇବ। ତେବେ [email protected] ଇ-ମେଲ ଠିକଣାରେ ମାମଲା ରୁଜୁ ହୋଇପାରିବ।

Leave a Reply